Nandotsav at Srimandir: ସୋମବାର ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିବା ପରେ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେବ । ସନ୍ଧ୍ୟାଆଳତୀ ସରିବାପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ।ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣି ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓଲ୍ହାଇ ଆଣି ଖଟ ଉପରେ ବିଜେ କରାଇବେ ।ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି।
ତେବେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଲିଳା ବିଚିତ୍ର। ଶ୍ରୀମନ୍ଦିରରେ ହୋଇଥାଏ ସ୍ୱତନ୍ତ୍ର ନିତି । ମହାପ୍ରଭୁ ନିଜେ ତାଙ୍କ ଗର୍ଭରେ କୃଷ୍ଣଙ୍କୁ ଧାରଣ କରନ୍ତି। ଜନ୍ମାଷ୍ଟମୀ ଦିନ କୃଷ୍ଣ ଧରାବତରଣ କରନ୍ତି। ସେପଟେ ଗତକାଲି ବସୁଦେବ ଓ ଦେବକୀ ବେଶରେ ଦୁଇଜଣ ମହାଜନ ସେବକ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପନ୍ନ କରିଥିଲେ।ମୁଦିରସ୍ତ ସେବକ ପ୍ରସାଦ ଲାଗି କରିବା ପରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ବତୀ ମନ୍ଦିର ନିକଟ ଯମୁନା ନଦୀତଟକୁ ବିଜେ କରାଇଥିଲେ। ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଯମୁନା ନଦୀକୂଳରେ ଦଣ୍ଡ ପ୍ରଣାମ କରିଥିଲେ।
ଏହି ସମୟରେ ବେହେରା ଖୁଣ୍ଟିଆ ସେବକ ଠାକୁରଙ୍କ ଉପରେ ସପ୍ତଫେଣୀ ବାସୁକୀକୁ ଧରି ଚାଲିଥିଲେ। ପୂଜାପଣ୍ଡା ସେବକଙ୍କ ଦ୍ବାରା ନାଭିକଟା ନୀତି ସଂପନ୍ନ ପରେ ପଞ୍ଚାମୃତରେ ଠାକୁରଙ୍କ ସ୍ନାନ ନୀତି ହୋଇଥିଲା। ପରେ ବାଳକୃଷ୍ଣଙ୍କୁ ମହାଜନ ସେବକ ହାତରେ ନେଇ ଜଗମୋହନସ୍ଥିତ ଦୋଳିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସହ ବିଜେ କରାଇଥିଲେ । ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରି ମଣୋହି କରିଥିଲେ । ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢ଼ିଥିଲା । ତେବେ ଆଜି ସକାଳ ୬.୬ମିନିଟରେ ଶ୍ରୀମନ୍ଦିର ସିଂହଦ୍ଵାର ଫିଟା ନିତି ସମ୍ପର୍ଣ୍ଣ ହୋଇଛି। ମଙ୍ଗଳାଳତୀ, ମଇଲମ, ଅବକାଶ ନିତି ସହ ଦୈନନ୍ଦିନ ନିତି କାନ୍ତି ଆଗକୁ ବଢିଛି। ତେବେ ମଙ୍ଗଳାଳତୀ ପରେ ଦୋଳିକୁ ଦିଅଁ ବିଜେ କରିଛନ୍ତି। ଆଜି ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ମନ୍ଦିରରେ ନନ୍ଦୋତ୍ସବ ମହାଆଡମ୍ବରରେ ପାଳିତ ହେବ।