ବିରୋଧୀଙ୍କ ମୁହଁବନ୍ଦ ! ସିଏଏକୁ ସମର୍ଥନ ଦେଲେ ଜମ୍ମୁବାସୀ
Advertisement

ବିରୋଧୀଙ୍କ ମୁହଁବନ୍ଦ ! ସିଏଏକୁ ସମର୍ଥନ ଦେଲେ ଜମ୍ମୁବାସୀ

ଏପଟେ ବିରୋଧ, ସେପଟେ ସମର୍ଥନ...ନାଗରିକତା ଆଇନକୁ ଜମ୍ମୁବାସୀଙ୍କ ସମର୍ଥନ...କେବଳ ଉତ୍ତର ପ୍ରଦେଶରେ ୭୦୫ ଆନ୍ଦୋଳନକାରୀ ଗିରଫ...

ଜମ୍ମୁ ବୁଝିଲା ସିଏଏ ମହତ୍ତ୍ୱ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ନାଗରିକତା ଆଇନ ବିରୋଧୀ ଆନ୍ଦୋଳନକୁ ପାକିସ୍ତାନର ସମର୍ଥନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ କରି ଭାରତ ସରକାରଙ୍କୁ  ଟାର୍ଗେଟ କରିଛନ୍ତି । ଭାରତ ସରକାର ଦେଶକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏନଆରସି ଓ ସିଏଏ ଆଇନ ପ୍ରଣୟନ କରିଛନ୍ତି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଇମ୍ରାନ ଖାନ । 

ସେପଟେ ସିଏଏ ଓ ଏନଆରସି ଆଇନ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ସାରା ଦେଶରେ ଏକ ହଜାର ରାଲି ଆୟୋଜନ କରି ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି । ୨୫୦ ଗଣମାଧ୍ୟମରେ ବାର୍ତ୍ତା ଦେବା ସହ  ୧୦ ଦିନ ମଧ୍ୟରେ ୩ କୋଟି ପରିବାରକୁ ନୂଆ ଆଇନ ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ନାଗରିକତା ଆଇନ୍ ବିରୋଧରେ ଦେଶବ୍ୟାପୀ ବିରୋଧ ଜାରି ରହିଥିବା ବେଳେ ଜମ୍ମୁରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଜମ୍ମୁର ମୁସଲିମ୍ ସମ୍ପ୍ରଦାୟର ଲୋକେ ଦେଶବାସୀଙ୍କୁ ଶାନ୍ତି ସନ୍ଦେଶ ବାଣ୍ଟିବା ସହ  ନାଗରିକତା ଆଇନ ଦ୍ୱାରା ଦେଶବାସୀଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି । ଏପରି ଆଇନର ଆବଶ୍ୟକତା ଥିଲା ବୋଲି ମୁସଲିମ ପ୍ରଦର୍ଶନକାରୀ ମତ ରଖିଛନ୍ତି ।

ସେପଟେ ଜମ୍ମୁବାସୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଶିକ୍ଷାବିତ । ଦୀର୍ଘ ବର୍ଷ ଧରି ଦେଶରେ ଶରଣାର୍ଥୀ ନିର୍ଯ୍ୟାତିତ ଜୀବନ ବିତାଉଥିବାରୁ ସେମାନଙ୍କୁ ସରକାର ନ୍ୟାୟ ଦେବା ପାଇଁ ପ୍ରୟାସ କରିଛନ୍ତି ବୋଲି ପ୍ରଦର୍ଶନକାରୀମାନେ ମତ ରଖିଛନ୍ତି । ଦିଲ୍ଲୀରେ ଏକାଠି ହୋଇଥିବା ହଜାରେରୁ ଅଧିକ ଶିକ୍ଷାବିତ ନାଗରିକତା ଆଇନକୁ ସମର୍ଥନ କରିଛନ୍ତି । ଭାରତରେ ଶରଣାର୍ଥୀଙ୍କୁ ସ୍ଥାନ ମିଳିଲେ ମାନବାଧିକାର ମିଳିବ ବୋଲି ସେମାନେ କହିଛନ୍ତି । ଆସାମ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ନାଗରିକତା ଆଇନ ବିରେୋଧରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ଜମ୍ମୁବାସୀଙ୍କ ଶାନ୍ତି ପ୍ରଦର୍ଶନ ଦେଶବାସୀଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି । ଜମ୍ମୁ, ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ସପକ୍ଷବାଦୀଙ୍କ ରାଲି ଦେଖିବାକୁ ମିଳିଛି । ଦିଲ୍ଲୀର କର୍ଣ୍ଣାଟ ପ୍ଲେସରେ ମଧ୍ୟ ନାଗରିକତା ଆଇନ ସପକ୍ଷରେ ଶୋଭାଯାତ୍ରା କରାଯାଇଛି । କିଛି ଲୋକ ଜାଣିଶୁଣି ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରି ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି ସେମାନେ କହିଛନ୍ତି ।

