Navratri 4th Day : ଘରେ କରିବାକୁ ଚାହୁଁଛନ୍ତି କି ମାଆ କୁଷ୍ମାଣ୍ଡାଙ୍କ ଆରାଧନା, ଜାଣି ରଖନ୍ତୁ ପୂଜାବିଧି
Advertisement
Article Detail0/zeeodisha/odisha1371812

Navratri 4th Day : ଘରେ କରିବାକୁ ଚାହୁଁଛନ୍ତି କି ମାଆ କୁଷ୍ମାଣ୍ଡାଙ୍କ ଆରାଧନା, ଜାଣି ରଖନ୍ତୁ ପୂଜାବିଧି

Shardiya Navratri 2022 : ଶାରଦୀୟ ନବରାତ୍ରୀ (Navratri ) ପାଇଁ ଉତ୍ସବମୁଖର ସାରା ଦେଶ । ଆସନ୍ତାକାଲି ( ଗୁରୁବାର) ନବରାତ୍ରର ଚତୁର୍ଥ ଦିନ । ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବୀ କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। 

ସୌଜନ୍ୟ : ସୋସିଆଲ ମିଡିଆ

Shardiya Navratri 2022 : ଶାରଦୀୟ ନବରାତ୍ରୀ (Navratri ) ପାଇଁ ଉତ୍ସବମୁଖର ସାରା ଦେଶ । ଆସନ୍ତାକାଲି ( ଗୁରୁବାର) ନବରାତ୍ରର ଚତୁର୍ଥ ଦିନ । ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବୀ କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଓ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି କର୍ତ୍ତା ହେଉଛନ୍ତି ଦେବୀ କୁଷ୍ମାଣ୍ଡା। ଉଦରରୁ ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ଦେବୀଙ୍କ ନାମ କୁଷ୍ମାଣ୍ଡା । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତେବେ ନବରାତ୍ରରେ ଘରେ କିପରି କରିବେ ମାଆ କୁଷ୍ମାଣ୍ଡାଙ୍କ ଆରାଧନା । ଜାଣି ରଖନ୍ତୁ ପୂଜାର ବିଧି ।  

ନବରାତ୍ରୀର ଚତୁର୍ଥ ଦିନ ପ୍ରଥମେ ବ୍ରତଧାରୀମାନେ ସ୍ନାନ କରିବା ପରେ ଦଳଦିଆ ପୋଷାକ ପରିଧାନ କରିବେ । ପରେ ପୂଜାପାଇଁ ସ୍ଥାପିତ କଳସ ପୂଜାପରେ ଉକ୍ତ କଳସରେ ମା’ କୁଷ୍ମାଣ୍ଡାଙ୍କୁ ଆବାହନ କରିବେ । ମା କୁଷ୍ମାଣ୍ଡାଙ୍କୁ ଜଳ ପୁଷ୍ପ ଅର୍ପଣ କରି ଧ୍ୟାନ କରିବେ । ଏହା ପରେ ଦେବୀମାଆଙ୍କୁ  ସିନ୍ଦୁର, କାଜଲ, ଚୁଡି, ବିନ୍ଦି, ମୁଦି ,କାନଫୁଲ ଓ ହାରରେ ସଜାଇ ଦିଅନ୍ତୁ। ପରେ ତାଙ୍କ ଫଟୋ କି ମୂର୍ତ୍ତୀ ଉପରେ ଲାଲ୍ ଚୁନରୀ ଚଢାଇବେ । ଏହାସହ ତାଙ୍କୁ ନାଲି ଫୁଲରେ ପୂଜା କରନ୍ତୁ । ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ  ମାଲପୁଆ, ହାଲଓ୍ବା ଓ ଦହି ଭୋଗ ଲଗାନ୍ତୁ । ଏସବୁ କରିବା ଦ୍ବାରା ଆପଣ ଦେବୀଙ୍କ କୃପା ଲାଭ କରିପାରିବେ। ସେପ୍ଟେମ୍ବର ୨୯ ତାରିଖ ରାତି ୧.୨୭ରେ ପୂଜାର ଶୁଭ ମୂହୁର୍ତ୍ତ ଆରମ୍ଭ ହୋଇ ଅପରାହ୍ନ ୧୨. ୦୮ ଟା ସମୟରେ ପର୍ଯ୍ୟନ୍ତ ଏ ଶୁଭ ମୂହୁର୍ତ୍ତ ରହିବ। ସେହି ସମୟରେ ବ୍ରତଧାରୀମାନେ ମାଆଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।  

