Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2185012

Top 10 News Headlines: ସକାଳର 10ଟି ବଡ଼ ଖବର

ଚୁଟକୀରେ ପଢି ନିଅନ୍ତି ପୂରା ରିପୋର୍ଟ

Top 10 News Headlines: ସକାଳର 10ଟି ବଡ଼ ଖବର

H1. କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା
କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା। ଗଣେଶ୍ୱର ଆଜି ତାଙ୍କର ଇସ୍ତଫା ପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି। 

H2. ଶାନ୍ତିଲତାଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ
ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି। ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

H3. ୪୦ ଡିଗ୍ରୀ ଛୁଇଁଲା ୮ ସହର ତାତି
୨୪ ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିଛି ତାତି। ଆଜି ଅସମ୍ଭାଳ ହୋଇଛି ସ୍ଥିତି। ୮ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଓ ଉତ୍ତର ଓଡ଼ିଶାର ବାରିପଦାରେ ସର୍ବାଧିକ ତାତି ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରେ ୩୮.୫ ଡିଗ୍ରୀ, ଚାନ୍ଦବାଲିରେ ୩୯.୬ ଡିଗ୍ରୀ, କଟକରେ ୩୯.୪ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୯.୪ ଡିଗ୍ରୀ, ଗୋପାଳପୁରରେ ୩୧.୮ ଡିଗ୍ରୀ, ପୁରୀରେ ୩୩.୫ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ବାରିପଦାରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮.୦ ଡିଗ୍ରୀ, ସମ୍ୱଲପୁରରେ ୩୮.୮ ଡିଗ୍ରୀ ଓ ସୁନ୍ଦରଗଡ଼ରେ ତାପମାତ୍ରା ୩୮.୯ ଡିଗ୍ରୀ ରେକର୍ଡ କରାଯାଇଛି।

H4. ଆଜିଠୁ ସ୍କୁଲ୍ ଓ ଅଙ୍ଗନବାଡି ସକାଳୁଆ
ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ତ ଗ୍ରୀଷ୍ମ ଲହରକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପରେ ଅଙ୍ଗନବାଡି଼ କେନ୍ଦ୍ରର ସମୟରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଆଜିଠାରୁ ସକାଳୁଆ ହୋଇଛି ଅଙ୍ଗନବାଡି କେନ୍ଦ୍ର। ସକାଳ ୭ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡି଼ ଖୋଲା ରହିବ। ଖରାକୁ ଦୃଷ୍ଟିରେ ରଖି  ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୋମବାର ମାର୍ଗ ଦର୍ଶିକା ମଧ୍ୟ ଜାରି କରାଯାଇଛି। ଶୁଦ୍ଧ ପିଇବା ପାଣି, ଓଆରଏସ୍ ମହଜୁଦ୍ ରଖିବା ସହ ଆନୁସଙ୍ଗିକ  ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ମୁକାବିଲା କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ପରେ ଏହି ନିସ୍ପତି ନିଆଯାଇଛି।

H5. ତିହାର ଜେଲରେ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଶେଷ ହେବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ସୋମବାର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲେ। ଇଡି ଦାବିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ହେପାଜତରେ ଅଧିକ ପଚରାଉଚୁରାର ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲର ୫ ନମ୍ବରରେ ରଖାଯାଇଛି। 

H6. ଇଭିଏମ୍ ସହିତ ଭିଭିପାଟ ସ୍ଲିପ୍ ଗଣତି ପାଇଁ ଦାବି 
ନିର୍ବାଚନରେ ଭୋଟର ଭିଭିପାଟ୍ ସ୍ଲିପର ବ୍ୟାପକ ଗଣନା ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଏବେ କେବଳ ୫ଟି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ଭିଭିପାଟ ପେପର ସ୍ଲିପ୍ ଜରିଆରେ ଯାଂଚ କରାଯାଉଛି । ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ତଥା ସାମାଜିକ କର୍ମୀ ଅରୁଣ କୁମାର ଅଗ୍ରୱାଲଙ୍କ ଆବେଦନ ଉପରେ ଉଭୟ ନିର୍ବାଚନ କମିଟି ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଆସନ୍ତା ୧୭ ତାରିଖରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି ।

H7. ୬୭ ଲକ୍ଷ ଆକାଉଣ୍ଟକୁ ବ୍ୟାନ କଲା ହ୍ୱାଟସଆପ
ମେଟା ମାଲିକାନା ଅଧିନରେ ଥିବା ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ ଭାରତରେ ପ୍ରମୁଖ ପଦକ୍ଷେପ ନେଇଛି। ଫେବୃଆରୀ ମାସରେ ହ୍ୱାଟସ୍ ଆପ୍ ରେକର୍ଡ ୭୬.୨୮ ଲକ୍ଷ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଛି। ଏହାପୂର୍ବରୁ ଗତ ଜାନୁଆରୀ ମାସରେ ହ୍ୱାଟସ୍ ଆପ୍ ପ୍ରାୟ ୬୭.୭୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ଆମେ ହ୍ୱାଟସ୍ ଆପରେ ଅଶ୍ଳୀଳ କିମ୍ବା ଉତ୍ତେଜନା ସୃଷ୍ଟିକାରୀ ପ୍ରସଙ୍ଗକୁ ସେୟାର କରିପାରିବ ନାହିଁ। 

H8. ସ୍ଥଳଭାଗରେ ଦେଖିବେ ଅକ୍ଟୋପସ
ସମୁଦ୍ର ପରେ ଏବେ ସ୍ଥଳଭାଗରେ ଅକ୍ଟୋପସ ଦେଖିବେ ରାଜଧାନୀ ବାସିନ୍ଦା। ଆଜ୍ଞା ହଁ ଏପରି ବ୍ୟବସ୍ଥା କରିବାକୁ ଯାଉଛି ଦିଲ୍ଲୀ ନଗର ନିଗମ (ଏମସଡ଼ି)। ଛୋଟ ପିଲାଙ୍କୁ ସାମୁଦ୍ରିକ ଜୀବନ ବିଷୟରେ ଶିକ୍ଷା ଦେବା ପାଇଁ ଏପରି ପଦକ୍ଷେପ ନେଇଛି ଏମସିଡ଼ି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରୋହିଣୀ ଅଞ୍ଚଳରେ ଏକ "ଅକ୍ଟୋପସ୍ ଥିମ୍ ପାର୍କ" ନିର୍ମାଣ କରିବାକୁ ଏମସଡ଼ି ଯୋଜନା କରୁଛି। ଅକ୍ଟୋପସ୍ ଥିମ୍ ପାର୍କ ପାଇଁ ଦିଲ୍ଲୀ ନଗର ନିଗମ ପାଇଁ ଟେଣ୍ଡର ମଧ୍ୟ ଜାରି ହୋଇଛି। ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ପ୍ରାୟ ୨.୫ କୋଟି ଟଙ୍କା ମୂଲ୍ୟ "ଅକ୍ଟୋପସ୍ ଥିମ୍ ପାର୍କ" ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଏମସଡ଼ି ଲକ୍ଷ୍ୟ ରହିଛି। ଏହି ଥିମ୍ ପାର୍କ ଠାରେ ଏକ ବଡ଼ ଅକ୍ଟୋପସ୍ ମଧ୍ୟ ନିର୍ମାଣ କରାଯିବ।

H9. ପୁଣିଥରେ ପିଟିହେଲା ବନ୍ଦେ ଭାରତ ଏକ୍ସପ୍ରେସ
ଗୁଜୁରାଟ ଜାମନଗର ରେଳ ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ। ହେଲେ ଏହି ଦୁର୍ଘଟଣାରେ ସେପରି କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ। ହେଲେ ଟ୍ରେନ୍ ଇଞ୍ଜିନ ଆଶିଂକ ଅଂଶ ନଷ୍ଟ ହୋଇଯାଇଛି। ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏକ ମଇଁଷି ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ରବିବାର ରାତିରେ ଜାମନଗର ନିକଟସ୍ଥ ଧରଣନଗର ନିକଟରେ ଏହି ଘଟଣା ସାମ୍ନାକୁ ଆସିଛି। ଯାତ୍ରୀଙ୍କୁ ନେଇ ଜାମନଗର ଠାରୁ ଓକା ଯିବା ସମୟରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

H10. ମତ ବଦଳାଇଲେ ଖାରବେଳ
୨୦୨୪ ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଏନେଇ ସେ ଆଗରୁ କହିଥିଲେ ଯେ ସେ କନ୍ଧମାଳରୁ ଲଢ଼ିବାକୁ ଚାହୁଁ ନାହାନ୍ତି। ପୁଣି ବାଲେଶ୍ୱର ଲୋକସଭା ଆସନରୁ ଟିକଟ ନ ମିଳିବାରୁ ସ୍ୱାଧିନ ଭାବେ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିଲେ। ହେଲେ ଏବେ ନିଜର ମତ ପରିବର୍ତ୍ତନ କରିଛନ୍ତି। ଖାରବେଳ ସ୍ୱାଇଁ ନୀଳଗିରି ବିଧାନସଭା ଆସନରୁ  ବିଧାୟକ ଭାବେ ଲଢ଼ିବାକୁ ଆଶା ପୋଷଣ କରିଛନ୍ତି। ଏନେଇ ସେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ପ୍ରସ୍ତାବ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି।