ବଦଳିଛି ବିଧାନସଭାର ସଂଜ୍ଞା
Advertisement
Article Detail0/zeeodisha/odisha796029

ବଦଳିଛି ବିଧାନସଭାର ସଂଜ୍ଞା

ସରକାର ଯେତିକି ବିଲ ପାରିତ କରିବା କଥା, ତାହା କରି ଦେଉଛନ୍ତି। ଆଉ ତା ପରେ ଗୃହକୁ ଅଧିବେଶନ ସରିବା ପୂର୍ବରୁ ସାଇନଡାଏ କରି ଦେଉଛନ୍ତି। 

 

ବଦଳିଛି ବିଧାନସଭାର ସଂଜ୍ଞା

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ:  ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ଶେଷ ହୋଇଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଶେଷ ଦିନରେ ବ୍ୟୟମଞ୍ଜୁରୀ ବିଲ ପାରିତ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ଗୃହକୁ ମୁଲତବୀ (assembly adjourned) କରିଛନ୍ତି। ତେବେ ଏଥର ଆରମ୍ଭରୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ନେଇ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। କୋରୋନା ପାଇଁ ପ୍ରଶ୍ନକାଳ ନ ଥିବାରୁ ସରକାର ଏହାର ପୂରା ଫାଇଦା ନେଇଛନ୍ତି। ଆଉ ବିରୋଧୀ (Opposition) ମଧ୍ୟ ହୋହଲ୍ଲା ଓ ହଙ୍ଗାମା କରି ନିଜ ପାରିବାପଣିଆକୁ ଦେଖାଇଛନ୍ତି। ଭଲା ସରକାର ବା କେମିତି ଛାଡ଼ନ୍ତେ। ବିରୋଧୀ ଯେତେ ହଙ୍ଗାମା କଲେ, ବାଚସ୍ପତି ଗୃହକୁ ସେତେ ମୁଲତବୀ କଲେ। ଏହି କିଛି ବର୍ଷ ହେଲା, ପ୍ରତି ଅଧିବେଶନରେ ଗୋଟିଏ ସାଧାରଣ ଘଟଣା ଘଟୁଛି। ସରକାର ଯେତିକି ବିଲ ପାରିତ କରିବା କଥା, ତାହା କରି ଦେଉଛନ୍ତି। ଆଉ ତା ପରେ ଗୃହକୁ ଅଧିବେଶନ ସରିବା ପୂର୍ବରୁ ସାଇନଡାଏ କରି ଦେଉଛନ୍ତି। 

ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଧାନସଭାରେ ଜଣେ ବିଧାୟକ (MLA) ନିଜ ଅଞ୍ଚଳର ପ୍ରସଙ୍ଗ ଉଠାଇଥାଏ। ନିଜ ଅଞ୍ଚଳର ସମସ୍ୟାକୁ ସରକାରଙ୍କ ଆଗରେ ଉତ୍ଥାପନ କରିଥାଏ। ରାଜ୍ୟର ବା ଦେଶର ପ୍ରମୁଖ ପ୍ରସଙ୍ଗକୁ ନେଇ ବିଧାନସଭା (Odisha Assembly) ରେ ଆଲୋଚନା କରାଯାଏ। ଏଠି ଯୋକୌଣସି ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ ହିଁ ହୋଇଥାଏ। କିନ୍ତୁ, ଏଠି ତ ପ୍ରଶ୍ନକାଳ ନାହିଁ, ବିଧାୟକଙ୍କ ନିଜ ଅଞ୍ଚଳର ସମସ୍ୟା ଦୂର ହେବ କେମିତି ? ଆଉ ସମୟ ପୂର୍ବରୁ ଅଧିବେଶନ ବନ୍ଦ ହେବେ କାହାକୁ ନେଇ କେଉଁଠି ଆଲୋଚନା ହେବ ?

Also Read: ୩୦ ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ, ଲାଭ କାହାର?

ପରୀ ହତ୍ୟାକାଣ୍ଡ (Pari Murder case) କୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରେସମିଟ୍ କରିଥିଲେ। ସରକାର SIT ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ନେଇ କଂଗ୍ରେସ ନିଜର ବାହା ବାହା ନେଇଥିଲା। ଏହାସହ ବିଜେପି ଉପରେ ମଧ୍ୟ ବର୍ଷିଥିଲା। ସେହିପରି ବିଜେପି ମଧ୍ୟ ପ୍ରେସମିଟ୍ କରି କଂଗ୍ରେସକୁ ଟାର୍ଗେଟ୍ କରିଥିଲା। ମୂଳ ପ୍ରସଙ୍ଗରେ ଆଲୋଚନା ନ କରି ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ କେବଳ ନିଜ ନିଜ ଉପରକୁ କାଦୁଅ ଫିଙ୍ଗିଲେ। 