ଏହାବି ପଢନ୍ତୁ : Navratri 3rd Day: କେମିତି କରିବେ ଚନ୍ଦ୍ରଘଣ୍ଟାଙ୍କ ଆରାଧନା, ଜାଣନ୍ତୁ ପୂଜାର ଶୁଭ ମୂହୁର୍ତ୍ତ

ଏପରି ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀ ବୋଲି କିଛି ନଥିଲା । ଗୋଟିଏ ଶୂନ୍ୟ ସ୍ଥାନ ଅନ୍ଧକାରରେ ଆଚ୍ଛାଦିତ ଥିଲା । ସଂସାରର କୌଣସି ଚିହ୍ନ ବର୍ଣ୍ଣ ନ ଥିଲା । କେବଳ ଗୋଟିଏ ଆଲୋକ ରେଖା ସର୍ବଦା ବିରାଜମାନ ଥିଲା । ଯାହା ଏହି ଶୂନ୍ୟ ସ୍ଥାନ‌କୁ ଆଲୋକିତ କରୁଥିଲା । ଏହି ଆଲୋକ ସାଗରର ଆକାର ନଥିଲା । ହଠାତ ଏହି ଶୂନ୍ୟ ସ୍ଥାନରେ ଆକାର ବିରାଜମାନ ହେଲା ଯାହା ଏକ ସ୍ୱର୍ଗୀୟ ଦେବୀ ଭଳି ପ୍ରତୀତ ହେଲେ ଓ ସେ କୁଷ୍ମାଣ୍ଡା ଥିଲେ । ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା । ସେ ଅନ୍ତରୀକ୍ଷ ଅଣ୍ଡା ଉତ୍ପନ୍ନ କଲେ । ତାଙ୍କ ସ୍ମିତ ହସଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା । 

ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା । ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା । ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା । ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ । ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ । ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଶକ୍ତିଶାଳୀ ହୋଇଛି । ସେ ହିଁ ସୂର୍ଯ୍ୟଙ୍କର ଉତ୍ସ । ସୃଷ୍ଟିକୁ ସୂର୍ଯ୍ୟ ଆଲୋକିତ କରୁଥିଲେ ମଧ୍ୟ ତାଙ୍କ ଯୋଗୁଁ ସୂର୍ଯ୍ୟ ଶକ୍ତିପ୍ରାପ୍ତ ହେଉଛନ୍ତି । କୁଷ୍ମାଣ୍ଡା ରୂପରେ ସେ ଶକ୍ତିମୟୀ ହୁଅନ୍ତି । ଦେବତା, ମାନବ ଓ ଅନ୍ୟାନ୍ୟ ପାର୍ଥିବ ଜୀବ ତାଙ୍କର ପୂଜା କଲେ ସେ ସ୍ମିତ ହସ ପ୍ରଦାନ କରନ୍ତି । ଚତୁର୍ଦିଗ ଅନ୍ଧକାରାଚ୍ଚନ୍ନ ଥିଲାବେଳେ ମାଆ କୁଷ୍ମାଣ୍ଡା ଆଲୋକ ପ୍ରଦାନ କଲେ । ସେ ସୂର୍ଯ୍ୟର କେନ୍ଦ୍ରରେ ରହି ସଂସାରକୁ ଦୀପ୍ତିମାନ କରୁଛନ୍ତି । ତାଙ୍କର ତେଜ ବଳରେ ସୂର୍ଯ୍ୟ ତେଜୀୟାନ ହୁଏ ।