Karnataka ପରେ Gujarat; Lingayat ପରେ Patidar ଭୋଟ ଉପରେ BJP ନଜର
Advertisement
Article Detail0/zeeodisha/odisha985587

Karnataka ପରେ Gujarat; Lingayat ପରେ Patidar ଭୋଟ ଉପରେ BJP ନଜର

ଦେଶର ଅନ୍ୟ ରାଜ୍ୟ ଭଳି ଗୁଜୁରାଟ ରାଜନୀତି ମଧ୍ୟ ଜାତିବାଦ ପ୍ରଭାବରୁ ମୁକ୍ତ ରହିନାହିଁ। ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ପଟିଦାର ସମ୍ପ୍ରଦାୟ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ବାଜି ମାରିନେଇଛି।

Karnataka ପରେ Gujarat; Lingayat ପରେ Patidar ଭୋଟ ଉପରେ BJP ନଜର

ନୂଆଦିଲ୍ଲୀ: ଅନେକ ଛକାପଞ୍ଝା ପରେ ଶେଷରେ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୫୯ ବର୍ଷୀୟ ବିଜେପି ନେତା ଭୂପେନ୍ଦ୍ର ପଟେଲ। ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ବିଜେପି ଜାତିଗତ ସୀମକରଣ ଉପରେ  ଭାରସାମ୍ୟ ରକ୍ଷା କରିବାକୁ ପ୍ରୟାସ କରିଥିବା ଦୃଶ୍ୟମାନ ହେଉଛି। ମୁଖ୍ୟମନ୍ତ୍ରୀ ବଦଳାଇବା ପଛରେ ଦଳୀୟ ନେତୃବୃନ୍ଦଙ୍କ ସୁଚିନ୍ତିତ ନିର୍ବାଚନୀ ରଣନୀତି ରହିଥିବା କୁହାଯାଉଛି।  

ଦଳୀୟ ନେତା ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଗୁଜୁରାଟ ରାଜନୀତିରେ ପଟିଦାର କାର୍ଡ (Patidar Crad) ଖେଳିଛି। ଯିଏକି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ପଟିଦାର ସମ୍ପ୍ରଦାୟରୁ ଆସୁଛନ୍ତି। ବିଗତ ୫ ବର୍ଷ ଧରି ପଟିଦାର ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ହୋଇଆସୁଥିଲା। ଯାହା ଏବେ ପୂରଣ ହୋଇଛି।   

ବିଗତ ୨ ଦଶନ୍ଧି ଧରି ରାଜ୍ୟ ରାଜନୀତିରେ (Gujarat Politics) ବିଜେପିର (BJP) ବିଜୟ ରଥକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ପଟିଦାର ସମ୍ପ୍ରଦାୟ (Patidar Commuinity)। ଏପରିକି ଦଳର ପାରମ୍ପରିକ ଭୋଟର ଭାବେ ଜଣାଶୁଣା ଥିଲା ଏହି ସମ୍ପ୍ରଦାୟ। ହେଲେ ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଉପରେ ନାରାଜ ହୋଇଉଠିଥିଲା ଏହି ସମ୍ପ୍ରଦାୟ। ଯାହାର ପରିଣାମ ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ଜଣାପଡିଥିଲା।  

Also Read: Gujarat CM ଭାବେ ଶପଥ ନେଲେ Bhupendra Patel; ଦୁଇ ଦିନ ପରେ ହେବ ମନ୍ତ୍ରୀମଣ୍ଡଳ ଗଠନ

ଉଭୟ ଧନ ଜନ ବଳରେ ଗୁଜୁରାଟରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ପଟିଦାର ସମ୍ପ୍ରଦାୟ ବେଶ ଶକ୍ତିଶାଳୀ ଆଉ ପ୍ରଭାବଶାଳୀ। ଭୂପେନ୍ଦ୍ର ପଟେଲଙ୍କୁ (Bhupendra Patel) ମୁଖ୍ୟମନ୍ତ୍ରୀ ନିଯୁକ୍ତ କରି ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Gujarat Assembly Election 2022) ଏହି ସମ୍ପ୍ରଦାୟର ଭୋଟ ହାତେଇବାକୁ ଯୋଜନ କରିଛି ବିଜେପି।

