ଗତ ୨ ମାସ ମଧ୍ୟରେ ଘଟିଥିବା କୌଣସି ଗୋଟାଏ ବି ହତ୍ୟାକାଣ୍ଡରେ କମିଶନରେଟ ପୋଲିସକୁ ସଫଳତା ମିଳିପାରିନାହିଁ
Trending Photos
ସରୋଜ ବେହେରା, ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢି ଚାଲିଛି ହତ୍ୟା, ଲୁଣ୍ଠନ ଓ ଅପରାଧ । ଗତ ୨ ମାସ ମଧ୍ୟରେ ଘଟିଥିବା କୌଣସି ଗୋଟାଏ ବି ହତ୍ୟାକାଣ୍ଡରେ କମିଶନରେଟ ପୋଲିସକୁ ସଫଳତା ମିଳିପାରିନାହିଁ । ପୋଲିସ ନିଜ ତଦନ୍ତ ବୈଷୟିକ ଜ୍ଞାନ କୌଶଳରେ ସୀମିତ କରି ଦେଇଛି । ଅପରାଧୀ ପୋଲିସର ଦୁଇ ପାଦ ଆଗକୁ ଯାଇ ଖୋଲା ଖୋଲି ଚ୍ୟାଲେଜ ଦେଇ ଚାଲିଛନ୍ତି । ଯାହାର ଉଦାହରଣ ଖଣ୍ଡଗିରି ସରକନ୍ତରା ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଧରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ପୋଲିସ । ସେପଟେ ଲୋକଙ୍କ ଆଭିମୁଖ୍ୟ ବଦଳାଇବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । କହିଛନ୍ତି ଲୋକେ ଆଇନର ଶାସନ ଓ ବିଭାଗ ପ୍ରତି ଚିନ୍ତାଧାରା ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି ।
“ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ସହଯୋଗ ବିନା ପୋଲିସ ସେବା ଯୋଗାଇ ଦେବା ସମ୍ଭବ ପର ନୁହଁ । ଐତିହାସିକ ଦୃଷ୍ଟିକୌଣରୁ ଆମ ସମାଜ ପୋଲିସକୁ ବିଶ୍ୱାସ କରିପାରୁନାହିଁ । ତାଳି ଗୋଟାଏ ହାତରେ ବାଜେ ନାହିଁ । ପୋଲିସ ନିଜକୁ ସୁଧାରୁ ବୋଲି ଲୋକେ ଦାବି କରୁଛନ୍ତି । ନିଜେ ଆଇନର ଶାସନ ଓ ବିଭାଗ ପ୍ରତି ଚିନ୍ତାଧାରା ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି । ପୋଲିସକୁ ବଦଳିବାକୁ କହିବା ପରିବର୍ତ୍ତେ ନିଜ ଆଭିମୁଖ୍ୟ ବଦଳାଓ” । ଏଭଳି କିଛି ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ
ରାଜଧାନୀରେ ଗତ କିଛି ମାସ ହେବ ଘଟିଚାଲିଛି ହତ୍ୟା, ରାହାଜାନୀ, ଲୁଟ ଓ ଡକାୟତି ଭଳି ମାମଲା । କୌଣସି ଗୋଟାଏ ବି ମାମଲାରେ କମିଶନରେଟ ପୋଲିସକୁ ମିଳୁନି ସଫଳତା । ନିଜ ଦୋଷ ଲୁଚାଇବାକୁ ଯାଇ ପୋଲିସ କମିଶନର ଲୋକଙ୍କୁ ସୁଧାରିବାକୁ ଦେଇଛନ୍ତି ପରାମର୍ଶ । ପୋଲିସ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଚିନ୍ତାଧାର ବଦଳାଇବାକୁ ଦେଇଛନ୍ତି ମତ । ହେଲେ ସେ ବୁଝି ପାରୁନାହାନ୍ତି ଯେ ଲୋକଙ୍କୁ ନେଇ ସାମଜ । ଆଉ ଯେଉଁ ସମାଜରେ ଲୋକେ ଅସୁରକ୍ଷିତ ସେମାନେ ଏହାର ରକ୍ଷକଙ୍କୁ ହିଁ କରିବେ ପ୍ରଶ୍ନ । ଏହା ଆମେ କହୁନୁ । ହତ୍ୟାର ଶୀକାର ହୋଇଥିବା ଲୋକଙ୍କ ପରିଜନ ମଧ୍ୟ କମିଶନରେଟ ପୋଲିସର ତଦନ୍ତ ଉପରେ ପ୍ରଶ୍ନ କରିଛନ୍ତି । ବାପାଙ୍କ ହତ୍ୟାକାରୀଙ୍କୁ ଧରିବାରେ କମିଶନରେଟ ପୋଲିସ କେବେ ବି ସଫଳ ହୋଇପାରିବ ନାହିଁ ବୋଲି ଦୁଃଖ ପ୍ରକାଶ କରି କହିଛନ୍ତି ମୃତକଙ୍କ ପୁଅ ।
ଗତ ମାସ ୧୮ ତାରିଖରେ ଭୁବନେଶ୍ୱର ରେଳବାଇ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମ ନିକଟରେ ଘଟିଥିବା ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ । ରେଳବାଇର ପୂର୍ବତନ କର୍ମଚାରୀଙ୍କୁ ଗଳାକାଟି କିଏ ନିର୍ମମ ଭାବେ କରିଥିଲେ ହତ୍ୟା । ଏହି ଘଟଣାକୁ ଏବେ ଏକ ମାସ ବିତିବାକୁ ବସିଛି । ହେଲେ ଏବେ ଯାଏ ପୋଲିସ ହାତରେ ଲାଗିନି ଗୋଟାଏ ବି ସୁରାଗ । କିଏ କାହିଁକି ତାଙ୍କୁ ହତ୍ୟାକଲା । ହତ୍ୟାକାରୀର ଅଭିପ୍ରାୟ କଣ । ତାହା ମଧ୍ୟ ପୋଲିସ ବାହାର କରିବାରେ ବିଫଳ ହୋଇଛି । ଏଭଳି କି ପୋଲିସ ସବୁ ଦିଗରୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି । ଏଥିଲାଗି ସ୍ଥାନୀୟ ଲୋକଙ୍କ ସୁଚନା ମୁତାବକ ହତ୍ୟାକାରୀର ସ୍କେଚ ଜାରି କରିବାକୁ ଯୋଜନା କରିଛି ପୋଲିସ । କମିଶନରେଟ ପୋଲିସର ଏହି ପଦକ୍ଷେପରେ ସେଭଳି କୌଣସି ସଫଳତା ମିଳିବ ବୋଲି ଆଶା କରୁନାହାନ୍ତି ପୂର୍ବତନ ପୋଲିସ ଅଧିକାରୀ । ପୋଲିସ ଏବେ ବୈଷୟିକ ତଦନ୍ତ ଉପରେ ବେଶି ଗୁରୁତ୍ୱ ଦେଉଥିବା ବେଳେ ଅପରାଧୀମାନେ ପୋଲିସଠାରୁ ଦୁଇ ପାଦ ଆଗରେ ରହୁଛନ୍ତି । ଲକ୍ଷ୍ମୀସାଗର ହତ୍ୟାକାଣ୍ଡରେ କେହି ବି ହତ୍ୟାକାରୀଙ୍କୁ ଭଲ ଭାବେ ଦେଖିନ ଥିବା ବେଳେ ସେମାନେ କିଭଳି ସ୍କେଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପୋଲିସ ଡିଜି ଏସଏନ ତିୱାରି ।
ଗୋଟାଏ ପରେ ଗୋଟାଏ ଅପରାଧ ସମାଜରେ ଲୋକଙ୍କ ମନରେ ଭୟର ବାତା ବରଣ ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ ଆଇନ ଶୃଙ୍ଖଳା, ତଦନ୍ତ ଉପରେ ବିଶେଷ ଗୁରୁତ୍ୱ ଦେବା ପୋଲିସ ଅଧିକାରୀଙ୍କ ମୁଖ୍ୟ ପ୍ରସଙ୍ଗ ହେବା ଜରୁରୀ । ପୋଲିସ ଉପଦେଶ ଦେବା ବଦଳରେ କାର୍ଯ୍ୟରେ କରି ଦେଖାଇଲେ ଲୋକେ ନିଜକୁ ସୁରକ୍ଷିତ ମଣିବା ସହ ପୋଲିସକୁ ପ୍ରଶ୍ନ ପଚାରିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ ।