ଆମେରିକା ସେନା କ୍ୟାମ୍ପ ଉପରେ ଏମିତି ରକେଟ୍ ମାଡ଼ କଲା ଇରାନ...
Advertisement
Article Detail0/zeeodisha/odisha621331

ଆମେରିକା ସେନା କ୍ୟାମ୍ପ ଉପରେ ଏମିତି ରକେଟ୍ ମାଡ଼ କଲା ଇରାନ...

ଇରାନର ପ୍ରତିଶୋଧ ନିଆଁରେ ଆମେରିକା ଘାଇଲା !

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପ୍ରତିଶୋଧ ନିଆଁରେ ଜଳୁଛି ଇରାନ୍ । ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ମାରିବା ପରେ ଏବେ ଚରମ ସୀମାରେ ପହଞ୍ଚିଛି ଉଭୟ ଦେଶର ବିବାଦ । ଆମେରିକାକୁ ପାନେ ଚଖାଇବା ପାଇଁ ଅଣ୍ଟା ଭିଡ଼ିଛି ଏହି ଦେଶ । ତୁହାକୁ ତୁହା ଇରାକ୍ ସ୍ଥିତ ଆମେରିକା ସେନା କ୍ୟାମ୍ପରେ ଇରାନ ହମଲା କରୁଛି । 

ମଙ୍ଗଳବାର ରାତିରେ ଇରାକ୍ ସ୍ଥିତ ଆମେରିକାର ସେନା କ୍ୟାମ୍ପରେ ବଡ଼ ହମଲା କରିଛି ଇରାନ୍ । ଆମେରିକା ଏୟାରବେସ ଅଲ ଅସଦ ଏବଂ ଡରାବିଲ ଉପରେ ଏକ ଡର୍ଜନରୁ ଉର୍ଦ୍ଧ୍ୱ ମିସାଇଲ ମାଡ଼ ହୋଇଛି । ଆମେରିକ୍ଷା ପ୍ରତିରକ୍ଷା ମନ୍ତ୍ରାଳୟ ଘଟଣାକୁ ସ୍ୱୀକାର କରିଛି । ଆଉ ଏହି ଆକ୍ରମଣ ପରେ ଇରାନକୁ କଡ଼ା ଚେତାବନୀ ମଧ୍ୟ ଦେଇଛି । ନିଜ ଦେଶର ସୈନିକଙ୍କ ସୁରକ୍ଷା ପାଇଁ ଆମେରିକା ସବୁପ୍ରକାର ପଦକ୍ଷେପ ନେବ ବୋଲି ରୋକ୍ ଠୋକ୍ କହିଛି ଯୁକ୍ତରାଷ୍ଟ୍ର । 

ଏପଟେ ଇରାନ ରାଜଧାନୀ ତେହରାନ ସ୍ଥିତ ଖବର ସରବରାହ ସଂସ୍ଥା କହିଛି, ଆଜି ଲଗାତାର ଦୁଇଥର ଆମେରିକା ସେନା ଠିକଣା ଉପରେ ଇରାନ ଆକ୍ରମଣ କରିଛି । ପ୍ରଥମ ଆକ୍ରମଣର ଏକ ଘଣ୍ଟା ପରେ ଦ୍ୱିତୀୟ ଆକ୍ରମଣ ହୋଇଥିଲା ।  ସେହିପରି ଇରାନର ଇସଲାମିକ ରିବୋଲ୍ୟୁଶନରୀ ଗାର୍ଡ଼ସ କର୍ପ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଇରାକ୍ ସ୍ଥିତ ଆମେରିକା ଏୟାରବେସ ଉପରେ ଆମେ ରକେଟ ମାଡ଼ କରିଛୁ । 

ସେପଟେ ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ସବୁ ଠିକ୍ ଅଛି(All is well)। ଆମ ପାଖରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ରହିଛି । ଆସନ୍ତାକାଲି ସକାଳୁ ବିବୃତ୍ତି ରଖିବି।''

ତେବେ ଏସବୁ ଭିତରେ ଉଭୟ ଦେଶ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଉଗ୍ରରୂପ ଧାରଣ କରୁଛି । ଆଉ ଏହାକୁ ନେଇ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶ ଚିନ୍ତାବ୍ୟକ୍ତ କଲେଣି । ବିଶ୍ୱର ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ହେଲେ , ପରିଣାମ କେତେ  ଭୟାବହ ହୋଇପାରେ, ଏକଥା ସହଜରେ ଅନୁମେୟ ।

ଆହୁରି ପଢ଼ନ୍ତୁ; ସୁଲେମାନୀଙ୍କୁ ଅଲବିଦା କହିବାକୁ ଜନସମୁଦ୍ର