ରାଜ୍ୟର ମୋଟ ୧୮୨ ବିଧାନସଭା ଆସନରୁ ଏପରି ୭୦ ନିର୍ବାଚନମଣ୍ଡଳୀ ରହିଛି ଯେଉଁଠି ପଟିଦାର ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଏହି ଆସନରେ ୧୨-୧୪ ପ୍ରତିଶତ ମତଦାତା ହେଉଛନ୍ତି ଏହି ସମ୍ପ୍ରଦାୟର। ମୋଟ ୬ କୋଟି ଲୋକସଂଖ୍ୟା ବିଶିଷ୍ଟ ଗୁଜୁରାଟରେ ପ୍ରାୟ ୧.୫ କୋଟି ହେଉଛନ୍ତି ପଟିଦାର। ଯେଉଁମାନେ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ଏକ-ଚତୁର୍ଥାଂଶ। ଗତ ଦୁଇ ଦଶନ୍ଧି ମଧ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେପ ଯେତିକି ଭୋଟ ହାତେଇଛି ତାହାର ୪ ଭାଗରୁ ୧ ଏକ ଭାଗ କେବଳ ଏହି ସମ୍ପ୍ରଦାୟରୁ ମିଳିଛି।

ସମଗ୍ର ଗୁଜୁରାଟ ସମେତ ରାଜ୍ୟର  ଉତ୍ତର ଭାଗରେ ଅବସ୍ଥିତ ସୌରାଷ୍ଟ୍ର ଅଞ୍ଚଳରେ (Gujarat Saurashtra Region) ସେମାନଙ୍କ ସଂଖ୍ୟା ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଅଧିକ। ରାଜ୍ୟର ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ଏହି ସମ୍ପ୍ରଦାୟର ବେଶ ଭଲ ପ୍ରଭାବ ରହିଛି। 

ଦେଶ ସ୍ୱାଧିନ ହେବା ପର ଠାରୁ ୧୯୭୦ ମସିହା ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ପାରମ୍ପରିକ ମତଦାତା ଭାବେ ଜଣାଶୁଣା ଥିଲେ। ମାତ୍ର ୧୯୮୦ ଦଶକ ପରେ କଂଗ୍ରେସ ରାଜ୍ୟରେ ବସବାସ କରୁଥିବା କ୍ଷତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ ସମ୍ପ୍ରଦାୟ ଉପରେ ଗୁରୁତ୍ୱ ଦେବାରେ ଲାଗିଲା। ସେତେବେଳେ ଗରିବୀ ହଟାଓ ନାରା ଦେଇ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀ ଦଳୀୟ ରଣନୀତିରେ ପରିବର୍ତ୍ତନ ଆଣିବା ସହ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ଏହାକୁ ନେଇ ନାରାଜ ହୋଇଉଠିଥିଲା ପଟିଦାର ସମ୍ପ୍ରଦାୟ। ଯାହାର ପରିଣାମ ସ୍ୱରୂପ ପଟିଦାର ମତଦାତା କଂଗ୍ରେସ ଠାରୁ ଦୂରେଇ ଯିବାରେ ଲାଗିଲେ। 

Also Read: Karnatak CM ଭାବେ ଶପଥ ନେଲେ Basavaraj Bommail; ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ

