ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଯୋଗୀଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ବାବଦରେ ଏକ ବଡ ଖବର ଆସୁଛି।
ଲକ୍ଷ୍ନୌ: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ଆଉ ଏହାର ନେତୃତ୍ୱ ନେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ। ପ୍ରଥମ ପାଳି ଶେଷ କରିବା ପରେ ଏବେ ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି ସେ।
ଏଥର ହୋଲି ପୂର୍ବରୁ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ। ଏନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମନ୍ଥନ କରୁଥିବା ବେଳେ ସହମତି ଭିତ୍ତିରେ ଶପଥ ଗ୍ରହଣ ତାରିଖ ଘୋଷଣା କରାଯାଇ ପାରେ ବୋଲି କୁହାଯାଉଛି।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଯୋଗୀଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ବାବଦରେ ଏକ ବଡ ଖବର ଆସୁଛି। ହୋଲି ପୂର୍ବରୁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି। କାରଣ ହୋଲି ମାର୍ଚ୍ଚ ୧୭-୧୮ ତାରିଖରେ ପାଳିତ ହେବାକୁ ଯାଉଥିବା ବେଳେ ବିଧାନ ପରିଷଦ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ୧୯ ମାର୍ଚ୍ଚ ହେଉଛି ଶେଷ ତାରିଖ।
Also Read: UP Election 2022: BJP ବିଜୟ ପରେ ପଦରୁ ଇସ୍ତଫା ଦେଲେ CM Yogi Adityanath
ଯଦି ସହମତି ହୋଇଯାଏ ତାହେଲେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ୧୫ ମାର୍ଚ୍ଚ ମଙ୍ଗଳବାର ଶପଥ ଗ୍ରହଣ କରିପାରନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦାନ କରିପାରନ୍ତି।
ଦ୍ୱିତୀୟ ପାଳି ସରକାର ଗଠନ କରିବା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୧୧ ତାରିଖ ଶୁକ୍ରବାର ରାଜଭବନ ଠାରେ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ସାକ୍ଷାତ କରି ଇସ୍ତଫା ପ୍ରଦାନ କରିଛନ୍ତି। ଏହା ପରେ ସେ ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବା ଲାଗି ଦାବି ଉପସ୍ଥାପନ କରିବେ। ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ପ୍ରଥମ ପାଳି କାର୍ଯ୍ୟକାଳର ଶେଷ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ସେ।
Also Read: UP Assembly Election 2022 Result: ୩୭ ବର୍ଷର ରେକର୍ଡ ଭାଙ୍ଗିଲା BJP
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଗତ ୩୭ ବର୍ଷର ରେକର୍ଡ ଭାଙ୍ଗିଛି ବିଜେପି। ଗତ ୧୯୮୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନଥିଲେ। ହେଲେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।