ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା
Advertisement
Article Detail0/zeeodisha/odisha2363202

ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା

Jharsuguda: ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ।

ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା

ଝାରସୁଗୁଡ଼ା: ଜଣେ ମହିଳା ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଛନ୍ତି। ମହିଳା ଜଣକ ପ୍ରାୟ ୫୦ କିଲୋମିଟର ମହାନଦୀର ଭରାପାଣିରେ ଭାସି ଆସିଥିଲେ ମଧ୍ୟ ଜୀବିତ ଅଛନ୍ତି। ଝାରସୁଗୁଡ଼ା ଜିଲା ପଲସଦା ନିକଟ ମହାନଦୀରେ ସେ ଲାଗିଥିଲେ। ଏଠାରେ ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଛନ୍ତି। ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକ ବିକୃତ ମହିଳା। ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲେ ବି ସେ ଛତିଶଗଡ଼ରୁ ଆସି ଓଡ଼ିଶାରେ ଲାଗିଥିବା ବେଳେ ମତ୍ସ୍ୟଜୀବୀଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏହାକୁ ଦେଖି ଲୋକେ କହୁଛନ୍ତି, ଯାହାକୁ ରଖେ ହରି ତାକୁ ମାରେ କିଏ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଝାରସୁଗୁଡ଼ା ପଲସଦାରେ ଘଟିଛି।

ମତ୍ସ୍ୟଜୀବୀମାନେ ମାଛ ମାରିବା ନିମନ୍ତେ ମହାନଦୀକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି।

ମହିଳା ଜଣଙ୍କ ଛତିଶଗଡ ରାୟଗଡ଼ା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି। ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍‌ ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡି ପକାଇ ରଖୁଥିଲେ । ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ। ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ପ୍ରଖର ରହିଛି। ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ।