Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2363290

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

H1. ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା
ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। କେଉଁଠି ଝିପିଝିପି ତ ଆଉ କେଉଁଠି ମୂଷଳଧାରରେ ବର୍ଷୁଛି। ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ଲାଗି ରହିଛି ବର୍ଷା। ଆଜି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

H2.ହିମାଚଳ ଓ ଉତ୍ତରାଖଣ୍ଡରେ ଜଳ ପ୍ରଳୟ, ୧୩ ମୃତ
ଉତ୍ତର ଭାରତରେ ଦାଉ ସାଧିଛି ପ୍ରକୃତି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଡ୍ୟାମ୍‌ କାନ୍ଥ ଭାଙ୍ଗିଛି ତ ଆଉ କେଉଁଠି ଘର ଧୋଇ ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି। ରାମପୁର ସମେଜ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି। ସେପଟେ କୁଲ୍ଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

H3. ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ
ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀ ବେହାଲ ହୋଇଛି। ବିଭିନ୍ନ ସ୍ଥାନ ଜଳମଗ୍ନ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଣେ ଶିଶୁ ଏବଂ ମହିଳା ଏକ ନିର୍ମାଣାଧୀନ ନାଳରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ହିମାଚଳ ପ୍ରଦେଶରେ ମଧ୍‍ୟ ବନ୍ୟା ସୃଷ୍ଟି ହୋଇଛି। ବ୍ୟାସ ନଦୀରେ କୋଠା ଭାସିଯାଇଥିବା ସୂଚନା ମିଳିଛି। ବନ୍ୟା ପରିସ୍ଥିତିକୁ ଦେଖି ଏହି ଘରକୁ ଖାଲି କରାଯାଇଥିଲା ଏଣୁ ଧନଜୀବନ କ୍ଷତିକୁ ଏଡ଼ାଯାଇପାରିଛି। 

H4. ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।  ଆଜିଠାରୁ ଖୋଲିଲା ଭିତରକନିକା । ଦୀର୍ଘ ୩ ମାସ ପରେ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।  କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା। ଦିର୍ଘ ତିନି ମାସ ପରେ ଏହି ଜାତୀୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ, ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ସ୍କାଏ ୱାକ୍ ବା ୱାକ୍ ୱେ। 

H5. ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲା: ରାୟ ଦେଲେ ହାଇକୋର୍ଟ
ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗା ମସଜିଦ ବିବାଦରେ ହିନ୍ଦୁ ପକ୍ଷ ଏକ ବଡ଼ ବିଜୟ ହାସଲ କରିଛି। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ହିନ୍ଦୁମାନଙ୍କ ସପକ୍ଷରେ ରହିଛି। ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷର ଆପତ୍ତିକୁ ଖାରଜ କରିଛନ୍ତି। ମନ୍ଦିର-ମସଜିଦ ବିବାଦରେ ଚାଲିଥିବା ମାମଲାଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଛି। ଆହ୍ଲାବାଦ ହାଇକୋର୍ଟ ଆଦେଶ ୭ ନିୟମ ୧୧ ଅନୁଯାୟୀ ମୁସଲିମ ପକ୍ଷରୁ ଉଠାଯାଇଥିବା ଆପତ୍ତି ଖାରଜ କରିଛନ୍ତି। ହିନ୍ଦୁ ପକ୍ଷରୁ ଦାଖଲ ହୋଇଥିବା ୧୫ଟି ମାମଲାରେ ହାଇକୋର୍ଟ ଆନ୍ତରୀଣ ରାୟ ଦେଇଛନ୍ତି। ଅଦାଲତ ନିଜ ରାୟରେ କହିଛନ୍ତି ଯେ ହିନ୍ଦୁ ଦଳର ସମସ୍ତ ମାମଲାର ଶୁଣାଣି ଯୋଗ୍ୟ।

H6. ଓଡ଼ିଶା ନମ୍ବର ୱାନ
ଶକ୍ତି ସଂରକ୍ଷଣରେ ସାରା ଭାରତରେ ଆଗୁଆ ରହିଛି ଓଡ଼ିଶା। ଯଦିଓ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କୁ ସରକାର ଗଠନ ପାଇଁ ରାଜ୍ୟରୁ ଅଧିକ ସମର୍ଥନ ମିଳିନଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦୀଙ୍କ ପ୍ରତିଟି କଥାକୁ ଯଥେଷ୍ଟ ସମ୍ମାନ ଦେଇ ଶକ୍ତି ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଥିଲା। ଆଉ ଆଜି ସାରା ଦେଶରେ ଏଲଇଡି ବଲବ ବ୍ୟବହାର କରି ସାରା ଭାରତରେ ନାଁ କମାଇଛି। ଲୋକସଭାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହା ସ୍ପଷ୍ଟ କରିଛନ୍ତି। 

H7. ଓଡ଼ିଶା ବିଧାନସଭାର ଅନ୍ତରୀଣ ବିରତି
ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନକୁ ଆନ୍ତରୀଣ ବିରତି ପ୍ରଦାନ କରାଯାଇଛି। ନିର୍ଘଣ୍ଟ ଅନୁସାରେ ୨୨ ତାରିଖରେ ପୁଣିଥରେ ବିଧାନସଭା ଆରମ୍ଭ ହେବ। ଏହାପରେ ବିଭାଗୀୟ ଅନୁଦାନ ସମ୍ପର୍କରେ ଆଲୋଚନା ହେବ। 

H8. ଆଜି ସମ୍ବଲପୁର ଦିନ୍
ଆଜି ସମ୍ବଲପୁର ପାଳୁଛି ସମ୍ବଲପୁରୀ ଦିନ୍‍। ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ବଲପୁରୀ ଦିନ୍‍ ଭାବେ ପାଳନ କରାଯାଇ ଆସୁଛି। ସମ୍ବଲପୁରୀ ଭାଷାକୁ ନିର୍ଦ୍ଦିଷ୍ଟ ଲିଖନ ଶୈଳୀ ପ୍ରଦାନ କରିଛନ୍ତି ସତ୍ୟ ନାରାୟଣ। ଭାଷା ଓ ସଂସ୍କୃତିର ସୁରକ୍ଷା ଲାଗି ତାଙ୍କ ଉଦ୍ୟମକୁ ପ୍ରଶଂସା କରି ଆଜିର ଦିନକୁ ପାଳନ କରାଯାଉଛି।

H9. ପରଲୋକରେ ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ୱାଡ
କିଂବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ୧୯୮୩ ଦିନିକିଆ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି ଗାଏକ୍ବାଡ।୧୯୭୫ ମସିହାଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ୪୦ ଟେଷ୍ଟ, ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ୧୯୯୭ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। 

H10. ପ୍ୟାରିସ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ପଦକ, ଶୁଟର ସ୍ୱପ୍ନିଲ ଆଣିଲେ ବ୍ରୋଞ୍ଜ
ପ୍ୟାରିସ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲ ମୁକାବିଲାରେ ବ୍ରୋଞ୍ଜ ଜିତିଛି ଭାରତ। ଶୁଟର ସ୍ୱପ୍ନିଲ କୁଶାଲେ ଏହି ବିଜୟ ଭେଟି ଦେଇଛନ୍ତି। ଏହି ବିଜୟ ସହ ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ମଧ୍ୟ ଭାରତକୁ ଦୁଇଟି ବ୍ରୋଞ୍ଜ ମିଳିଥିଲା। ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ମନୁ ଭାକର ପ୍ରଥମ ବ୍ରୋଞ୍ଜ ଭେଟି ଦେଇଥିଲେ।