କେଜ୍ରିୱାଲଙ୍କ କାମ > ମୋଦି-ଶାହଙ୍କ ପ୍ରଚାର !
Advertisement
Article Detail0/zeeodisha/odisha621040

କେଜ୍ରିୱାଲଙ୍କ କାମ > ମୋଦି-ଶାହଙ୍କ ପ୍ରଚାର !

ଝାଡ଼ଖଣ୍ଡର 'ମହା' ଝଟକାକୁ 'ବାଲିସେକ' ଦେବ ଦିଲ୍ଲୀ !

ଝାଡ଼ଖଣ୍ଡର 'ମହା' ଝଟକାକୁ 'ବାଲିସେକ' ଦେବ ଦିଲ୍ଲୀ !

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ବିଗୁଲ ବାଜିବା ସହ ଲାଗୁ ହେଲା ଆଦର୍ଶ ଆଚରଣବିଧି । କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ ୨୦୧୯ରୁ ହିଁ ଦିଲ୍ଲୀରେ ତିନି ପ୍ରମୁଖ ଦଳ ଆପ୍, ବିଜେପି ଓ କଂଗ୍ରେସ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରି ସାରିଛନ୍ତି । ଆପର 'ଅଚ୍ଛେ ବିତେ ପାଞ୍ଚ ସାଲ୍, ଲଗେ ରହୋ କେଜ୍ରିୱାଲ' ନାରା । ସେପଟେ ବିଜେପିର ଗତ ସାଧାରଣ ନିର୍ବାଚନରେ ସାତଟି ଯାକ ଏମପି ସିଟ୍ ହାତେଇବା ସହ ଏମସିଡି ନିର୍ବାଚନରେ ବି ବାଜିମାତ କରିଛି । ଏସବୁ ସଫଳତାକୁ ନେଇ ବିଜେପିର ଆଶା ଦ୍ୱିଗୁଣିତ ହୋଇଛି ।

ଆଉ ଏଭଳି ସମୟରେ ବିରୋଧୀଙ୍କୁ ଚମକାଇ ଦେଇଛି ଏବିପି ନ୍ୟୁଜର ସର୍ଭେ । ଏବେ କ୍ଷମତାରେ ଥିବା ଆପ୍ ସପକ୍ଷରେ ହିଁ ଏହି ସର୍ଭେ ରିପୋର୍ଟ ଯାଉଛି । ରିପୋର୍ଟ କହୁଛି, ଆମ୍ ଆଦମୀ ପାର୍ଟି ୨୦୧୫ ନିର୍ବାଚନ ଫଳାଫଳର ପୁନରାବୃତ୍ତି କରିବ । ୭୦ ବିଧାନସଭା ଆସନରୁ ଗତ ନିର୍ବାଚନରେ ଆପ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ମଧ୍ୟ ୫୯ଟି ଆସନ ଦଳ ପାଇବ ବୋଲି ଏଥିରେ ଦର୍ଶାଯାଇଛି । ଆଉ ଗତଥର ପରି ଏଥର ମଧ୍ୟ ବିଜେପି ଦୁଇ ଅଙ୍କ ଛୁଇଁ ପାରିବନି ! ଅର୍ଥାତ ଗତ ଥର ବିଜେପି ୩ ଆସନ ପାଇଥିବା ବେଳେ ଏଥର ପୂର୍ବାପେକ୍ଷା ୨/୩ ଟି ଅଧିକ ଆସନ ପାଇପାରେ । ସେପଟେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିବ ବୋଲି ଏଥିରେ କୁହାଯାଇଛି ।  ସେହିପରି ସି ଭୋଟର୍ସ ସର୍ଭେ ମଧ୍ୟ ଏପରି କିଛି କହୁଛି । ଏହି ସର୍ଭେ ଅନୁସାରେ ଆପକୁ ୫୯, ବିଜେପିକୁ ୮ ଏବଂ କଂଗ୍ରେସକୁ ୩ ଟି ଆସନ ମିଳିବ ।  

ଗତ ସାଧାରଣ ନିର୍ବାଚନରେ ବିଜେପି ସମସ୍ତ ୭ଟି ଲୋକସଭା ଆସନରେ ଜିତିଥିବା ବେଳେ ଆପକୁ ଲାଗିଥିଲା ବଡ ଝଟକା । ୨୦୧୪ରେ ମଧ୍ୟ ବିଜେପି ସମସ୍ତ ଲୋକସଭା ଆସନରେ ଜିତିଥିଲା । ହେଲେ ୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦଳ ଆପକୁ ଲୋକମାନେ କ୍ଷମତାରେ ବସାଇଥିଲେ । ଯାହାକି ସେତେବେଳେ ସାଧାରଣ ନିର୍ବାଚନ ପରେ ପରେ ପ୍ରଥମ ବିଧାନସଭା ନିର୍ବାଚନରେ ବିଜେପିକୁ ଲାଗିଥିଲା ବଡ ଝଟକା । 

