୩୦ ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ, ଲାଭ କାହାର?
Advertisement

୩୦ ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ, ଲାଭ କାହାର?

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ସ୍ୱୀକାର କରି ବାଚସ୍ପତି ଶୀତ ଅଧିବେଶନ ସରିଥିବା (winter session conclude) ଘୋଷଣା କରିଛନ୍ତି।

୩୦ ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ନିର୍ଦ୍ଧାରିତ ସମୟଠୁ ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ। କୋଭିଡ କଟକଣା ଭିତରେ ମାତ୍ର ୧୦ ଦିନ ଗୃହ ଚାଲିବା ପରେ ରବିବାର ଅଧିବେଶନ (winter session) ଶେଷ ହୋଇଛି। ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ସ୍ୱୀକାର କରି ବାଚସ୍ପତି ଶୀତ ଅଧିବେଶନ ସରିଥିବା (winter session conclude) ଘୋଷଣା କରିଛନ୍ତି।

ପ୍ରମିଳା ମଲ୍ଲିକ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବିଜେଡି ବିଧାୟକ ଅମର ଶତପଥୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସମର୍ଥନ କରିଛନ୍ତି। କିନ୍ତୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି (Tara Prasad Bahinipati) ତାକୁ ବିରୋଧ କରିଥିଲେ। ତାରା କହିଛନ୍ତି ଯେ, ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ଥିଲା। ସରକାର ବିରୋଧୀ ଦଳକୁ ବିଶ୍ୱାସକୁ ନେଇନାହାନ୍ତି। କିଛି ଦିନ ବିଧାନସଭା ଚାଲିବା ଦରକାର। ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ ବୋଲି ସେ  କହିଛନ୍ତି।

Also Read: ଆରମ୍ଭ ହେବ ଶୀତ ଅଧିବେଶନ, ବିଧାନସଭାରେ ପ୍ରବେଶ ପୂର୍ବରୁ ହେବ କୋଭିଡ୧୯ ପରୀକ୍ଷା

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର (Surya Narayan Patra) କହିଛନ୍ତି ଯେ, କୋଭିଡ କଟକଣା ଭିତରେ ଗୃହ (Odisha assembly) କାର୍ଯ୍ୟ ହୋଇଥିଲା। ଏହି ଅଧିବେଶନରେ ୨ଟି ମୁଲତବୀ ପ୍ରସ୍ତାବ ଓ ଗୋଟିଏ ସ୍ୱତନ୍ତ୍ର ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏହାସହ ୭ଟି ବିଲ ପାରିତ ହୋଇଛି। ବିଧାନସଭାରେ ହୋହଲ୍ଲା ମଧ୍ୟରେ ୧୧ ହଜାର ୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଛି। ଆଉ ରବିବାରଠୁ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି। 

ସେପଟେ ବିରୋଧୀ ଦଳକୁ ନ ପଚାରି ଗୃହକୁ ବନ୍ଦ କରାଯାଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ଗୃହବନ୍ଦ କରିବା ପାଇଁ କୋରୋନା କେବଳ ଆଳ, ସରକାରୀ କାର୍ଯ୍ୟ ନଥିବା ସତ୍ୟ ନୁହେଁ। ମାର୍ଚ୍ଚ ମାସରୁ ସେମାନେ ଏଭଳି ଆଳ ଦେଖାଇ ଆସୁଛନ୍ତି।  ଆଲୋଚନା ପାଇଁ ଦୁଇଟି ବଡ଼ ବଡ଼ ବିଲ ଥିଲା। ତା ସହ ବେସରକାରୀ ବିଲ ମଧ୍ୟ ଥିଲା। ବୈଠକ ନ ଡାକି ଆଲୋଚନା କରା ନ ଯାଇ ଏକତରଫା ଭାବେ ବିଧାନସଭାକୁ ବନ୍ଦ କରାଯାଇଛି ବୋଲି ନରସିଂହ ମିଶ୍ର କହିଛନ୍ତି। 

Also Read: ବିଧାନସଭା ଶୀତ ଅଧିବେଶନ; ପୁଣି କଟିଲା ପ୍ରଶ୍ନକାଳ, ୨୦ ତାରିଖରେ ଅତିରିକ୍ତ ବଜେଟ ଉପସ୍ଥାପନ

ବିରୋଧୀ ବିଜେପି ଦଳର ନେତା ବି କଂଗ୍ରେସ ଭଳି ସମାନ ଅଭିଯୋଗ ଆଣିଛନ୍ତି। ଅଗଣତନ୍ତ୍ରୀକ ଭାବେ ବିଧାନସଭାକୁ ବନ୍ଦ କରାଯାଇଛି। ଲୋକଙ୍କ ପ୍ରସଙ୍ଗକୁ ସାମ୍ନା କରି ନ ପାରି ସରକାର ପାଳୟନପନ୍ଥୀ ସାଜିଛନ୍ତି। ଦଳର ନେତା ଓ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଦଳ ସହ କଥା ହେବା ପରେ ରାଜ୍ୟପାଳଙ୍କ ନିକଟରେ ବିଜେପି ଫେରାଦ ହେବ ବୋଲି ସ୍ପଷ୍ଟ କରିଛି। 

ସେପଟେ ଶାସକ ଦଳର କହିବା କଥା, ସରକାରୀ କାର୍ଯ୍ୟ ଯେତିକି ଥିଲା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସରିଲା। ଆଉ କୌଣସି କାର୍ଯ୍ୟ ନଥିଲା। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ନିର୍ଦ୍ଧିଷ୍ଟ ଏକ ପ୍ରସଙ୍ଗକୁ ନେଇ ଗୃହରେ ହଟଚମଟ କରିବା ପାଇଁ ବିରୋଧୀ ପ୍ରୟାସ କରୁଥିଲେ। ବିଧାନସଭା ବର୍ଷକୁ 60 ଦିନ ବସିବାର ନିୟମ ରହିଛି। କିନ୍ତୁ ସରକାରୀ କାର୍ଯ୍ୟ ନ ଥିଲେ ବନ୍ଦ ହେଲେ କିଛି ଅସୁବିଧା ନାହିଁ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି।