1. ଭାଷା ଓଡ଼ିଶା ଗଠନର ଅନ୍ୟତମ କର୍ଣ୍ଣଧାର ତଥା ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଆଜି ଜନ୍ମବାର୍ଷିକୀ। ୧୮୭୦ ମସିହାର ଆଜିର ଦିନରେ ମହାରାଜାଙ୍କ ଜନ୍ମ ହୋଇଥିଲା। ତାଙ୍କୁ ୧୨ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ତଥା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଦେହାନ୍ତ ହୋଇଥିଲା। ନାବାଳକ ହେତୁ ମୟୁରଭଞ୍ଜ ବ୍ରିଟିଶ ଆଇନ ବଳରେ ଏଠାରେ କୋର୍ଟ ଅଫ୍ ଓ୍ୱାର୍ଡ୍ସ ଲାଗୁ କରାଯାଇଥିଲା। ୧୫ ଅଗଷ୍ଟ ୧୮୯୨ରେ ସେ ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ। ଏକ ଶିକାର ଯାତ୍ରାରେ ଥିବା ସମୟରେ ତାଙ୍କ ଶଳାଙ୍କ ଗୁଳିରେ ୨୨ ଫେବୃୟାରୀ ୧୯୧୨ ମସିହାରେ ମହାରାଜାଙ୍କ ମୃତ୍ୟୁ ହୋଇଥିଲା।
2. ଆଜିଠୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଶ୍ରୀମନ୍ଦିରରେ ଏଥିଲାଗି ଏଏସ୍ଆଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଥମରେ ପୁରୁଣା ଆବରଣ ଛଡ଼ାଯିବାର ବ୍ୟବସ୍ଥା ହେବ। ଏହାପରେ ପଥର କାନ୍ଥରେ ଥିବା ଫାଟକୁ ଆବଶ୍ୟକ ପାରମ୍ପରିକ ଅଠା ତଥା ଯୋଗିକ ସହାୟତାରେ ବନ୍ଦ କରାଯିବ। ଏହାପରେ ପୁଣିଥରେ ଆବରଣ ଦିଆଯାଇ ମରାମତି କରାଯିବ। ଏଥିଲାଗି ଆବଶ୍ୟକ ଉପକରଣକୁ ଆଜି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବ ଏଏସ୍ଆଇ।
3. ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଥିଲାଗି ନୀତିକାନ୍ତିକୁ ଅଗ୍ରୀମ କରାଯାଇଛି। ରାତି ଦୁଇଟାରେ ଶ୍ରୀମନ୍ଦିରର ପହଡ଼ ଖୋଲୁଛି। ଦିନ ୧୨ଟା ୩୦ ମଧ୍ୟରେ ଦ୍ୱିତୀୟ ଭୋଗ ମଣ୍ଡପ ସମାପ୍ତ ଲାଗି ନିଷ୍ପତ୍ତି ହୋଇଛି। ପହିଲି ଭୋଗ ନୀତି ଚାଲୁଥିବାରୁ ଏହା ଅନ୍ୟ ଦିନମାନଙ୍କଠାରୁ ସହଜ ହୋଇପାରେ। ପୁଣି ସାଢ଼େ ୧୨ଟାରୁ ସାଢ଼େ ୫ଟା ଯାଏ ହିଁ କାର୍ଯ୍ୟ ହୋଇ ପାରିବ। ଏହାପରେ ପୁଣି ରୀତି ନୀତି ଆରମ୍ଭ ହେବ। ଏହା ତିନି ମାସ ଯାଏ ଚାଲିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।
4. ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଏକକ ନିର୍ବାଚନ ବିଧେୟକ ତଥା ‘ଏକ ଦେଶ-ଏକ ନିର୍ବାଚନ’ ବିଧେୟକକୁ ଉପସ୍ଥାପନ କରିବେ। ପ୍ରଥମାର୍ଦ୍ଧରେ ଏହି ବିଧେୟକ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି। ଉପସ୍ଥାପନ ହେବା ପରେ ବିଧେୟକକୁ ଅଧିକ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ ଏକ ପ୍ରସ୍ତାବ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ୱାଲ ଆଣିବେ। ଏହା ପାରିତ ହେଲେ ଯୁଗ୍ମ କମିଟିକୁ ଏହି ବିଧେୟକ ପଠାଯିବ। ୯୦ ଦିନ ଭିତରେ ଯୁଗ୍ମ କମିଟି ରିପେୋର୍ଟ ଦେଇପାରନ୍ତି। ୨୦୩୪ ମସିହାରୁ ସବୁ ରାଜ୍ୟ ଓ କେନ୍ଦ୍ରର ସମସ୍ତ ନିର୍ବାଚନ ଗୋଟିଏ ସମୟରେ କରାଇବା ଲାଗି ଏହି ବିଧେୟକରେ ବ୍ୟବସ୍ଥା ରହିଛି।
5. ଲୋକସଭାରେ ଆଜି ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ୍ ସମର୍କରେ ସାଂସଦମାନେ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ। ଏହାପରେ ବିଧେୟକକୁ ପାରିତ କରିବା ଲାଗି ପ୍ରସ୍ତାବ ଆଗତ କରାଇବା କାର୍ଯ୍ୟକ୍ରମ ରହିଛି। ଏହାସହ ଆଜି ଆଇନ ମନ୍ତ୍ରୀ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଥିବା ଆଇନରେ ସଂଶୋଧନ କରିବେ। ବିଶେଷକରି ବିଧାନସଭାରେ ଅନୁସୂଚତ ଜନଜାତିଙ୍କ ଲାଗି ଆରକ୍ଷଣ ଲାଗି ଏହି ବ୍ୟବସ୍ଥା ଉପଯୋଗୀ ହେବ।
6. ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବାରୁ ପୁଣି କଟକଣା ଜାରି ହୋଇଛି। ଗ୍ରାପ୍-୪ କଟକଣା ଅନୁସାରେ ଡିଜେଲ ଗାଡ଼ି ଚଳାଚଳକୁ ନିଷିଦ୍ଧ କରାଯାଇଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଏହି ପଦକ୍ଷେପ ଉପଯୋଗୀ। କିଛିଦିନ ତଳେ ଏହି କଟକଣା ଉଠାଯାଇଥିଲା।
7. ଆସନ୍ତା ବର୍ଷଠାରୁ ରାଜ୍ୟରେ ନୂଆ ଥଇଥାନ ନୀତି ଲାଗୁ ହେବ। ଏହି ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ଶେଷଥର ପାଇଁ ୨୦୦୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ବିସ୍ଥାପନ ଓଥଇଥାନ ନୀତିରେ ସଂଶୋଧନ ଆଣି ନୂଆ ଆଇନ ଲାଗୁ କରିଥିଲା। ହେଲେ ରାଜ୍ୟର ରାଜସ୍ୱ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏହି ନୀତିରେ ସଂସ୍କାର ହେବ ବୋଲି ଲସେ ସୂଚନା ଦେଇଛନ୍ତି।
8. ଦେଶର ୨୭୯ ନଦୀର ୩୧୧ଟି ସ୍ଥାନ ପ୍ରଦୂଷିତ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏଥିରେ ରାଜ୍ୟର ୭ଟି ନଦୀ ସାମିଲ। ବିନା ପରିଚାଳନାରେ ଶିଳ୍ପ ନିର୍ଗତ ବର୍ଯ୍ୟ ମିଶ୍ରଣ ହେତୁ ଏହି ସ୍ଥାନଗୁଡ଼ିକ ପ୍ରଦୂଷିତ ହୋଇଛି।
9. ଜାନୁୟାରୀରେ ଆସିବେ ପ୍ରଧାନମନ୍ତ୍ରୀ। ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ପ୍ରବାସୀ ଭାରତୀୟ ଦିବସ ଜାନୁୟାରୀ ୮ରୁ ୧୦ ତାରିଖ ଯାଏ ଅନୁଷ୍ଠିତ ହେବ। ସେହିପରି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ୨୮ ଓ ୨୯ ଦୁଇଦିନ ଧରି ଅନୁଷ୍ଠିତ ହେବ।
10. ରାଜ୍ୟରେ ଶୀତ ପ୍ରବାହ ଯୋଗୁ ବିଭିନ୍ନ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ସୁନ୍ଦରଗଡ଼ର କୋଇଡ଼ାଠାରେ ଲଗାତାର ତିନି ଦିନ ହେଲା ତୁଷାରପାତ ଦେଖିବାକୁ ମିଳୁଛି। ଆଜି ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।