Trending Photos
Ration card e-KYC:ଭୁବନେଶ୍ୱର: ଚଳିତମାସ ୧୫ ତାରିଖ ସୁଦ୍ଧା ରାସନ କାର୍ଡର ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ବୟସାଧିକ କାରଣରୁ ଯେଉଁମାନେ ଇ-କେୱାସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି। ରାଜ୍ୟ ବାହାରେ ଥିବା ଲୋକମାନେ ଯୋଗାଯୋଗ କଲେ ସେଠାରୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବ ବୋଲି ସୂଚନା ଦେଇଚନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ନିକଟରେ ଗୋଆରେ ଥିବା କିଛି ଲୋକଙ୍କ ଇ-କେୱାଇସି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ରାସନ କାର୍ଡର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ୮୫ ପ୍ରତିଶତ ପ୍ରାୟ ଶେଷ ହୋଇଛି। ଏପର୍ଯ୍ୟନ୍ତ ଆଉ ପ୍ରାୟ ୫୦ ଲକ୍ଷ ବ୍ୟକ୍ତିଙ୍କ ଇ-କେୱାଇସି ଯାଞ୍ଚ ବାକି ରହିଛି। ଭୂତ ରାସନକାର୍ଡଧାରୀଙ୍କୁ ଚିହ୍ନଟ କରିବା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ଅଧିକ ପାରଦର୍ଶି କରିବା ପାଇଁ ସରକାର ଏହି ପକ୍ଷେପ ନେଇଚନ୍ତି।
ରାସନ କାର୍ଡଧାରୀଙ୍କୁ ନିକଟସ୍ଥ ରାସନ ଡିଲରଙ୍କ ପାଖକୁ ଯାଇ ଇ-ପିଓଏସ ମେସିନ ସହାୟତାରେ ଆଧାର ଲିଙ୍କ ଓ କେୱାଇସି ଯାଞ୍ଚ ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି। ନଚେତ ସେମାନଙ୍କର କାର୍ଡ ଅକାମୀ ହୋଇଯିବ। ସରକାରୀ କର୍ମଚାରୀଙ୍କୁ ଇ-କେୱାଇସି ଯାଞ୍ଚରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।