Pakistan Politics: ଗଣତନ୍ତ୍ର ଆଗରେ ଭାରୀ ପଡ଼ିଗଲା ଶୀତ; ଜାଣନ୍ତୁ ପୁରା ଘଟଣାାକ୍ରମ
Advertisement
Article Detail0/zeeodisha/odisha2047305

Pakistan Politics: ଗଣତନ୍ତ୍ର ଆଗରେ ଭାରୀ ପଡ଼ିଗଲା ଶୀତ; ଜାଣନ୍ତୁ ପୁରା ଘଟଣାାକ୍ରମ

Pakistan Parliamentary Election 2024: ପାକିସ୍ତାନ ଭଳି ଦେଶରେ ଗଣତନ୍ତ୍ର କେତେ ମଜବୁତ ତାହା ପୁଣି ଥରେ ସ୍ପଷ୍ଟ ହୋଇଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଣତନ୍ତ୍ର ଆଗରେ ଶୀତ ଭାରୀ ପଡ଼ିଯାଇଛି।

 

 

Pakistan Politics: ଗଣତନ୍ତ୍ର ଆଗରେ ଭାରୀ ପଡ଼ିଗଲା ଶୀତ; ଜାଣନ୍ତୁ ପୁରା ଘଟଣାାକ୍ରମ

Pakistani General Election 2024: ଓଡ଼ିଆ ଭାଷାରେ ଏକ ରୁଢି ରହିଛି। ତାହା ହେଉଛି "ଚାଲି ନଜାଣି ବାଟର ଦୋଷ" ଯାହାର ଅର୍ଥ ହେଉଛି ଚାଲିବା ଆଗରୁ ବାଟକୁ ଦେଖିବା ବୁଦ୍ଧିମାନର କାମ। ଯଦି ଚାଲିବା ଆଗରୁ ବାଟ ଦେଖାନଯାଏ ତାହେଲେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି। ଏହି ରୁଢି ପାକିସ୍ତାନ ଗଣତନ୍ତ୍ର ସହିତ ମେଳ ଖାଉଥିବାର ଦେଖିବାକୁ ମିଳୁଛି।  ପାକିସ୍ତାନ ରାଜନୀତିରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ପାକିସ୍ତାନୀ ନାଗରିକ ନିଜ ଗଣତନ୍ତ୍ର ବଞ୍ଚାଇବାକୁ ଚାହୁଁଥିବା ବେଳେ, ଦେଶର ଶାସନ ଗାଦିରେ ବସିଥିବା ଶାସକ ନିଜ ସ୍ୱାର୍ଥ ସାଧନ କରିବାରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଯେତେବେଳେ ଦେଶର ସାଧାରଣ ନିର୍ବାଚନ ହେବାର ସମୟ ପାଖେଇ ଆସିଲା ​​ସେତେବେଳେ କୁହାଗଲା ଯେ ଅତ୍ୟଧିକ ଥଣ୍ଡା କାରଣରୁ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ନାହିଁ। ସେଥିପାଇଁ ଗତ ଶୁକ୍ରବାର ପାକିସ୍ତାନ ସଂସଦର ଉଚ୍ଚ ସଦନରେ ଏକ ସଂକଳ୍ପ ପାରିତ ହୋଇଥିଲା। ଯେଉଁଥିରେ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ବାଚନ ବିଳମ୍ବ କରିବାକୁ ଦାବି ହୋଇଥିଲା। ଯାହା ଖୁବ ଶୀଘ୍ର ଅନୁମୋଦିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବା ଲାଗି କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ହେଲେ ଏହାର ସମ୍ଭାବନା ନାହିଁ ବୋଲି ବର୍ତ୍ତମାନ ସମୟରୁ ଜଣାପଡ଼ି ଗଲାଣି। ନିର୍ବାଚନ କାହିଁକି ବିଳମ୍ବରେ ହେବ ତାହାର ଅନ୍ୟ ଦିଗକୁ ମଧ୍ୟ ଦେଖିବାର ଆବଶ୍ୟକତା ରହିଛି।

