Trending Photos
ନୂଆଦିଲ୍ଲୀ: ଯବାନଙ୍କୁ ପରିବାର ସହିତ ରହିବା ପାଇଁ ସୁଯୋଗ ଦେବାକୁ ଚାହୁଁଛନ୍ତି ସରକାର । ବର୍ଷକୁ ଅତି କମରେ ଶହେ ଦିନ ନିଜ ପରିବାର ସହିତ ରହିବା ପାଇଁ ଯବାନଙ୍କୁ ସୁଯୋଗ ଦେବାକୁ ସରକାର ଯୋଜନା କରୁଛନ୍ତି । ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା କହିଛନ୍ତି ।
ବିଏସଏଫର ୫୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନୁପ୍ରବେଶ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଭାରତୀୟ ଯବାନ । ଭାରତୀୟ ସେନାକୁ ଆଧୁନିକ ସୁରକ୍ଷା ଉପକରଣ ଯୋଗାଇବା ସହ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି । ସେପଟେ କର୍ତ୍ତାରପୁର ପ୍ରସଙ୍ଗ ନେଇ ମଧ୍ୟ ମତ ରଖିଥିଲେ କେନ୍ଦ୍ରମନ୍ତ୍ରୀ ।
କରିଡର ନିର୍ମାଣ ପଛରେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ଥିବା ଏବେ ସାମ୍ନାକୁ ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ କରିଡର ନିର୍ମାଣ ପାକିସ୍ତାନ ସେନାଧ୍ୟକ୍ଷ ବାଜୱାଙ୍କ ନିଷ୍ପତ୍ତି ବୋଲି ପାକ୍ ରେଳମନ୍ତ୍ରୀ ଶେଖ ରସିଦ କହିଛନ୍ତି । କର୍ତ୍ତାରପୁରକୁ ମାଧ୍ୟମ କରି ଭାରତକୁ ଗୋଟିଏ ପରେ ଗୋଟିଏ ଚକମା ଦିଆଯିବ ବୋଲି ରସିଦ କହିଛନ୍ତି । ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପଞ୍ଜାବର ଶିରୋମଣି ଅକାଳୀ ଦଳ ନେତା ମନଜିନ୍ଦର ସିଂହ । କରିଡର ନିର୍ମାଣ ପଛରେ ଯଦି ପାକିସ୍ତାନର ଏପରି ଉଦ୍ଦେଶ୍ୟ ଥାଏ, ତେବେ ଏହା ଲଜ୍ଜାଜନକ ବୋଲି ମନଜିନ୍ଦର କହିଛନ୍ତି ।
ସେହିପରି ଭାରତର ଶିଖ ସଂପ୍ରଦାୟ ଉପରେ ଆପତ୍ତିଜନକ ବୟାନ ଦେଇଛନ୍ତି ପାକିସ୍ତାନ ତହରିକ ଲବୈକ ନେତା ଖଦିମ ରିଜୱି । ଶିଖ ୟୁନିଭରସିଟି ଓ କରିଡର ନିର୍ମାଣ ପାଇଁ ପାକିସ୍ତାନ ଦେଶ ଗଠନ ହୋଇନାହିଁ ବୋଲି ସେ କହିଛନ୍ତି । ଯେଉଁ ପାକିସ୍ତାନୀମାନେ ଏପରି ଚାହୁଁଛନ୍ତି ସେମାନେ ପାକିସ୍ତାନ ସୀମା ଅତିକ୍ରମ କରି ଅମୃତସର ଚାଲିଯାଆନ୍ତୁ ବୋଲି ରିଜୱୀ କହିଛନ୍ତି ।
ନଭେମ୍ବର ୯ ତାରିଖରେ ଭାରତ ପକ୍ଷରୁ କର୍ତ୍ତାରପୁର କରିଡର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟର୍ମିନାଲର ଉଦଘାଟନ କରିଥିଲେ । କର୍ତ୍ତାରପୁର କରିଡରର ଉଦଘାଟନ ଦିନରେ ଭାରତୀୟ ଶ୍ରଦ୍ଧାଳୁଙ୍କଠାରୁ ପ୍ରବେଶ ଶୁଳ୍କ ନିଆଯିବ ନାହିଁ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଫି ଆଦାୟ ହୋଇଥିଲା । ଏହାସହିତ ଭାରତୀୟ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ଉପରେ ଆଉ ଏକ ଶକ୍ତ ଆଘାଟ ଦେଇଥିଲା ପାକିସ୍ତାନ । ଗୁରୁ ନାନକ ଦେବଙ୍କ ପୀଠରୁ ୧୯୭୧ ଯୁଦ୍ଧ ସମୟରେ ବ୍ୟବହାର ହୋଇଥିବା ଏକ ବୋମାର ଖଣ୍ଡିତାଂଶକୁ ପ୍ରଦର୍ଶନ କରି ଭାରତୀୟ ସେନାକୁ ଟାର୍ଗେଟ କରିଥିଲା ପାକିସ୍ତାନ ।
ଭାରତୀୟ ସେନା ଯୁଦ୍ଧ ସମୟରେ କର୍ତ୍ତାରପୁର ସାହିବ ଉପରେ ମଧ୍ୟ ବୋମାମାଡ଼ କରିଥିଲା ବୋଲି କରିଡର ଉଦଘାଟନର ଗୋଟିଏ ଦିନ ପୂର୍ବରୁ ଭାରତ ବିରୋଧରେ ଅପପ୍ରଚାର କରିଥିଲା ପାକିସ୍ତାନ । ଦୀର୍ଘ ୭୦ ବର୍ଷ ପରେ କର୍ତ୍ତାରପୁର କରିଡରର ଉଦଘାଟନ ହେବାକୁ ନେଇ ଭାରତୀୟ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇଥିବାବେଳେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଏପରି କାର୍ଯ୍ୟ ଭାରତୀୟ ଶ୍ରଦ୍ଧାଳୁ ଏବଂ ଦେଶ ପାଇଁ ନୂଆ ବିପଦ ସୃଷ୍ଟି କରୁଛି ।
ଆହୁରି ପଢନ୍ତୁ; ସୁପ୍ରିମକୋର୍ଟଙ୍କୁ BCCIର ସଂଶୋଧିତ ପ୍ରସ୍ତାବ, ବଢିପାରେ 'ଦାଦା'ଙ୍କ କାର୍ଯ୍ୟକାଳ