Top 10 News Headlines: ଆଜି ମହାପ୍ରଭୁଙ୍କ ବାହୁଡ଼ା, ପଢନ୍ତୁ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2336346

Top 10 News Headlines: ଆଜି ମହାପ୍ରଭୁଙ୍କ ବାହୁଡ଼ା, ପଢନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ଆଜି ମହାପ୍ରଭୁଙ୍କ ବାହୁଡ଼ା, ପଢନ୍ତୁ ସକାଳର ୧୦ ବଡ଼ ଖବର

Bahuda Yatra 2024: ଆଜି ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଆଡ଼ପ ମଣ୍ଡପକୁ ଛାଡ଼ି ପୁଣିଥରେ ଶ୍ରୀମନ୍ଦିର ଅଭିମୁଖେ ଆସିବେ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ନୀତି ନିର୍ଘଣ୍ଟ କରାଯାଇଛି।  ଶ୍ରୀମନ୍ଦିର ପକ୍ଷରୁ ପ୍ରକାଶିତ ନୀତି ତାଲିକା ଅନୁସାରେ ପ୍ରାତଃ ୪ଟାରେ ମଙ୍ଗଳ ଆଳତି ହୋଇଛି। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷହୋଇ ଗୋପାଳ ବଲ୍ଲଭ ଖେଚୁଡ଼ି ଭୋଗ ଶେଷ ହୋଇଛି। ସକାଳ ସାତଟା ସୁଦ୍ଧା ଏସବୁ ନୀତି ଶେଷ ହୋଇ ସେନାପଟା ଲାଗି ଆରମ୍ଭ ହୋଇଛି। ଦିନ ୧୨ଟାରେ ଆରମ୍ଭ ହେବ ବାହୁଡ଼ା ପହଣ୍ଡି। ଅପରାହ୍ଣ ୪ଟାରେ ରଥଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। 

Ratna Bhandar Reopend: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି । ମାର୍ଗଦର୍ଶିକାରେ ଗଠିତ ୧୧ ଜଣିଆ କମିଟିର ସଦସ୍ୟମାନେ ଆଜି ସକାଳେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଅନୁମତି ନେଇଥିଲେ । ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଉଚ୍ଚସ୍ତରୀୟ କମିଟିର ଏକ ବୈଠକ ବସି ସମସ୍ତ ପ୍ରସ୍ତୁତି ନେଇ ଚୂଡାନ୍ତ ରୂପରେଖ ସ୍ଥିର ହୋଇଥିଲା । ପରେ କମିଟି ସଦସ୍ୟମାନେ ମିଳିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମା ବିମଳା, ମା ଲକ୍ଷ୍ମୀ ତଥା ବେଢାସ୍ଥିତ ଦେବାଦେବୀଙ୍କ ଦର୍ଶନ କରିଥିଲେ କମିଟି ସଦସ୍ୟ । ଏହାପରେ ପାରମ୍ପରକି ଧୋତି ଏବଂ ଗାମୁଛା ପରିଧାନ କରି ଶୁଭ ବେଳା ଦିନ ୧ଟା ୨୮ ମିନିଟରେ ଜଗମୋହନଙ୍କୁ ପ୍ରବେଶ କରିଥିଲେ ।

Ratna Alankar Transferred: ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଚାଙ୍ଗଡା ଘରକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଭିତର ରତ୍ନଭଣ୍ଡାରର ତାଲା କାଟି ତା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଥିବା କଥା ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ କହିଛନ୍ତି । ଏହାସହ ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି। 

Odisha Weather Report: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ।ଯାହା ସମୁଦ୍ର ପତ୍ତନର ୫.୮କିମି ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୧୭ ତାରିଖ ସକାଳ ସୁଦ୍ଧା ହାଲୁକା ବର୍ଷା ରହିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ରହିଛି। ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।ଘୂର୍ଣ୍ଣିବଳୟ ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ୧୯ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହୋଇ ୨୧ ତାରିଖ ଯାଏ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା କରାଇବା ନେଇ ପୂର୍ବାନୁମାନ କରାଯାଇଛି । 

Fire Extinguishers In Medical: କଟକ ତେଲେଙ୍ଗାବଜାର ସ୍ଥିତ ଦୁଇଟି ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟଣା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏଣିକି ମେଡିକାଲରେ ନିୟମିତ ଯାଞ୍ଚ ହେବ ଅଗ୍ନି ନିର୍ବାପକ ଯନ୍ତ୍ର । ଏନେଇ ସ୍ବାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦୁ୍ୟତ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କ ଫୋର୍ସ ଗଠନ କରାଯିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ରୋକିବା ପାଇଁ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ । ସ୍ବାସ୍ଥ୍ୟ ସେବା ଯୋଗାଉଥିବା ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ଏଥି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌, ଜିଲ୍ଲା ସଦର ମହକୁମା ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଭବିଷ୍ୟତରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି ।