ପାକିସ୍ତାନ ରାଜନୀତିରେ ପ୍ରଭାବ ବିସ୍ତାର ପାଇଁ ଲଢୁଛନ୍ତି ୩ ଦଳ
ଏହା ସତ୍ୟ ଯେ ପାକିସ୍ତାନ ରାଜନୀତିରେ ପ୍ରଭାବ ବିସ୍ତାର ପାଇଁ ୩ ଦଳ ମଧ୍ୟରେ ଲଢେଇ ଅନୁଷ୍ଠିତ ହେଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନେତୃତ୍ୱାଧିନ ପାକିସ୍ତାନ ତେହେରିକ-ଇ-ଇନସାଫ୍ ଦଳକୁ ଦେଶର ରାଜନୀତିରୁ ହଟାଇବା ପାଇଁ ଅନ୍ୟ ୨ ପ୍ରମୁଖ ଲାଗି ପଡ଼ିଛନ୍ତି। ସେହି ୨ ଦଳ ହେଉଛନ୍ତି ପାକିସ୍ତାନ ମୁସଲିମ ଲିଗ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି। କାରଣ ଗତ ୨୦୧୮ ସାଧାରଣ ନିର୍ବାଚନ ପରେ ଯେତେବେଳେ ଇମରାନ ଖାନଙ୍କ ନେତୃତ୍ୱାଧିନ ତେହେରିକ-ଇ-ଇନସାଫ୍ ସରକାର ଗଠନ କରିଥିଲା, ସେତେବେଳେ ଅନେକ ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳିଥିଲା। ଧିରେ ଧିରେ ବିରୋଧି ଦଳ ଏକାଠି ଏକ ହୋଇ ଇମରାନ ଖାନଙ୍କୁ ସରକାରକୁ ପରାସ୍ତ କରିଥିଲେ। ଏହା ପରେ ସମସ୍ତେ ପାକିସ୍ତାନ ମୁସଲିମ ଲିଗ୍ ଅଧ୍ୟକ୍ଷ  ଶାହୱାଜ ସରିଫଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲେ। ଯେଉଁ ସରକାରରେ ବିଲାୱଲ ଭୂଟ୍ଟୋଙ୍କ ନେତୃତ୍ୱାଧିନ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟ  ସାମିଲ ହୋଇଥିଲା। ବିରୋଧି ଦଳଙ୍କୁ ନେଇ ଗଠିତ ସରକାର କ୍ଷମତାସୀନ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନନ ଖାନଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଏହା ପରେ ଦେଶର ଅନ୍ୟତମ ଜଣାଶୁଣା ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱଦେଶ ଫେରି ଆସିଥିଲେ। ବର୍ତ୍ତମାନ ତାଙ୍କ ନେତୃତ୍ୱରେ ପାକିସ୍ତାନ ମୁସଲିମ ଲିଗ୍ ୨୦୨୪ ସାଧାରଣ ନିର୍ବାଚନ ଲଢୁଛି।

କ'ଣ କହୁଛନ୍ତି ବିଶେଷଜ୍ଞ?
ପାକିସ୍ତାନ ରାଜନୀତିରେ ନଜର ରଖୁଥିବା ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଶୀତ ଋତୁକୁ କେବଳ ବାହାନା ଭାବରେ ବ୍ୟବହାର କରାଯାଉଛି। ଶାସକ ଦଳ ଏଭଳି କିଛି କାର୍ଯ୍ୟରେ ବ୍ୟସ୍ତ ରହିଥାଇ ପାରେ। ଯାହା ଦ୍ୱାରା ଦଳକୁ ନିର୍ବାଚନରେ ଫାଇଦା ମିଳିବ। କାରଣ ପାକିସ୍ତାନ ନାଗରି ପ୍ରତିଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସମବେଦନା ଜଣାଇଛନ୍ତି। ଦେଶର ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଇମରା ଖାନଙ୍କୁ ଭୁଲ ଉପାୟରେ କାରାଗାରରେ ରଖାଯାଇଛି। ଏହା ସତ୍ୟ ଯେ ପାକିସ୍ତାନରେ ମଧ୍ୟ ଶୀତ ଋତୁ ଆରମ୍ଭ ହୋଇଯାଇଛି। ହେଲେ ନିର୍ବାଚନ କାର୍ଯ୍ୟସୂଚୀ ପୂର୍ବରୁ ଘୋଷଣା ହୋଇସାରିଛି। କେଉଁ ସମୟରେ ନିର୍ବାଚନ ଅନୁଷ୍ଠିତ ହେବ ତାହା ଧାର୍ଯ୍ୟ ହୋଇ ସାରିଥିଲା।