ଆଉ ଏହାର ଫାଇଦା ୧୯୯୦ ଦଶକ ପର ଠାରୁ ଲଗାତାର ଭାବେ ନେଇ ଆସୁଥିଲା ବିଜେପି। ଗତ ବିଧାନସଭା ନିର୍ବାଚନରେ ଯେତିକି ବିଜେପି ବିଧାୟକ ନିର୍ବାଚିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ହେଉଛନ୍ତି ପଟିଦାର। ବିଗତ କିଛି ବର୍ଷ ଧରି ବିଜେପି ଉପରେ ନାରାଜ ହୋଇଉଠିଥିଲେ ପଟିଦାର ସମ୍ପ୍ରଦାୟ। ଯାହାର କାରଣ ଥିଲା ସଂରକ୍ଷଣ ସୁବିଧା ପ୍ରଦାନ। ଏନେଇ ଗତ ୨୦୧୫ ବର୍ଷରେ ସମ୍ପ୍ରଦାୟକୁ ଅନ୍ୟ ପଛୁଆ ବର୍ଗରେ ସାମିଲ କରିବା ପାଇଁ ଆନ୍ଦୋଳନ କରିଥିଲେ ପଟିଦାର। ସେତେବେଳର ଯୁବ ନେତା ତଥା ବର୍ତ୍ତମାନର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଦ୍ୱାରା କରାଯାଇଥିବା ପଟିଦାର ଅନାମତ ସମିତି ଆନ୍ଦୋଳନ ଦେଶ ତଥା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଏହା  ପରେ ସେମାନଙ୍କୁ ଗରିବ ସବର୍ଣ୍ଣ ବର୍ଗରେ ୧୦ ପ୍ରତିଶତ ଆରକ୍ଷଣ ସୁବିଧା ପ୍ରଦାନ କରିଥି୍ଲେ।

ଗତ ୨୦୧୭ ବିଧାନସଭା ନିର୍ବାଚନରେ (Gujarat Assembly Election 2017) ଯଦିଓ ବିଜେପି ସରକାର ଗଠନ କରିଥିଲା ହେଲେ ଦଳ ସାଧାରଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏହି ନିର୍ବାଚନରେ ଦଳକୁ ୪୯ ପ୍ରତିଶତ ପଟିଦାର ଭୋଟ ମିଳିଥିଲା। ରାଜ୍ୟର ମୋଟ ୧୮୨ ଆସନ ମଧ୍ୟରୁ ଦଳକୁ ଏହି ନିର୍ବାଚନରେ କେବଳ ୯୯ ଆସନ ମିଳିଥିଲା। ଯାହା ସରକାର ଗଠନ କରିବା ଲାଗି ଆବଶ୍ୟକ ବହୁମତ ଠାରୁ ୭ ଅଧିକ। ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୬୦ ପ୍ରତିଶତ ପଟିଦାର ଭୋଟ ହାତେଇଥିଲା।  

ଏହା ସହିତ ଗତ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ କ୍ଷମତାସୀନ ବିଜେପି ସରକାର କ୍ୟାବିନେଟ ବିସ୍ତାର କରିବା ସହ ଦଳର ୬ ଜଣ ପଟିଦାର ନେତାଙ୍କୁ ରାଜ୍ୟ ସରକାରରେ ମନ୍ତ୍ରୀପଦ ପ୍ରଦାନ କରିଥିଲେ। କେବଲ ରାଜ୍ୟ ନୁହେଁ ଗତ ଜୁଲାଇ ମାସରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପଟିଦାର ସମ୍ପ୍ରଦାୟର ରାଜନେତା ମନସୁଖ ମାଣ୍ଡାଭିୟା (Mansukh Mandaviya) ଏବଂ ପୁରୁଷୋତ୍ତମ ରୂପାଲାଙ୍କୁ (Parshottam Rupala) କେନ୍ଦ୍ରମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। 

Also Read: Karnataka Politics: ମିଳିଗଲେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ଉତ୍ତରାଧିକାରୀ

ଏହା ସହିତ ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ଠାରେ ବିଶ୍ୱ ପଟିଦାର ସମାଜ ପକ୍ଷରୁ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସରଦାରଧାମକୁ ନିଜେ ଉଦଘାଟନ କରିଥିଲେ। ଏହା ମାଧ୍ୟମରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଟିଦାର ସମ୍ପ୍ରଦାୟକୁ ଖୁସି କରିବା ଲାଗି ବିଜେପି ପକ୍ଷରୁ ପ୍ରୟାସ କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।