ଆଉ ଏବେ । ଲଗାତାର ଦୁଇଟି ରାଜ୍ୟରେ କ୍ଷମତାରୁ ବାହାରି ସାରିଛି ବିଜେପି । ଶିବସେନା ସହ ଝଗଡ଼ା କରି ମହାରାଷ୍ଟ୍ର ସିଂହାସନ ହାତଛଡ଼ା କରିଛି । ପାୱାରଙ୍କ ପାୱାରଫୁଲ ଗଣିତରେ ଶାହଙ୍କ ଅଙ୍କ ମାଡ଼ ଖାଇଯାଇଛି । ସେହିପରି ଝାଡ଼ଖଣ୍ଡରେ ମଧ୍ୟ ବିଜେପିକୁ ଲାଗିଛି 'ମହା' ଝଟକା । ରଘୁବର ସରକାର ହଟିଛି, ଏଣ୍ଟ୍ରି ମାରିଛି ସୋରେନ ସରକାର । ଆଞ୍ଚଳିକ ଦଳର ସାହାରା ନେଇ ବିଜେପିକୁ ଚକମା ଦେଇ ଚାଲିଛି କଂଗ୍ରେସ । ଆଉ ଏବେ ଦିଲ୍ଲୀ ପାଳି...!

ଗଣମାଧ୍ୟମ ତ ପ୍ରାକ୍ ସୂଚନା ଦେଇ ସାରିଛି । ଆପ୍ ସପକ୍ଷରେ ନିଜର ମତ ରଖି ସାରିଛି ।କିନ୍ତୁ ପ୍ରକୃତରେ କ'ଣ କେଜ୍ରିୱାଲ୍ ସରକାର ଦିଲ୍ଲୀବାସୀଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ଖୋଦ୍ ରାଜଧାନୀ ଦିଲ୍ଲୀରୁ ହିଁ ସାରା ଦେଶର ଶାସନ ଚାଲୁଛି, ତଥାପି ବି କାହିଁକି ଦିଲ୍ଲୀରେ ବିଜେପି ମାଟି କାମୁଡ଼ି ପଡ଼ିଛି ? ନିକଟ ଅତୀତରେ ସିଏଜି ରିପୋର୍ଟ କହୁଛି, ଆପ୍ ସରକାରର ସଫଳ ଗାଥା । ଦେଶର ଏକମାତ୍ର ରାଜ୍ୟ (କେନ୍ଦ୍ର ଶାସିତ ଅଞ୍ଚଳ) ଭାବେ ସରକାର ଲାଭରେ ଅଛନ୍ତି । ତାହା ପୁଣି ୫୦ ପ୍ରତିଶତ । ଏହା ଏକ ରେକର୍ଡ । ଶିକ୍ଷା ବଜେଟ ୬୬୦୦ କୋଟିରୁ ବୃଦ୍ଧି କରି ୧୫,୬୦୦ କୋଟିରେ ପହଞ୍ଚି ସାରିଛି । ବର୍ତ୍ତମାନ ଦିଲ୍ଲୀର ସରକାରୀ ଶିକ୍ଷାନୁଷ୍ଠାନ, ଘରୋଇ ଶିକ୍ଷାନୁଷ୍ଠାନ ଠାରୁ ଢେର ଆଗରେ । ସରକାରୀ ସ୍କୁଲରେ ସୁଇମିଂ ପୁଲ୍, ଅତ୍ୟାଧୁନିକ ଶିକ୍ଷା ଉପକରଣ ଇତ୍ୟାଦି ଅବିଭାବକଙ୍କ ମନ ଜିଣିପାରିଛି । ପିଲାଙ୍କୁ ଲୁଟୁଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ପେଟରେ ଲାତ ମାରିଛି । 