କ'ଣ ରହିଥିଲା ଘଟଣାକ୍ରମ
ପାକିସ୍ତାନ ସଂସଦରସ ୫ ବର୍ଷର କାର୍ଯ୍ୟକାଳ ଅଗଷ୍ଟ  ୧୨ ତାରିଖରେ ଆନୁଷ୍ଠାନିକ ଭାବରେ ଶେଷ ହୋଇଥାନ୍ତା। ହେଲେ ଗତ ଅଗଷ୍ଟ ୯ ତାରିଖ ମଧ୍ୟରାତ୍ରୀରେ ପାକିସ୍ତାନ ସଂସଦ ଭଙ୍ଗ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ପରାମର୍ଶକ୍ରମେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ମଧ୍ୟରାତ୍ରୀରେ ଦେଶର ସଂସଦ ଭଙ୍ଗ କରି ଦେଇଥିଲେ। ଏହା ସହିତ ଶାହୱାଜ ସରିଫ ସରକାରଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯାଇଥିଲା। ସଂସଦ ଭଙ୍ଗ ସମ୍ପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପାକିସ୍ତାନ ସମ୍ବିଧାନର ଧାରା ୫୮ ଅନୁଯାୟୀ ଦେଶର ଜାତୀୟ ସଂସଦକୁ ଭଙ୍ଗାଯାଇଛି। ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଯେତେବେଳେ ପରିସ୍ଥିତି ନିଜ ସପକ୍ଷରେ ରହିବ ସେତେବେଳେ ସରକାର ନିର୍ବାଚନ କରିପାରନ୍ତି।

ଆଗକୁ କ'ଣ ହେବ?
ପାକିସ୍ତାନ ସଂସଦୀୟ ନିର୍ବାଚନ ଫେବୃଆରୀ ୮ ତାରିଖରେ ହେବା ନେଇ ସ୍ଥିର ହୋଇଥିଲା। ହେଲେ ନିର୍ବାଚନ ତାରିଖ ସ୍ଥଗିତ ରଖିବାକୁ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ଯାହା ଯଥା ଶୀଘ୍ର ଅନୁମୋଦନ ମିଳିପାରେ। ଏନେଇ କୁହାଯାଉଛି ଯେ ପାଣିପାଗ ଏବଂ ନିରାପତ୍ତାକୁ ବିଚାରକୁ ନେଇ ନିର୍ବାଚନକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ। କିନ୍ତୁ ଏହି ପ୍ରସ୍ତାବକୁ ମଧ୍ୟ ବିରୋଧ କରାଯାଇଛି। କେବଳ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟନିର୍ବାହୀ ସୂଚନା ମନ୍ତ୍ରୀ ମୁର୍ତାଜା ସୋଲାଙ୍ଗି ଏବଂ ପିଏମଏଲ-ଏନ ସାଂସଦ ଆଫନାନ ଉଲ୍ଲା ଖାନ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ନିର୍ବାଚନ ଆୟୋଜନ କରିବା ସମ୍ପର୍କରେ କେଉଁ ନିଷ୍ପତ୍ତି ନିଆଯାଉଛି। ମଧ୍ୟବର୍ତ୍ତୀ ସରକାରଙ୍କ ଇଚ୍ଛା ଅନୁଯାୟୀ ଏପରି ଘଟିଛି ନା ମଧ୍ୟବର୍ତ୍ତୀ ସରକାର ଏଥିରେ ଜଡିତ ନାହାଁନ୍ତି ତାହା ଆଗାମୀ ଦିନରେ ଜଣାପଡିବ?