Losabha Deputy Leader: କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଲୋକସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଜଣାଇ ଦିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାଚସ୍ପତିଙ୍କୁ ପତ୍ର ଲେଖି ଲୋକସଭାରେ କଂଗ୍ରେସର ଉପନେତା, ମୁଖ୍ୟ ହୁଇପ୍‌ ଓ ୨ ଜଣ ହୁଇପ୍‌ ନିଯୁକ୍ତି ସମ୍ପର୍କରେ ଜଣାଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି। କେରଳରୁ ଲୋକ ସଭାକୁ ୮ ଥର ନିର୍ବାଚିତ ହୋଇଥିବା କୋଡିକୁନିଲ ସୁରେଶଙ୍କୁ କଂଗ୍ରେସର ମୁଖ୍ୟ ହୁଇପ୍‌ ଭାବେ ନିଯୁକ୍ତି ଦିଆଯିବାକୁ ଥିବାବେଳେ ବିରୁଧୁନଗର ଏମ୍‌ପି ମନିକମ୍‌ ଟାଗୋର ଏବଂ କିଶନଗଞ୍ଜ ଏମ୍‌ପି ମହମ୍ମଦ ଜାଓ୍ବେଦଙ୍କୁ ହୁଇପ୍‌ ନିଯୁକ୍ତି କରାଯିବ। ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରାଯାଇଛି।

PM Modi X Account Cross 100 Million Followers: ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡ଼ିଆ ଏକ୍ସରେ ନିଜର ସ୍ୱତନ୍ତ୍ର ରେକର୍ଡ କରିଛନ୍ତି ।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟୁଇଟର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର  ୧୦୦ ମିଲିୟନ ଅର୍ଥାତ୍‌ ୧୦ କୋଟି ଫଲୋୟର୍ସ ଅତିକ୍ରମ କରିଛନ୍ତି। ଏହା ସହିତ ସେ ଅଧିକ ଫଲୋ କରାଯାଉଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୩୮.୧ ମିଲିୟନ ଫଲୋୟର୍ସ, ଦୁବାଇ ଶାସକ ଶେଖ ମହମ୍ମଦ ୧୧.୨ ମିଲିୟନ ଫଲୋୟର୍ସ ଏବଂ ପୋପ ଫ୍ରାନ୍ସିସ ୧୮.୫ ମିଲିୟନ ଫଲୋୟର୍ସଙ୍କ ପରି ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱ ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି।X ରେ ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱର ନେତାମାନେ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ହେବାକୁ ଆଗ୍ରହୀ ଅଟନ୍ତି। 

Delhi Hospital Horror: ଆଜି ଦିଲ୍ଲୀର ଏକ ସରକାରୀ ହସ୍‌ପିଟାଲ୍‌ ରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀକୁ ଜଣେ ୧୮/୧୯ ବର୍ଷର ଯୁବକ ଗୁଳି କରି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ଅତି ରହସ୍ୟଜନକ ଭାବେ ଫେରାର୍‌ ହୋଇଯାଇଛି। ଅତିରିକ୍ତ ପୋଲିସ ଉପ-କମିଶନର ବିଷ୍ଣୁ କୁମାର ଶର୍ମାଙ୍କ ସୂଚନାନୁସାରେ, ଜୁନ୍‌ ୨୩ ତାରିଖରେ ଖଜୁରିଖାସ ଇଲାକାର ରିଆଜୁଦ୍ଦିନ୍‌ (୩୫)ପେଟ ଯନ୍ତ୍ରଣା ନିମନ୍ତେ ଗୁରୁ ତେଗ୍‌ ବାହାଦୁର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପେଟରେ ଅସ୍ତ୍ରୋପଚାର ପରେ ରିଆଜୁଦ୍ଦିନ୍‌ ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ଗତକାଲି ଅପରାହ୍‌ଣ ୪ଟା ବେଳେ ଡାକ୍ତର ରିଆଜୁଦ୍ଦିନଙ୍କୁ ପଟି ବାନ୍ଧୁଥିବା ବେଳେ ରୋଗୀଙ୍କୁ ହତ୍ୟା କରିଥିଲା ଜଣେ ଦୁର୍ବୃତ୍ତ। 

Nepal PM KP Sharma Oli: ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୈତିକ ହଲଚଲ୍ । ଆସ୍ଥା ଭୋଟରେ ହାରିଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ । ରବିବାର ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା CPN-UMLର ସମର୍ଥନରେ ସରକାର ଗଠନ କରିଥିଲେ । ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା। ତେବେ ଆସ୍ଥା ଭୋଟ ହାରିବା ପରେ ଆଜି ଶପଥ ନେବେ କେପି ଶର୍ମା ଓଲି। 

T20 Series:ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟି-୨୦ ସିରିଜ୍‌ କବଜା କରିଛି ଭାରତୀୟ ଟିମ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି ନେଇଛି। ଗତକାଲି ଶେଷ ମ୍ୟାଚ୍‌କୁ ମଧ୍ୟ ଦଳ ୪୨ରେ ବାଜିମାତ କରିଛି। ଏଥିସହ ଟି-୨୦ କ୍ରିକେଟରେ ବିଶ୍ୱ ବିଜେତା ଭାରତ ନିଜ ଦବଦବା ଅକ୍ଷୁଣ୍ଣ ରଖିବାକୁ ସକ୍ଷମ ହୋଇଛି। ଗତକାଲିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା। ଦଳ ପାଇଁ ସଞ୍ଜୁ ସାମସନ ସର୍ବାଧିକ ୫୮ ରନର ଇନିଂସ ଖେଳିଥିଲେ। ୧୬୮ ରନର ପିଛା କରୁଥିବା ଘରୋଇ ଟିମ ଜିମ୍ବାୱେ ମୁକେଶ କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ୧୨୫ ରନରେ ଅଲଆଉଟ ହୋଇଥିଲା।