Space Programme of ISRO: ଆସନ୍ତା ୨୦୩୫ ସୁଦ୍ଧା ସ୍ପେସ୍ ଷ୍ଟେସନ୍ ସ୍ଥାପନ କରିବାକୁ ଯୋଜନା କରୁଛି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ।
Trending Photos
ISRO: ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ୱରେ ଏକ ବଡ଼ ଶକ୍ତି ଭାବେ ଉଭା ହେବାକୁ ଅଣ୍ଟାଭିଡିଛି ଭାରତ। ଏନେଇ ଆସନ୍ତା ୨୦୩୫ ସୁଦ୍ଧା ସ୍ପେସ୍ ଷ୍ଟେସନ୍ ସ୍ଥାପନ କରିବାକୁ ଯୋଜନା କରୁଛି ଭାରତ। ଏନେଇ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ମଧ୍ୟ ଶିଳ୍ପ ଜଗତ ସାମ୍ନାରେ ଏକ ଯୋଜନା ଉପସ୍ଥାପନ କରିଛି। ଇସ୍ରୋ ଶିଳ୍ପ ଜଗତ ସାମ୍ନାରେ ରକେଟ୍ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ଯାହାକି କକ୍ଷପଥରେ ଭାରୀ ପେଲୋଡ୍ ରଖିବାରେ ସକ୍ଷମ ଏବଂ ପୁନଃବ୍ୟବହାର ଯୋଗ୍ୟ ହୋଇପାରିବ। ମହାକାଶ ଗବେଷଣା ପାଇଁ ଅଂଶୀଦାର ହେବାକୁ ଶିଳ୍ପ ଜଗତକୁ ପ୍ରସ୍ତାବ ଦେଇଛି ଇସ୍ରୋ।
ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (Indian Space Research Organisation) ଇସ୍ରୋ (ISRO) ଯେଉଁ ରକେଟ୍ (Rocket) ନିର୍ମାଣ କରିବା କଥା କହୁଛି ତାହାକୁ ପରବର୍ତ୍ତୀ ପିଢିର ଉତକ୍ଷେପଣ ଯାନ (Next Generation Launch Vehicle) ଏନଜିଏଲଭି (NGLV) କୁହାଯାଏ। ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ କହିଛନ୍ତି ଯେ ଭାରତୀୟ ସ୍ପେସ୍ ଏଜେନ୍ସି (Indian Space Agency) ରକେଟ ଡିଜାଇନ୍ (Rocket Design) ଉପରେ କାମ କରୁଛି। ଶିଳ୍ପ ଜଗତ ଏହାର ଗବେଷଣା କାର୍ଯ୍ୟକ୍ରମରେ ସହଭାଗୀ ହେବାକୁ ଚାହୁଁଛି ଇସ୍ରୋ। ଏହି ପ୍ରକ୍ରିୟାରେ ଶିଳ୍ପକୁ ଆଣିବା ହେଉଛି ଆମର ପ୍ରୟାସ। ଆମକୁ ସମସ୍ତ ଟଙ୍କା ବିନିଯୋଗ କରିବାର ଆବଶ୍ୟକତା ନାହିଁ। ଆମେ ଚାହୁଁଛୁ ଯେ ଶିଳ୍ପ କ୍ଷେତ୍ର ଏପରି ରକେଟ୍ ନିର୍ମାଣରେ ନିବେଶ କରନ୍ତୁ।
ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ଏହି ରକେଟ ଯୋଗେ ୧୦ ଟନ୍ ପେଲୋଡ୍ ଜିଓଷ୍ଟେସନାରୀ ଟ୍ରାନ୍ସଫର ଅର୍ବିଟ (Geostationary Transfer Orbit) ଜିଟିଓ (GTO) କିମ୍ବା ୨୦ ଟନ୍ ପେଲୋଡ୍ ପୃଥବୀର କକ୍ଷପଥକୁ ନେବାକୁ ଯୋଜନା କରାଯାଇଛି। ଆସନ୍ତା ୨୦୩୫ ସୁଦ୍ଧା