Rajya Sabha Elections 2022: ଦୁଇଟି ଭୋଟ ହରାଇଲା NCP
Advertisement

Rajya Sabha Elections 2022: ଦୁଇଟି ଭୋଟ ହରାଇଲା NCP

ରାଜ୍ୟସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ନବାବ ମଲିକ ଏବଂ ଅନୀଲ ଦେଶମୁଖ। 

Rajya Sabha Elections 2022: ଦୁଇଟି ଭୋଟ ହରାଇଲା NCP

Rajya Sabha Election 2022: ଚଳିତ ବର୍ଷ ରାଜ୍ୟସଭାର ୧୬ ଆସନ ଲାଗି ଜୁନ ୧୦ ତାରିଖ ଶୁକ୍ରବାର ଜାରି ରହିଛି ଭୋଟ ଗ୍ରହଣ। ଦେଶର ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଏବଂ ହରିୟାଣା ପ୍ରଭୃତି ରାଜ୍ୟର ବିଧାୟକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ମାତ୍ର ରାଜ୍ୟସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ମତଦାନ ପ୍ରକ୍ରିୟାରୁ ବାଦ ପଡିଛନ୍ତି ୨ ଏନସିପି ବିଧାୟକ ନବାବ ମଲିକ ଏବଂ ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖ। ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ସେମାନଙ୍କୁ ତତ୍କାଳ ଅନୁମତି ଦେବାକୁ ମନା କରିଛନ୍ତି ବମ୍ବେ ହାଇକୋର୍ଟ। ଏହି ମତଦାନ ପ୍ରକ୍ରିୟା  ଶୁକ୍ରବାର ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିବ। 

ରାଜ୍ୟସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ନବାବ ମଲିକ ଏବଂ ଅନୀଲ ଦେଶମୁଖ। ଉଭୟେ ମତଦାନ କରିବା ଲାଗି ଦିନକ ପାଇଁ ଜାମିନ ମାଗିଥିଲେ। ମାତ୍ର ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ସ୍ୱତନ୍ତ୍ର ଅଦାଲତ। ମନି ଲଣ୍ଡ୍ରଂରି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଅନୀଲ ଦେଶମୁଖ। ଗୁରୁବାର ଏହି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଜଜ୍  ଆରଏସ ରୋକାଡେଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା ଅର୍ଥ ହେରଫେର ମାମଲାରେ ଅନିଲ ଦେଶମୁଖ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଲୋକ ପ୍ରତିନିଧି ଅଧିନିୟମ ଅନୁଯାୟୀ ସେ ଜଣେ କଏଦୀ ଭାବେ ମତଦାନ କରିପାରିବେ ନାହିଁ।

ବମ୍ବେ ହାଇକୋର୍ଟରେ ଅନୀଲ ଦେଶମୁଖ ଏବଂ ନବାବ ମଲିକ ସ୍ୱତନ୍ତ୍ର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଭୋଟ୍ ଦେବାକୁ ଅନୁମତି ମାଗିଥିଲେ। ବମ୍ବେ ହାଇକୋର୍ଟ ଗୁରୁବାର ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ।

ମହାରାଷ୍ଟ୍ରର ୬ ରାଜ୍ୟସଭା ଆସନ ଲାଗି ୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏହି ନିର୍ବାଚନରେ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ଏବଂ ସଞ୍ଜୟ ପାୱାରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଅନିଲ ବୋଣ୍ଡେ ଏବଂ ଧନଞ୍ଜୟ ମହାଦିକ ରାଜ୍ୟସଭା ନିର୍ବାଚନ ଲଢୁଛନ୍ତି।  

ଏନିସିପି ପକ୍ଷରୁ ପ୍ରଫୁଲ ପଟେଲ ଏବଂ କଂଗ୍ରେସ ପକ୍ଷରୁ ଇମରାନ ପ୍ରତାପଗଡି ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଷଷ୍ଠ ଆସନ ଲାଗି ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ ଏବଂ ଶିବସେନା ପ୍ରାର୍ଥୀ ସଞ୍ଜୟ ପାୱାରଙ୍କ ମଧ୍ୟରେ ମୁକାବିଲା ହେବ। ମହାରାଷ୍ଟ୍ର ବିଧାନସଭା ସଂଖ୍ୟା ଗଣିତ ଅନୁସାରେ ବିଧାୟକ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭା ନିର୍ବାଚନରେ ବିଜେପି ୨, ଶିବସେନା, କଂଗ୍ରେସ, ଏନସିପି ସହଜରେ ଗୋଟିଏ ଲେଖାଁଏ ଆସନ ଦଖଲ କରିନେବେ।  

ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି ସରକାରରେ ଥିବା ସାମିଲ ଥିବା ଶିବସେନା ପାଖରେ ୫୫, ଏନସିପି ପାଖରେ ୫୨ ଏବଂ କଂଗ୍ରେସ ପାଖରେ ୪୪ ବିଧାୟକ ଅଛନ୍ତି। ଏହି ୨ ସହଯୋଗୀ ଦଳ ଦ୍ୱିତୀୟ ଶିବସେନା ପ୍ରାର୍ଥୀ ସଞ୍ଜୟ ପାୱାରଙ୍କ ବିଜୟ ସୁନିଶ୍ଚିତ କରିପାରିବେ। ମୋଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୨ ଏନସିପି ବିଧାୟକ ଅନିଲ ଦେଶମୁଖ ଏବଂ ନବାବ ମଲିକ ଜେଲରେ ରହିଥିବାବେଳେ ଅନ୍ୟ ଗୋଟିଏ ଆସନ ଖାଲି ପଡି଼ଛି। ଉପରୋକ୍ତ ୪ ପ୍ରମୁଖ ଦଳ ବ୍ୟତୀତ ବିଧାନସଭାରେ ସ୍ୱାଧନ ଏବଂ ଛୋଟ ଦଳର ୨୫ ବିଧାୟକ ଅଛନ୍ତି।

Also Read: Rajya Sabha Election 2022: କିପରି ବଦଳିବ ସମୀକରଣ? ୧୬ ଆସନରେ କାହା ପଲ୍ଲା ଭାରୀ?

Also Read: Rajya Sabha Election 2022: ମତଦାନ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଭିନ୍ନ ଦଳର ପ୍ରାର୍ଥୀ