Govt Contractual Employees: ଅବସରପ୍ରାପ୍ତଙ୍କୁ ଅବସର ଓ ସ୍ଥାୟୀଙ୍କୁ ମିଳିଲା ଉପହାର, ଠିକାଙ୍କୁ କଥା ଦେଇ ଠକିଦେଲେ ସରକାର
Advertisement

Govt Contractual Employees: ଅବସରପ୍ରାପ୍ତଙ୍କୁ ଅବସର ଓ ସ୍ଥାୟୀଙ୍କୁ ମିଳିଲା ଉପହାର, ଠିକାଙ୍କୁ କଥା ଦେଇ ଠକିଦେଲେ ସରକାର

ଗୋଟେପଟେ ରାଜ୍ୟର ହଜାର ହଜାର ଶିକ୍ଷିତ ଯୁବକ ଯୁବତି କାମ ଖୋଜିବା ପାଇଁ ବାହର ରାଜ୍ୟକୁ ଯାଉଛନ୍ତି, ଅନ୍ୟପଟେ ରାଜ୍ୟ ସରକାର ଅବସରପ୍ରାପ୍ତଙ୍କୁ ଥଇଥାନ କରିବାକୁ ଯୋଜନା କରୁଛନ୍ତି। ଏପରି କି ସେମାନଙ୍କୁ ଏକ ମୋଟା ଅଙ୍କର ଦରମା ମଧ୍ୟ ଦିଆଯାଉଛି। 

Govt Contractual Employees: ଅବସରପ୍ରାପ୍ତଙ୍କୁ ଅବସର ଓ ସ୍ଥାୟୀଙ୍କୁ ମିଳିଲା ଉପହାର, ଠିକାଙ୍କୁ କଥା ଦେଇ ଠକିଦେଲେ ସରକାର

Govt Contractual Employees: ଭୁବନେଶ୍ୱର: ସରକାରୀ କଳର ଏକ ବଡ ଭାଗ ଏବେ ସରକାରଙ୍କ ପାଇଁ ଅଲୋଡା ହୋଇଯାଇଛି। ସମସ୍ତଙ୍କ ନଜର ତାହାରି ଉପରେ ଅଛି କିନ୍ତୁ ପୀଡିତଙ୍କ ବ୍ୟତୀତ କେହି ମୁହଁ ଖୋଲୁ ନାହାନ୍ତି। ନିଜ ଦରମାକୁ ନେଇ ଚିନ୍ତିତ ଜନ ପ୍ରତିନିଧି ନିରବ ଆଉ ଅଝଟ ଶିଶୁକୁ ଲଲିପପ୍ ଦେଖିଇଲା ଭଳି ରାଜ୍ୟ ସରକାରୀ ଠିକା କର୍ମଚାରୀଙ୍କୁ ସରକାର ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି। ଠିକା କର୍ମଚାରୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ଅବଧି ସହି ୧୦ ଦିନ ହେଲାଣି। କିନ୍ତୁ ଆଧିକାରିକ ଭାବେ ସରକାର କର୍ମଚାରୀଙ୍କ ଦାବି ଉପରେ କଣ ନିଷ୍ପତ୍ତି ନେଲା ତାହା ଘୋଷଣା କରାଯାଇନାହିଁ। ସୂତ୍ରରୁ ପ୍ରକାଶ ଯେ ଚଳିତ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ମାମଲାର ରଫାଦଫା କରାଯିବ। 

ରାଜ୍ୟର ସାଢେ ଚାରି କୋଟି ଓଡିଆ ଗୋଟିଏ ପରିବାରର ସଦସ୍ୟ କିନ୍ତୁ ଏଠି ଘରରୁ ମୁଖିଆ ହିଁ କରୁଛନ୍ତି ଅଧିକ ପାତରଅନ୍ତର। ଦଶହରାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ତିନି ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଲା, ତାହା ପୁଣି ପିଛିଲା ଭାବରେ। ଚଳିତ ମାସରେ ସ୍ଥାୟୀ କର୍ମଚାରୀ ବର୍ଦ୍ଧିତ ଦରମା ପାଇ ନିଜ ପରିବାର ସହ ମଜାମସ୍ତିରେ ଦଶହରା ପାଳିଲେ। ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ଦରମା ମଧ୍ୟ ସର୍ବାଧିକ ୫୦୦୦୦ ହଜାର ଓ ସର୍ବନିମ୍ନ ୧୦୦୦୦କୁ ବୃଦ୍ଧି ପାଇଲା। ଏପରି କି ଅର୍ଥ ବିଭାଗର ବିନା ଅନୁମତିରେ ୫୦ ପ୍ରତିଶତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ସରକାର ଅନୁମତି ଦେଇ ଦେଲେ। ଅନ୍ୟପଟେ ସରକାରୀ ଚାକିରି କରୁଥିବା ଠିକା କର୍ମଚାରୀ କିନ୍ତୁ ଦିନ ମଜୁରୀଆଙ୍କ ମାସିକ ଆୟ ଠାରୁ କମ ଦରମାରେ ଦହଗଞ୍ଜ ହୋଇ ଜୀବନ କାଟୁଛନ୍ତି।