ଅନ୍ୟପଟେ ସରକାର ବିରୋଧୀଙ୍କ ଦୁର୍ବଳତାର ସୁଯୋଗ ନେଇ ମାସେ ପୂର୍ବରୁ ବିଧାନସଭାକୁ ବନ୍ଦ କରିଦେଲେ। ହୁଏତ ବିଧାନସଭା ବନ୍ଦ ହୋଇ ନ ଥିଲେ, ପରୀ ହେଉ ଅବା ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଆହୁରି ଘେରିଥାନ୍ତେ। ତେଣୁ, ସରକାର ବା କାହିଁକି ଏତେ ଟେନସନ ନେଇଥାନ୍ତେ। ସିଧା ବିଧାନସଭାକୁ ବନ୍ଦ କରିଦେଲେ ଗଲା। କେହି ପ୍ରଶ୍ନ କରିବାକୁ ବି ନାହାନ୍ତି। ବିରୋଧୀ ବି ସେମାନଙ୍କ ବାଟରେ ଠିକ୍। ସରକାର ଯଦି ଆଲଚନା କରିବାକୁ ନ ଚାହିଁବେ, ସେମାନେ ବା କଣ କରିବେ।

Also Read: 'ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ ‘ପରୀ’କୁ ନ୍ୟାୟ ଦେବାରେ ପ୍ରତିବନ୍ଧକ'

ସଂସଦରେ ବି ହଙ୍ଗାମା ହୁଏ। ବିରୋଧୀ ଯେକୌସି ପ୍ରସଙ୍ଗରେ ସରକାରଙ୍କୁ ଘେରିଥାନ୍ତି। ଲୋକସଭାରେ ବାଚସ୍ପତି ହେଉ ଅବା ରାଜ୍ୟସଭାରେ ଅଧ୍ୟକ୍ଷ ବି ଗୃହକୁ ମୁଲତବୀ କରନ୍ତି। କିନ୍ତୁ, ଏହାରି ଭିତରେ ଗୃହରେ ଆଲୋଚନା ବି ହୁଏ। କିନ୍ତୁ, ବିଧାନସଭାରେ ସେଭଳି କାହିଁକି ହୁଏନି ? ଏହା କେବଳ ଆମ ରାଜ୍ୟର ବିଧାନସଭାରେ ଏମିତି ହୁଏ, ନା ଅନ୍ୟ ରାଜ୍ୟରେ ବି ହୁଏ ? ନିଜ ବିଧାୟକଙ୍କ ଉପରେ ଭରସା କରି ଲୋକେ ସେମାନଙ୍କୁ ଗଣତନ୍ତ୍ରର ମନ୍ଦିରକୁ ପଠାଇଥାନ୍ତି। ବିଧାନସଭାରେ ଆଲୋଚନା କରିବାକୁ ଅନେକ ପ୍ରସଙ୍ଗ ଥିଲା। ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିଥିଲେ। ସରକାରଙ୍କୁ ଘେରିବାକୁ ବିରୋଧୀ ଖସଡ଼ା ପ୍ରସ୍ତୁତ କରିଥିଲେ। ଆଉ ସରକାର ମଧ୍ୟ ଜବାବ ଦେବାକୁ ତୟାର ଥିଲେ। କିନ୍ତୁ, ସର୍ବୋପରି ହେଲା କଣ ? ୧୦ ଦିନ ଭିତରେ ବିଧାନସଭା ହିଁ ସରିଗଲା। 

Also Read: ରାଜ୍ୟ ରାଜନୀତିର ଦିଗ କୁଆଡ଼େ, ଦକ୍ଷିଣ ସେନାପତିଙ୍କ ହାତେ ଓଡ଼ିଆ ନେତାଙ୍କ ଭାଗ୍ୟ !

ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୨ ତେଣୁ ସରକାର ଯାହା ଚାହିଁଲେ ତାହା କରିବେ। ବିରୋଧୀ ସ୍ୱର ଉଠାଇଲେ ବି ତାହା ସାଣିତ ହେବ ନାହିଁ। ଅତୀତରେ ବି ଏମିତି ଅନେକ ଘଟଣା ନଜିର ରହିଛି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବି ବିଧାନସଭା ବହୁଥର ସମୟ ଆଗରୁ ଶେଷ ହୋଇଥିଲା। ବିରୋଧୀ ସେତେବେଳେ ଯେତେ ହଟୋଗୋଳ କଲେ ବି କିଛି ଫରକ ପଡୁ ନଥିଲା। କିନ୍ତୁ ମାସେ ପୂର୍ବରୁ ବିଧାନସଭା ଅଧିବେଶନ ବନ୍ଦ କରିବା ବୋଧ ହୁଏ ଏହା ପ୍ରଥମ ଘଟଣା। ତେଣୁ, କହିବାକୁ ଗଲେ ଏବେ ବିଧାନସଭାର ସଜ୍ଞା ହିଁ ବଦଳି ଯାଇଛି। ସଂଖ୍ୟା ଗରିଷ୍ଠତା ଯାହାର, ମନମାନୀ ତାହାର। ଅଧିବେଶନ କହିଲେ, କେବଳ ହୋହଲ୍ଲା, ହଙ୍ଗାମା ଓ ମୁଲତବିକୁ ହିଁ ବୁଝାଉଛି।