ଆପ୍ ପାଇଁ ରଣନୀତି ପ୍ରସ୍ତୁତ କରିବେ ବିଶିଷ୍ଟ ନିର୍ବାଚନୀ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର
Advertisement
Article Detail0/zeeodisha/odisha609772

ଆପ୍ ପାଇଁ ରଣନୀତି ପ୍ରସ୍ତୁତ କରିବେ ବିଶିଷ୍ଟ ନିର୍ବାଚନୀ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର


ଆପ୍ ସହ I-PAC, ବିରୋଧୀ ଶିବିରରେ ଛନକା

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ସାଥ୍ ଦେଲେ ବିଶିଷ୍ଟ ନିର୍ବାଚନୀ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ । ନିର୍ବାଚନୀ ଗଣିତରେ ମାଟି ଛୁଇଁ ସୁନା କରିପାରୁଥିବା ଏହି ନିର୍ବାଚନୀ ଷ୍ଟ୍ରାଟେଜିଷ୍ଟ ଆପ୍ ପାଇଁ ରଣନୀତି ପ୍ରସ୍ତୁତ କରିବା ସ୍ପଷ୍ଟ ହେବା ପରେ ଏବେ ଚର୍ଚ୍ଚା ସରଗରମ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ଅନ୍ୟପଟେ ବିରୋଧୀ ଶିବିରରେ ଛନକା ପଶିଥିବା କୁହାଯାଉଛି । 

ଆଜି ସକାଳୁ ଅରବିନ୍ଦ କେଜ୍ରିୱାଲ ଏନେଇ ଏକ ଟ୍ୱିଟ କରିଛନ୍ତି । ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି(I-PAC) ଏଥର ଆପ ସହ ଥିବା କହିଛନ୍ତି କେଜ୍ରିୱାଲ । ଆପଣଙ୍କୁ ସ୍ପଷ୍ଟ କରିଦେଉଛୁ,  I-PAC ପ୍ରଶାନ୍ତ କିଶୋରଙ୍କ ଏକ ସଂସ୍ଥା । ଯେଉଁ ସଂସ୍ଥା ଓପଚାରିକ ଭାବେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର କରିଥାଏ । ଦେଶରେ ଏବେ ବେଶ ଚର୍ଚ୍ଚିତ I-PAC । ପ୍ରଶାନ୍ତ ଯେଉଁ ଦଳ ସହ ହାତ ମିଳାନ୍ତି, ନିର୍ବାଚନରେ ସେହି ଦଳର ବିଜୟ ଗୋଟିଏ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଇଥାଏ । 

ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏବେ ଦିଲ୍ଲୀ ବିଧାନସଭାରେ ଆମ ଆଦମୀ ପାର୍ଟି(ଆପ୍)ର ସରକାର ରହିଛି । ଅନ୍ୟପଟେ କେନ୍ଦ୍ରରେ ବିଜେପି ସରକାର । ସାରା ଦେଶରେ ମୋଦି ହାୱା ଥିବା ବେଳେ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ରାଜଧାନୀ ଦିଲ୍ଲୀରେ ବିଜୟ ବାନା ଉଡାଇଥିଲା ଆପ୍ । ଆଉ ଏଥର ଆପକୁ ଟକ୍କର ଦେବା ପାଇଁ ବିଜେପି ଜୋରସୋରରେ ପ୍ରସ୍ତୁତ କରୁଛି । ତେବେ ବିଜୟ ଧାରାକୁ ରିପିଟ୍ କରିବା ଲକ୍ଷ୍ୟରେ ଆମ ଆଦମୀ ପାର୍ଟି । ଆଉ ଏହାରି ଭିତରେ ଆପକୁ ସାଥ୍ ଦେଇଛି I-PAC । 

କାହିଁକି I-PACକୁ ନେଇ ଏତେ ଚର୍ଚ୍ଚା

ଜେଡିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଶିଷ୍ଟ ନିର୍ବାଚନୀ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ସଂସ୍ଥା I-PAC। ରାଜନୈତିକ ଦଳଙ୍କ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରେ ଏବଂ ସେ କ୍ଷେତ୍ରରେ କାମ କରିଥାଏ ଏହି ସଂସ୍ଥା । ଏଥିପାଇଁ ପ୍ରଶାନ୍ତଙ୍କ ପାଖରେ ଏକ ବଡ ଟିମ କାମ କରନ୍ତି । ଜନମତ କ'ଣ ରହିଛି, ଜନତା କ'ଣ ଚାହୁଁଛନ୍ତି, ଏମିତି ବିଭିନ୍ନ ଦିଗକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥାଏ । 

I-PACର ସଫଳତା

କୁହାଯାଏ, ପ୍ରଶାନ୍ତ ମାଟି ଛୁଇଁଲେ ସୁନା ହୋଇଯାଏ । ବହୁ କ୍ଷେତ୍ରରେ ସେ ଏହା ପ୍ରମାଣ ମଧ୍ୟ କରିଛନ୍ତି । ୨୦୧୫ରେ ଜେଡିୟୁ ପାଇଁ ରଣନୀତି ପ୍ରସ୍ତୁତ କରି ସଫଳ ହୋଇଥିଲେ ପ୍ରଶାନ୍ତ । ସେହିପରି ୨୦୧୭ରେ ପଞ୍ଚାବ କଂଗ୍ରେସ ସେ କରିଥିବା ରଣନୀତି ବେଶ ସଫଳ ହୋଇଥିଲା । ସେହିପରି ୨୦୧୯ରେ ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ପାଇଁ କାମ କରିଥିଲେ ପ୍ରଶାନ୍ତ । ଆଉ ବିପୁଳ ଜନମତରେ କ୍ଷମତାକୁ ଆସିଥିଲା ଜଗନଙ୍କ ଦଳ ୱାଇଏସଆରସିପି । ତେବେ ୨୦୧୭ରେ ଉତ୍ତରପ୍ରଦେଶ କଂଗ୍ରେସ ପାଇଁ ଯଦିଓ ପ୍ରଶାନ୍ତ କିଶୋର କାମ କରିଥିଲେ, ଏଥିରେ ସଫଳତା ମିଳିନଥିଲା । 

ଆହୁରି ପଢନ୍ତୁ; ସାମ୍ନାରେ 'ଯମ' ! ଖିଆପିଆ କମାଇ ଦେଲେଣି 'ନିର୍ଭୟା' ଅପରାଧୀ