Top 10 News Headlines: ମୁଖ୍ୟମନ୍ତ୍ରୀ ବାଛିବେ ଦୁଇ କେନ୍ଦ୍ରମନ୍ତ୍ରୀ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2286832

Top 10 News Headlines: ମୁଖ୍ୟମନ୍ତ୍ରୀ ବାଛିବେ ଦୁଇ କେନ୍ଦ୍ରମନ୍ତ୍ରୀ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ମୁଖ୍ୟମନ୍ତ୍ରୀ ବାଛିବେ ଦୁଇ କେନ୍ଦ୍ରମନ୍ତ୍ରୀ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ବସିବ ମୋଦି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ!
ମୋଦି ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ବସିପାରେ ପ୍ରଥମ କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିପାରେ। ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ କ୍ୟାବିନେଟ୍ ବୈଠକ। ସେଠାରେ ଶହେ ଦିନ କାର୍ଯ୍ୟଖସଡା ଉପରେ ଆଲୋଚନା ସମ୍ଭାବନା ରହିଛି।

H2. ଶପଥ ଗ୍ରହଣ ଉତ୍ସବରେ ୮ ହଜାର ଅତିଥି
ଆଜି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ଅତିଥି ଯୋଗ ଦେଇଛନ୍ତି । ବିଶେଷ ଅତିଥି ଭାବେ ବିଦେଶରୁ ଅନେକ ଅତିଥି ଆସିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ, ଗିରିରାଜ ସିଂ, ନିର୍ମଳା ସୀତାରମଣ, ହାର୍ଦ୍ଦିକ ସିଂ ପୁରୀ, ଗୌତମ ଆଦାନୀ, କଙ୍ଗନା ରାନାୱତ, ସ୍ମୃତି ଇରାନି, ନିତୀଶ କୁମାର, ଅଶ୍ୱିନୀ ଚୌବେ, ମୁକେଶ ଅମ୍ବାନୀ, ଶାହାରୁଖ ଖାନ, ଅକ୍ଷୟ କୁମାର, ପହଞ୍ଚିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି । କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ ମଧ୍ୟ ପହଞ୍ଚିଛନ୍ତି।

H3. ୧୨ ତାରିଖରେ ମୋଦୀଙ୍କ ବିଶାଳ ରୋଡ ଶୋ
ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବା ପୂର୍ବରୁ ୧୨ ଜୁନରେ ପ୍ରଧାନମନ୍ତ୍ରୀ ମୋଦୀ ରାଜଧାନୀ ଭୁବନେଶ୍ୱରରେ ରୋଡ୍ ଶୋ କରିବେ । ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି ।

H4. ୭୨ ଜଣଙ୍କୁ ମନ୍ତ୍ରୀ ପଦ
ଜେପିର ୬୧ ଓ ସହଯୋଗୀ ଦଳର ୧୧ ଜଣଙ୍କୁ ମିଳିଛି ମନ୍ତ୍ରୀପଦ। ମନ୍ତ୍ରିମଣ୍ଡଳରେ ମୋଟ୍ ୨୪ ରାଜ୍ୟକୁ ପ୍ରତିନିଧିତ୍ବ ମିଳିଛି। ୩୦ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭିତରେ ବିଜେପିର ୨୫ ଓ ସହଯୋଗୀ ଦଳର ୫ଜଣ ଅଛନ୍ତି । ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ୩୯ ଜଣ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଏହି ସରକାରରେ ୩୩ ଜଣ ସାଂସଦ ନୂତନ ଭାବେ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ତେବେ କାହାକୁ କେଉଁ ମନ୍ତ୍ରାଳୟ ମିଳିବ ଏବେ ତା’ ଉପରେ ନଜର ରହିଛି।

H5. ଓଡ଼ିଶାରୁ ୩ ଜଣ ମନ୍ତ୍ରୀ
ମୋଦୀ ସରକାରଙ୍କ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିବା ସହ ଶପଥ ନେଇଛନ୍ତି ୩ ଓଡ଼ିଆ। ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ଅଶ୍ୱିନୀ, ଧର୍ମେନ୍ଦ୍ର ଏବଂ ଜୁଏଲ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଳାଇ ସାରିଛନ୍ତି ।

