Tharoor Meet Sonia Gandhi: କଂଗ୍ରେସ ନେତା ଶଶି ଥରୁର ଆଜି ଦିଲ୍ଲୀର ୧୦ ଜନପଥରେ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସରେ ପରିବର୍ତ୍ତନ ଆଣିବାକୁ ଦାବି କରାଯାଇଥିବା ଏକ ପୋଷ୍ଟକୁ ସମର୍ଥନ କରିବା ପରେ ଥରୁର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।
Trending Photos
Tharoor Meet Sonia Gandhi: କଂଗ୍ରେସ ନେତା ଶଶି ଥରୁର (Congress Leader Shashi Tharoor) ଆଜି ଦିଲ୍ଲୀର ୧୦ ଜନପଥରେ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ (Sonia Gandhi)ଙ୍କୁ ଭେଟିଛନ୍ତି। କଂଗ୍ରେସରେ ପରିବର୍ତ୍ତନ ଆଣିବାକୁ ଦାବି କରାଯାଇଥିବା ଏକ ପୋଷ୍ଟକୁ ସମର୍ଥନ କରିବା ପରେ ଥରୁର ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଥରୁର କହିଛନ୍ତି ଯେ, ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ ପ୍ରାର୍ଥୀ ସଂକଳ୍ପ ନେବା ଉଚିତ ଯେ, ନିର୍ବାଚିତ ହେବା ପରେ ସେମାନେ 'ଉଦୟପୁର ଚିନ୍ତନ ଶିବିରରେ ହୋଇଥିବା ନବସଂକଳ୍ପ'କୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବେ।
ତିରୁଭନନ୍ତପୁରମର କଂଗ୍ରେସ ସାଂସଦ ଥରୁର ଟ୍ୱିଟରରେ ଦଳର ଯୁବ କର୍ମୀଙ୍କ ଦ୍ବାରା ପରିବର୍ତ୍ତନ ପାଇଁ ପାରିତ ହୋଇଥିବା ଆବେଦନର ସମର୍ଥନ କରିଛନ୍ତି। ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଅନଲାଇନ୍ ଆବେଦନ ସମ୍ପର୍କରେ ଶଶି ଥରୁର (Shashi Tharoor) ଲେଖିଛନ୍ତି ଯେ, ମୁଁ ଆବେଦନକୁ ସ୍ବାଗତ କରୁଛି, ଯେଉଁଥିରେ କଂଗ୍ରେସର ଯୁବ ସଦସ୍ୟ ମାନଙ୍କର ଏକ ଗୋଷ୍ଠି ଦ୍ବାରା ଦଳରେ ଗଠନ ମୂଳକ ପରିବର୍ତ୍ତନ ନିମନ୍ତେ ଦାବି କରାଯିବା ସହିତ ପ୍ରସାରିତ କରାଯାଉଛି। ଏପର୍ଯ୍ୟନ୍ତ ଏଥିରେ ୬୫୦ରୁ ଅଧିକ ଦସ୍ତଖତ ସଂଗ୍ରହ କରାଯାଇଛି। ମତେ ଏହାକୁ ସମର୍ଥନ କରିବା ଓ ଏଥିରେ ଆଗକୁ ବଢିବାରେ ଖୁସି ଲାଗୁଛି।
କଂଗ୍ରେସ ସଭାପତି ପଦ ପାଇଁ ଶଶି ଥରୁର ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଥରୁର ଏପର୍ଯ୍ୟନ୍ତ ଏହି ପ୍ରଶ୍ନ ଉପରେ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉପରେ ସେ ନିରବ ରହିଥିଲେ। କୁହାଯାଉଛି ଯେ, ବିଦେଶରୁ ଫେରିବା ପରେ ସୋନିଆ ଗାନ୍ଧୀ ଆକ୍ସନ୍ ମୁଡରେ ଅଛନ୍ତି। ଶଶି ଥରୁରଙ୍କ ବ୍ୟତୀତ ସାଂସଦ ଦୀପେନ୍ଦ୍ର ହୁଡ୍ଡା, ବକ୍ସର ବିଜେନ୍ଦ୍ର, ମଧ୍ୟପ୍ରଦେଶର ନୂତନ କଂଗ୍ରେସ ପ୍ରଭାରୀ ହୋଇଥିବା ଜେପି ଅଗ୍ରୱାଲ ଏବଂ ଝାଡ଼ଖଣ୍ଡ କଂଗ୍ରେସ ପ୍ରଭାରୀ ଥିବା ଅବିନାଶ ପାଣ୍ଡେ ଆଜି ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି।
ସେପଟେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି ଦେଶର ଅନ୍ୟ ବିରୋଧି ଦଳ। ଏନେଇ କଂଗ୍ରେସ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରି ବିରୋଧି କହିଛନ୍ତି ଯେ, ଏହି ଯାତ୍ରା କାହିଁକି ସେହି ରାଜ୍ୟରେ ଅନୁଷ୍ଠିତ ହେଉଛି ଯେଉଁଠି ବିଜେପି ଏକ ମୁଖ୍ୟ ଶକ୍ତି ନୁହେଁ। ଏନେଇ କେରଳରେ କ୍ଷମତାସୀନ ଏଲଡିଏଫ ସରକାରର (Kerala LDF Govt) ନେତୃତ୍ୱ ନେଉଥିବା ସିପିଏମ୍ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏହା ଭାରତ ଯୋଡ଼ ଯାତ୍ରା ନା ସିଟ୍ ଯୋଡ ଯାତ୍ରା? ଭାରତ ଯୋଡ଼ ଯାତ୍ରା କେରଳରେ ୧୮ ଦିନ ହେଉଥିବା ବେଳେ ଉତ୍ତର ପ୍ରଦେଶରେ (Uttar Pradesh) କେବଳ ୨ ଦିନ ଲାଗି ହେଉଛି। ବିଜେପି-ଆରଏସଏସ ସହିତ ଲଢେଇ କରିବାର ଏହା ହେଉଛି ଏକ ଅଜବ ଉପାୟ।
କଂଗ୍ରେସରେ ଏପର୍ଯ୍ୟନ୍ତ ଅଧ୍ୟକ୍ଷ ପଦକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି। କିଛି ନେତା ରାହୁଲ ଗାନ୍ଧୀଙ୍କୁ ଖୋଲାଖୋଲି ସମର୍ଥ କରୁଥିବା ବେଳେ ଆଉ କିଛି ନେତା ଏହାକୁ ବିରୋଧ କରି ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ କରିବା ପାଇଁ ଦାବି କରୁଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ, ଅଣଗାନ୍ଧୀ ପରିବାରରୁ ଜଣେ ବଡ ଦାବିଦାର ଭାବେ ଉଭା ହୋଇଛନ୍ତି।