କଳାକୃତି ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଜଣାଇଲେ ଶିଳ୍ପୀ
Advertisement
Article Detail0/zeeodisha/odisha983016

କଳାକୃତି ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଜଣାଇଲେ ଶିଳ୍ପୀ

ନିଜର କଳାକୃତି ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି ଶିଳ୍ପୀ।

କଳାକୃତି ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଜଣାଇଲେ ଶିଳ୍ପୀ

ପୁରୀ: ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନିଜର କଳାକୃତି ମାଧ୍ୟମରେ ପୂଜାର ଅଭିନନ୍ଦନ ଜଣାଇଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଗଢିଥିବା ଏକ ଆକର୍ଷଣୀୟ କଳାକୃତିରେ ସାମୁଦ୍ରିକ ସାମଗ୍ରୀ ବ୍ଯବହାର କରି ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଏହି ବାଲୁକା କୃତିରେ ପ୍ରାୟ ୭ ହଜାରରୁ ଅଧିକ କଉଡ଼ି, ଶଙ୍ଖ ଆଦି ସାମୁଦ୍ରିକ ସାମଗ୍ରୀ ବ୍ୟବହାର କରାଯାଇ ଏହାକୁ ନିର୍ମାଣ କରାଯାଇଛି।

ଏହି କଳାକୃତି ବେଶ ମନମୁଗ୍ଧକର ହୋଇଛି। କୋଭିଡ ମହାମାରୀ ହେଉ ଅଥବା ଆଫଗାନିସ୍ତାନ ଠାରେ ତାଲିବାନ ପକ୍ଷରୁ କରାଯାଉଥିବା ନରସଂହାର ଭଳି ଘଟଣାରୁ ସାରା ବିଶ୍ୱକୁ ପ୍ରଭୁ ଗଜାନନ ସୁରକ୍ଷା ଦେବା ସହ ଶାନ୍ତି ପ୍ରତିଷ୍ଠା କରିବାକୁ ବାଲୁକାକୃତି ଜରିଆରେ ପ୍ରାର୍ଥନା କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳୁଛି ଅନନ୍ୟ କଳାକୃତି। ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ କେବଳ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ୨୩ ଇଞ୍ଚ ଲମ୍ବ ୨୨ଇଞ୍ଚ ଚଉଡାର ଏକ ଆକର୍ଷଣୀୟ ଗଣେଶ ମୂର୍ତ୍ତୀ। ଏହି ନିଖୁଣ କଳାକୃତିରେ ପ୍ରାୟ ୫୬୨୧ଟି ଦିଆସିଲି କାଠି ବ୍ଯବହାର ହୋଇଥିବା ଜଣାପଡିଛି। ଦିଆସିଲି କାଠିରେ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରିବା ଲାଗି ତାଙ୍କୁ ପ୍ରାୟ ୮ ଦିନ ସମୟ ଲାଗିଥିଲା। 

Also Read: ରକ୍ଷାବନ୍ଧନ ଅବସରରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରାକ୍ଷୀ

ସବୁଠାରୁ ବଡ କଥା ହେଉଛି ଏହି ଗଣେଷ ମୂର୍ତ୍ତୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଳି ଦୃଶ୍ୟମାନ  ହେଉଛି। ଅର୍ଥାତ ଗଣେଷଙ୍କ ମୂର୍ତ୍ତୀରେ ଜଗନ୍ନାଥଙ୍କ ରୂପର ଅବିକଳ ଛାପ ରହିଛି। ଚକା ଆଖି, ଶ୍ରୀଭୁଜ ସହିତ ହସ୍ତରେ ଧାରଣ କରିଛନ୍ତି ଶଙ୍ଖ ଚକ୍ର। ଯେହେତୁ ମହାପ୍ରଭୁ ମଧ୍ୟ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ତାହାକୁ ନଜରରେ ରଖି ଏଭଳି ନିଆରା କଳାକୃତି ପ୍ରସ୍ତୁତ କରିଛନ୍ତି ଏହି ଯୁବଶିଳ୍ପୀ।