H6. ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ଆକ୍ରମଣ
ଜମ୍ମୁର ରେସି ଜିଲ୍ଲାରେ ଯାତ୍ରୀ ଭରା ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ବସ୍ ଏକ ଘାଇରେ ପଡ଼ିଯାଇଥିଲା। ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୩ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ଡେପୁଟି କଲେକ୍ଟର ୧୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଆତଙ୍କବାଦୀମାନେ ବସ୍ ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି କାରଣରୁ ଡ୍ରାଇଭର ବସର ନିୟନ୍ତ୍ରଣ ହରାଇଥିଲା ଓ ଏକ ଗଭୀର ଘାଇରେ ବସ୍ ଖସିପଡ଼ିଥିଲା। ସୂଚନାନୁସାରେ, ଏହି ୫୫ ସିଟ୍ ବସ୍ ଶିବଖୋଡିରୁ କଟରା ଅଭିମୁଖେ ଯାଉଥିଲା। ଏହି ଆକ୍ରମଣରେ ଆଉ କିଛି ଲୋକଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। 

H7. ରାଜନୀତି ଛାଡ଼ିଲେ ପାଣ୍ଡିଆନ୍‌
ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭି.କେ ପାଣ୍ଡିଆନ୍‌। ଆଜି ସୋଶାଲ୍‌ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ଏଥିସହ ହାତ ଯୋଡ଼ି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ୍‌ ମାଗିଛନ୍ତି ଭିକେ ପାଣ୍ଡିଆନ୍‌। ଭିଡିଓ ବାର୍ତ୍ତା ଜାରି କରି ଭି.କେ ପାଣ୍ଡିଆନ୍‌ କହିଛନ୍ତି, ମୁଁ ଗୋଟିଏ ଛୋଟିଆ ଗାଁର ଏକ ବିନମ୍ର ପରିବାରରୁ ଆସିଛି। ଆଇଏଏସ୍‌ ଅଫିସର ହୋଇ ଲୋକଙ୍କ ପାଇଁ ସେବା କରିବାକୁ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇଛି। ମୋ ପରିବାର କେନ୍ଦ୍ରପଡ଼ାର ହୋଇଥିବାରୁ ମୁଁ ଓଡ଼ିଶା ଆସିବାକୁ ସୁଯୋଗ ପାଇଥିଲି।

H8. ମୁଖ୍ୟମନ୍ତ୍ରୀ ବାଛିବେ ଦୁଇ କେନ୍ଦ୍ରମନ୍ତ୍ରୀ
ରବିବାର ସରିଛି ମୋଦି ୩.୦ ସରକାର ଶପଥ ଗ୍ରହଣ। ହେଲେ ବର୍ତ୍ତମାନ ସୁଦ୍ଧା ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି। ଅନ୍ୟପଟେ ପୂର୍ବରୁ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନିର୍ଦ୍ଧାରିତ ହୋଇଥିବାବେଳେ ଏଥିରେ ପରିବର୍ତ୍ତନ ହୋଇ ୧୦ ପରିବର୍ତ୍ତେ ୧୨କୁ ଘୁଞ୍ଚିଛି ଶପଥ ଗ୍ରହଣ ଉତ୍ସବ। କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଇଁ ଚେହେରା ବାଛିବା ଦାୟିତ୍ୱ ଦେଇଛି। ଏଥିପାଇଁ ଉଭୟଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏହି ସୂଚନା ଦେଇଛନ୍ତି।

H9. ଓଡ଼ିଶା ଛୁଇଁଲା ମୌସୁମୀ, ତଥାପି କମୁନି ତାତି 
ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁଥିଲେ ବି ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଉପକୂଳରେ ମଧ୍ୟ ଲାଗି ରହିଛି ଅସହ୍ୟ ଗୁଳୁଗୁଳି । ଆହୁରି ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

H10. ପାକିସ୍ତାନକୁ ହରାଇଲା ଭାରତ
ଚଳିତ ବିଶ୍ୱକପରେ ଏକ ହାଇଭୋଲଟେଜ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଛି ଭାରତ। ରୋମାଞ୍ଚକର ମୁକାବିଲରେ ୬ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। କମ୍ ସ୍କୋର ଥିଲେ ବି ଭାରତର ଘାତକ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ। ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୧୨୦ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୧୩ ରନ୍ କରି ପାରିଥିଲା। ଯଶପ୍ରୀତ ବୁମରା ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।