ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କୁ ହାଇକୋର୍ଟଙ୍କ ନୋଟିସ୍
Advertisement
Article Detail0/zeeodisha/odisha2383391

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କୁ ହାଇକୋର୍ଟଙ୍କ ନୋଟିସ୍

High court notice: ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। 

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ମାତ୍ର ୩୭ ଖଣ୍ଡ ଭୋଟ ବ୍ୟବଧାନରେ ଭୁବନେଶ୍ଵର ମଧ୍ୟ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ହାଇକୋର୍ଟ ଆଜି ନୋଟିସ୍ ଜାରି କରିଛନ୍ତି। ଶ୍ରୀ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ହାଇକୋର୍ଟ ଶ୍ରୀ ଜେନାଙ୍କୁ ନୋଟିସ୍ ଜାରି କରିବା ସହିତ ପରବର୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ମାମଲାର ପ୍ରକାଶ ଯେ, ସମଗ୍ର ନିର୍ବାଚନୀ ପ୍ରକ୍ରିୟାରେ ଅସାଧୁ ଉପାୟ ଅବଲମ୍ବନ କରି ଶ୍ରୀ ଜେନା ଜିତିଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରଧାନ। ରିଟର୍ଣିଂ ଅଫିସରଙ୍କ ଭୂମିକା, ପୋଷ୍ଟାଲ୍‌ ବାଲଟ ଗଣତି, ସମଗ୍ର ଗଣତି ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ଆବେଦନରେ ପ୍ରଶ୍ନ ଉଠାଯାଇଛି। 

ଶ୍ରୀ ଜେନାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିବା ସହିତ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଶ୍ରୀ ପ୍ରଧାନଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ ଯେ ବିଜେଡି ପ୍ରାର୍ଥୀ ଶ୍ରୀ ଜେନା ୫୩୭୫୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ୫୩୭୨୨ ଖଣ୍ଡ ଭୋଟ ପାଇଥିଲେ। ତେବେ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର୍ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।