ଭାରତ ଏହାର ସ୍ପେସ୍ ଷ୍ଟେସନ୍ (Space Station of India) ସ୍ଥାପନ କରିବାକୁ କରାଯାଉଥିବା ଯୋଜନାରେ ଏହି ନୂତନ ରକେଟ୍ ସହାୟକ ହେବ। ଏକ ସମୟରେ ଗଭୀର ମହାକାଶ ଅଭିଯାନ, ମାନବୀୟ ଅନ୍ତରୀଣ ଉଡାଣ, ମାଲବାହନ ଏବଂ ଏକାଧିକ ଯୋଗାଯୋଗ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ।
Also Read: ପୁଣି ରେକର୍ଡ ରଚିଲା ଇସ୍ରୋ, ଅନ୍ତରୀକ୍ଷକୁ ପଠାଇଲା ୧୦ ଉପଗ୍ରହ
ବହୁଳ ଉତ୍ପାଦନ ପାଇଁ ଏନଜିଏଲଭି ଏକ ସରଳ ଏବଂ ଦୃଢ ଯନ୍ତ୍ର ଭାବେ ବିକଶିତ ହୋଇଛି। ଏହା ମହାକାଶରେ ପରିବହନକୁ ଅର୍ଥନୈତିକ କରିବ। ଧ୍ରୂବୀୟ ଉପଗ୍ରହ ଉତକ୍ଷେପଣ ଯାନ (Polar Satellite Launch Vehicle) ପିଏସଏଲଭି (PSLV) ୧୯୮୦ ଦଶକରେ ବିକଶିତ ଜ୍ଞାନକୌଶଳ ଉପରେ ଆଧାରିତ। ଏହାକୁ ଭବିଷ୍ୟତରେ ରକେଟ୍ ଉତକ୍ଷେପଣ (Rocket Launch) କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ।
ଆସନ୍ତା ବର୍ଷେ ମଧ୍ୟରେ ଏନଜିଏଲଭି ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ। ଆସନ୍ତା ୨୦୩୦ ବର୍ଷରେ ଏହାର ପ୍ରଥମ ଉତକ୍ଷେପଣ ସହିତ ଏହାର ଉତ୍ପାଦନ ପାଇଁ ଶିଳ୍ପ ଜଗତକୁ ଅନୁରୋଧ କରାଯିବ। ଏନଜିଏଲଭି ଏକ ତିନୋଟି ପର୍ଯ୍ୟାୟ ରକେଟ୍ ହୋଇପାରେ। ଯାହା ମିଥେନ ଏବଂ ତରଳ ଅମ୍ଳଜାନ କିମ୍ବା କିରୋସିନି ବ୍ୟବହାର କରି ସବୁଜ ଇନ୍ଧନ ଦ୍ୱାରା ସଞ୍ଚାଳିତ ହେବ। ଏନଜିଏଲଭି ପୁନଃବ୍ୟବହାର ଯୋଗ୍ୟ ସ୍ୱରୂପରେ କିଲୋଗ୍ରାମ ପିଛା ପାଇଁ ୧୯୦୦ ଡଲାର ଏବଂ ଉତ୍ସେର୍ଜନ ରୂପରେ କିଲୋଗ୍ରାମ ପିଛା ୩୦୦୦ ହଜାର ଡଲାର ମୂଲ୍ୟରେ ପେଲୋଡ୍ ବହନ କରିବାକୁ ସକ୍ଷମ।
ସ୍ପେସ୍ ଷ୍ଟେସନ୍ (Space Station) ହେଉଛି ଏକ ବୃହତ ମାନବ ନିର୍ମିତ ଯାନ ଯାହା ମହାକାଶକୁ (Space) ପଠାଯିବ। ଯାହା ମହାକାଶରେ ସ୍ଥାୟୀ ଭାବରେ ସ୍ଥାପିତ ହୋଇଛି। ଯାହା ଦ୍ୱାରା ସେଠାକୁ ଯାଉଥିବା ମହାକାଶଚାରୀଙ୍କୁ ସୁବିଧା ମିଳିପାରିବ। ସେଠାରେ ଉପସ୍ଥିତ ଥିବା ଏହି ବୃହତ ମହାକାଶଯାନକୁ (Spacecraft) ମହାକାଶଚାରୀଙ୍କ (Astronaut) ଘର କୁହାଯାଇପାରେ। ଏହା ପୃଥିବୀ ଚାରିପଟେ ଘୂରି ବୁଲିଥାଏ। ମହାକାଶକୁ ଯାଇ ମହାକାଶଚାରୀ ସେଠାରେ ଯାଇ ଅବସ୍ଥାନ କରିବା ସହ ସମସ୍ତ ପ୍ରକାର ଗବେଷଣା କାର୍ଯ୍ୟ କରିଥାନ୍ତି ଯେଉଁ କାର୍ଯ୍ୟକୁ ପୃଥିବୀ ପୃଷ୍ଠରେ କରା ଯାଇପାରିବ ନାହିଁ। ସ୍ପେସ୍ ଷ୍ଟେସନ କୁ ଏହାର ଆକାର ଏବଂ ଓଜନ ଅନୁଯାୟୀ ଅନେକ ଭାଗରେ ମହାକାଶକୁ ପଠାଯାଇଥାଏ। ମହାକାଶରେ ପହଞ୍ଚିବା ପରେ ସେହି ସମସ୍ତ ଅଂଶ କିମ୍ବା ମଡ୍ୟୁଲ୍ ଡକିଂ ଟେକ୍ନୋଲୋଜି ଜରିଆରେ ସହିତ ପରସ୍ପର ସହିତ ସଂଯୋଗ କରି ଦିଆଯାଏ।
Also Read: OneWeb India-1 Mission: ଇସ୍ରୋ ରଚିଲା ଇତିହାସ, ରକେଟ୍ LVM-3-M2ର ଉତକ୍ଷେପଣ ସଫଳ
ବର୍ତ୍ତମାନ ସାରା ବିଶ୍ୱରେ କେବଳ ଆମେରିକା, ଋଷିଆ ଏବଂ ଚୀନ ଭଳି ଦେଶ ପାଖରେ ଏହି ସୁବିଧା ଉପଲବ୍ଧ ରହିଛି। ବିଗତ ୨୪ ବର୍ଷ ଧରି ଆମେରିକା-ଋଷିଆ ମଳିତ ସହଭାଗିତାରେ ସେମାନଙ୍କର ସ୍ପେଶ ଷ୍ଟେସନ୍ ଚଳାଉଛନ୍ତି। ଅନ୍ୟପଟେ ଚୀନ୍ ଗତବର୍ଷ ଏହାର ସ୍ପେସ୍ ଷ୍ଟେସନ୍ ତିଆଙ୍ଗୋଙ୍ଗ କେନ୍ଦ୍ରୀୟ ମଡ୍ୟୁଲ୍ ଲଞ୍ଚ କରିଥିଲା। ଏହି ପଦକ୍ଷେପ ସହିତ ଚୀନ୍ ନିଜର ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବା କ୍ଷେତ୍ରରେ ଅତି ନିକଟତର ହୋଇଛି। ତିଆଙ୍ଗୋଙ୍ଗ ସ୍ପେସ୍ ଷ୍ଟେସନ୍ ସମାପ୍ତ ହେବା ମାତ୍ରେ ଚୀନ୍ ଦୁନିଆର ଏକମାତ୍ର ଦେଶ ହେବ ଯାହାର ବର୍ତ୍ତମାନ ନିଜସ୍ୱ ସ୍ପେଶ ଷ୍ଟେସନ୍ ରହିବ।
ଗୋଟିଏ ପଟେ ଯେଉଁଠି ଚୀନ ନିଜସ୍ୱ ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବାରେ ଲାଗିପଡ଼ିଛି। ଅନ୍ୟପଟେ ସେହି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ, ଯାହା ଆମେରିକା-ଋଷିଆ ସହଭାଗିତାରେ ପରିଚାଳିତ ହେଉଛି ତାହା ଯେକୌଣସି ସମୟରେ ଭାଙ୍ଗିପାରେ। ବର୍ତ୍ତମାନ ଋଷିଆ ଏହାର ଏକ ପୃଥକ ସ୍ପେସ୍ ଷ୍ଟେସନ୍ ସ୍ଥାପନ କରିବ। ଯାହାର ନିର୍ମାଣ ଆସନ୍ତା ୨୦୨୪ ବର୍ଷରୁ ଆରମ୍ଭ ହୋଇପାରେ। ଏହି ସହଭାଗିତା ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ଋଷିଆ-ୟୁକ୍ରେନ ଯୁଦ୍ଧ। ବିଗତ ୯ ମାସ ଧରି ଏହି ଯୁଦ୍ଧ ଚାଲିଛି। ଯୁଦ୍ଧରେ ୟୁକ୍ରେନକୁ ଆମେରିକା ସମର୍ଥନ କରୁଛି। ଯାହା ଋଷିଆ ସହ ରହିଥିବା ସମ୍ପର୍କରେ ଫାଟ ସୃଷ୍ଟି କରିଛି। ଆମେରିକୀୟ ମହାକାଶ ଗବେଷଣା ଏଜେନ୍ସି ନାସା ଚାହୁଁଥିଲା ଯେ ଏହି ସହଭାଗୀତା ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ହେଲେ ଋଷିଆ ଏହାର ନୂତନ ସ୍ପେସ୍ ଷ୍ଟେସନ୍ ପାଇଁ ବହୁ ବର୍ଷ ପୂର୍ବେ ପ୍ରସ୍ତୁତି ଆରମ୍ଭ କରିଦେଇଛି।