ବଜେଟର ୧୩ ପ୍ରତିଶତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି । ୪୦୦ ମହଲା କ୍ଲିନିକ୍ ଦିଲ୍ଲୀ ସରକାର ଖୋଲିଛନ୍ତି । ଦିଲ୍ଲୀର ଯେକୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ, ଆହତଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ସରକାର ବହନ କରୁଛନ୍ତି । ସିଏ ଦିଲ୍ଲୀର ହୁଅନ୍ତୁ, ଦେଶର ହୁଅନ୍ତୁ ଅବା ବିଦେଶର । ୨ ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ପାଇଁ ଦେୟମୁକ୍ତ କରାଯାଇଛି । ପ୍ରଥମ ରାଜ୍ୟ ଭାବେ ୨୪X୭ ବିଜୁଳି ସେବା ଲୋକଙ୍କୁ ମିଳୁଛି । ସୁରକ୍ଷା ପାଇଁ ୧.୪ ଲକ୍ଷ ସିସିଟିଭି ଲାଗିଛି । ମହିଳାଙ୍କ ପାଇଁ ବସରେ ମାର୍ଶଲ ନିୟୋଜନ କରାଯିବା ସହ ବସଯାତ୍ରା ମୁକ୍ତ କରାଯାଇଛି । ୪୩୦୦ ନୂଆ ଡିଟିସି ବସ ଆସିଛି । ମେଟ୍ରୋ ସେବାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି । ୯୩ ପ୍ରତିଶତ ଲୋକଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚିପାରିଛି । ୨୦ ହଜାର ଲିଟର ପର୍ଯ୍ୟନ୍ତ ଜଳ ଫ୍ରିରେ ମିଳୁଛି । ଯାହା ଫଳରେ ୧୩ ଲକ୍ଷ ପରିବାରକୁ ପାଣି ବିଲ ଦେବାକୁ ପଡ଼ୁନାହିଁ । ଡୋର ଷ୍ଟେପ ଡେଲିଭରିର ଫାଇଦା ୨।୬ ଲକ୍ଷ ଲୋକ ପାଇଛନ୍ତି । ଡୋର ଷ୍ଟେପ ଡେଲିଭରି ଅର୍ଥାତ ଏ ଅଫିସରୁ ସେ ଅଫିସ ନ ଦୌଡ଼ି ଅନଲାଇନରେ ଆବଶ୍ୟକ ଜିନିଷ ଘରେ ବସି ପାଇ ପାରିବା । ୧୨୮୧ କୋଲନୀରେ ନୂଆ ରାସ୍ତା ହୋଇଛି । 

ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ସେବା, ପାନୀୟ ଜଳ, ଗମନା ଗମନ, ମହିଳାଙ୍କ ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ ହୋଇଥିବା ବଡ଼ ପରିବର୍ତ୍ତନକୁ ମୁଦ୍ଦା କରିଛି ଆପ୍ । ସିଧାସଳଖ ଲୋକଙ୍କ ପାଖକୁ ଯାଇ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅନ୍ୟପଟେ କେନ୍ଦ୍ରୀୟ ଯୋଜନାକୁ ଆପ୍ ହଡ଼ପ କରିଥିବା ବିଜେପି ଚାରିଆଡ଼େ ପ୍ରଚାର କରୁଛି । ଦିଲ୍ଲୀ ସରକାରଙ୍କ ସମସ୍ତ ଦୋଷ ଦୁର୍ବଳତାର ପୋଷ୍ଟମର୍ଟମ୍ ହେଉଛି । ସବୁ ରାଜ୍ୟ ଭଳି ଜିଲ୍ଲୀରେ ବି ବିଜେପି ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନି । ତଥାପି ବି ଦିଲ୍ଲୀ ବିଜେପି ସଭାପତି ଥିବା ମନୋଜ ତିୱାରୀଙ୍କ ନାଁ ଚର୍ଚ୍ଚା ହେଉଛି ।

ଏଥର ଜନତାଙ୍କ ମତାଧିକାରର ଆଧାର କ'ଣ ହେବ, ତାହା କହିବା ମୁସ୍କିଲ । ଏବେ ସମସ୍ତଙ୍କ ଅପେକ୍ଷା ପେବ୍ରୁଆରୀ ୧୧କୁ  । ହେଲେ ଏବିପି କରିଥିବା ସର୍ଭେରେ ଦିଲ୍ଲୀବାସୀଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବରେ କେଜ୍ରିଓ୍ୱାଲ ବହୁ ଆଗରେ ରହିଛନ୍ତି । ପାଖାପାଖି ୭୦ ପ୍ରତିଶତ ଲୋକ କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଚାହୁଁଛନ୍ତି । ଏହା ସତ ସର୍ଭେ ସବୁବେଳେ ସତ ହୋଇ ନ ଥାଏ । କିନ୍ତୁ ବର୍ତ୍ତମାନର ଏହି ସର୍ଭେ ଦେଖିଲେ ମନେ ହେଉଛି ବିଜେପିକୁ ଦିଲ୍ଲୀ ବହୁ ଦୂର । ହୋଇପାରେ, ଝାଡ଼ଖଣ୍ଡର 'ମହା' ଝଟକାକୁ ବାଲିସେକ ଦେବ ଦିଲ୍ଲୀ ।

ଆହୁରି ପଢ଼ନ୍ତୁ; ଟ୍ରମ୍ପଙ୍କୁ Happy New Year କହିଲେ ମୋଦି, ଏକାସାଙ୍ଗରେ କାମ ଜାରି ରଖିବାକୁ କଲେ ଇଚ୍ଛାପ୍ରକଟ