ସେପଟେ ନାଗରିକତା ବିରୋଧୀ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର ।  ମୁଜାଫରପୁରରେ ହିଂସାକାଣ୍ଡରେ ସମ୍ପୃକ୍ତ ଲୋକମାନଙ୍କୁ ଚିହ୍ନଟ କରାଯିବା ସହ ୪୭ ଦୋକାନକୁ ସିଲ କରାଯାଇଛି । ପ୍ରଶାସନ ପକ୍ଷରୁ ଲକ୍ଷ୍ନୌରେ ୨୧୮, ମେରଟରେ ୧୦୨ ଜଣଙ୍କ ସମେତ ମୋଟ  ୭୦୫ ଜଣଙ୍କୁ ଗିରଫ କରାଯାଇଛି । ଅଶାନ୍ତି ସୃଷ୍ଟି କରୁଥିବା ଲୋକମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ଓପି ସିଂହ କହିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପିଲ କରିଛନ୍ତି । ରାଜ୍ୟରେ ନାଗରିକତା ଆଇନ ବିରୋଧୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ବିରୋଧ ପ୍ରଦର୍ଶନରେ ବିଜାନୌରରେ ୨ ଜଣ, ମେରଟ, ସମ୍ଭଲ, କାନପୁର, ଫିରୋଜାବାଦରେ ଜଣେ ଲେଖାଏଁ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ଶନିବାର ଉତ୍ତରପ୍ରଦେଶର ସମସ୍ତ ସ୍କୁଲ, କଲେଜ ଓ ୟୁନିଭରସିଟି ବନ୍ଦ ରହିଛି । ଶୁକ୍ରବାର ଗୋରଖପୁରରେ ପୋଲିସ ଉପରେ ପଥରମାଡ଼ କରିଥିବା ଆନ୍ଦୋଳନକାରୀଙ୍କ ଫଟୋ ସାର୍ବଜନୀନ କରାଯାଇଛି । ଉତ୍ତର ପ୍ରଦେଶର ୧୫ର ଅଧିକ ଜିଲ୍ଲାରେ ହୋଇଥିବା ବିରୋଧ ପ୍ରଦର୍ଶନରେ ୩୮ରୁ ଅଧିକ ପୋଲିସ ଆହତ ହୋଇଛନ୍ତି । ରାଜ୍ୟର ୧୨ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

ଲକ୍ଷ୍ନୌରେ ହିଂସାକାଣ୍ଡ ପଛରେ ବାଂଲାଦେଶୀଙ୍କ ହାତ ଥିବା ଜଣାପଡ଼ିଛି । ସମ୍ପୃକ୍ତି ଅଭିଯୋଗରେ ପଶ୍ଚିମବଙ୍ଗର ମାଲଦାରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ମଧ୍ୟ ଜାମିଆ, ଲକ୍ଷ୍ମୌ ସମେତ କିଛି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଦିଲ୍ଲୀର ଗରିଆଗଞ୍ଜରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ୧୫ ଗିରଫଙ୍କୁ ଶନିବାର ତୀସ ହଜାରୀ କୋର୍ଟରେ ହାଜର କରାଯାଇଥିଲା । ଉତ୍ତରପ୍ରଦେଶରେ କିଛି ସହରରେ ହିଂସାତ୍ମକ ଆନ୍ଦୋଳନ ହୋଇଛି । କାନପୁରର ୟମିନଖାନା ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ପ୍ରଦର୍ଶନକାରୀମାନେ କିଛି ଦୋକାନରେ ନିଆଁ ଲଗାଇଦେବା ପରେ ପୋଲିସ ଲାଠି ଚାର୍ଜ କରିଛି । ଶାନ୍ତି ବଜାୟ ରଖିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ନାଗରିକତା ଆଇନ୍ ବିରୋଧରେ ବିହାରରେ ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି ।  ଆରଜେଡି ପକ୍ଷରୁ  ବିହାରରେ ବନ୍ଦ  ପାଳନ ହୋଇଛି । ଦରଭଙ୍ଗା, ସମସ୍ତିପୁର, ପାଟନାରେ ପ୍ରଦର୍ଶନ ହେବା ସହ ଅନେକ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ବୈଶାଳୀରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ଆନ୍ଦୋଳନ ଯୋଗୁଁ ଏନଏଚ ୨୨ରେ ଗାଡ଼ି ଚଳାଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଥିଲା । ଆନ୍ଦୋଳନ ଯୋଗୁଁ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ଆହୁରି ପଢନ୍ତୁ; 'ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକ ଦେଶର ଶତ୍ରୁ'