ଗୋଟେପଟେ ରାଜ୍ୟର ହଜାର ହଜାର ଶିକ୍ଷିତ ଯୁବକ ଯୁବତି କାମ ଖୋଜିବା ପାଇଁ ବାହର ରାଜ୍ୟକୁ ଯାଉଛନ୍ତି, ଅନ୍ୟପଟେ ରାଜ୍ୟ ସରକାର ଅବସରପ୍ରାପ୍ତଙ୍କୁ ଥଇଥାନ କରିବାକୁ ଯୋଜନା କରୁଛନ୍ତି। ଏପରି କି ସେମାନଙ୍କୁ ଏକ ମୋଟା ଅଙ୍କର ଦରମା ମଧ୍ୟ ଦିଆଯାଉଛି। ଯେଉ କ୍ଷେତ୍ରରେ ଅଭିଜ୍ଞ ଲୋକଙ୍କ ଆବଶ୍ୟକ ଅଛି ସେଥିରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନେଇ କାହାରି ଆପତ୍ତି ନାହିଁ। କିନ୍ତୁ ରାଜ୍ୟର ବେକାରୀ ସମସ୍ୟାର ଦୂରୀକରଣ ପାଇଁ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ରହିଛି। ରାଜ୍ୟ ସରକାରଙ୍କ ଅଜବ ନୀତି ମଧ୍ୟ ରହିଛି, ଅବସରଙ୍କୁ ଚାକିରି ମିଳୁଛି, ଅଥଚ ଠିକାରେ ଖଟୁଥିବା କର୍ମଚାରୀ ସ୍ଥାୟୀ ହୋଇପାରୁନାହିଁ। ରାଜ୍ୟରେ ଅନେକ ଉଦାହରଣ ରହିଛି, ଯେଉଁଠି ଜଣେ ବ୍ୟକ୍ତି ୧୫-୨୦ ବର୍ଷ ହେବ ଗୋଟିଏ ବିଭାଗରେ ଚାକିରି କରୁଛନ୍ତି କିନ୍ତୁ ସେ ଏବେ ମଧ୍ୟ ଠିକାରେ ଅଛନ୍ତି। ଅନ୍ୟପଟେ ଦିଲ୍ଲୀରେ ସେଠାକାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିପାଇଁ କେଜ୍ରିୱାଲ ସରକାର ବିଭିନ୍ନ ବିଭାଗକୁ କର୍ମଚାରୀଙ୍କ ତଥ୍ୟ ମାଗିଛନ୍ତି।

ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଓ ଚୁକ୍ତି ସମୟକୁ ସ୍ଥାୟୀ ଚିକିରି ଅବଧିରେ ସାମିଲ କରିବାକୁ ରାଜ୍ୟ ସରକାରୀ ଠିକା କର୍ମଚାରୀ ସଙ୍ଘ ଦୀର୍ଘ ଦିନରୁ ଆନ୍ଦୋଳନ କରିଆସୁଛି। ଗତ ସେପ୍ଟେମ୍ବର ୧୧ ତାରିଖରେ ଠିକା ନିଯୁକ୍ତି ପ୍ରତିବାଦରେ ୪୦୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଲୋକସେବା ଭବନ ଆଗରେ ପ୍ରଦର୍ଶନ କରିଥିଲେ। ଏଥିରେ ଭୟଭୀତ ହୋଇ ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ ବିଚାର କରିବାକୁ ୧୫ ଦିନ ସମୟ ମାଗିଥିଲେ। ସେହି ଅବଧି ପୁରି ଆଉ ୧୦ ଦିନ ବିତିଗଲାଣି କିନ୍ତୁ ରାଜ୍ୟ ସରକାର ଛେଳି ଗିଳିଥିବା ଅଜଗର ଭଳି ହଲଚଲ ହେଉ ନାହାନ୍ତି। ଆଶାଥିଲା ଦଶହରା ପୂର୍ବରୁ କିଛି ଗୋଟିଏ ଖୁସି ଖବର ଆସିବ। ଏହାରି ମଧ୍ୟରେ ଦୁଇ ଦୁଇ ଥର କ୍ୟାବିନେଟ ବୈଠକ ବସିଛି, କିନ୍ତୁ ଠିକା କର୍ମଚାରୀଙ୍କ ଦାବିକୁ ନେଇ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ବିଜେଡି ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ (ବବି ଦାଶ), ଠିକା କର୍ମଚାରୀଙ୍କ ଦାବି ବିଷୟରେ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଗୁରୁବାର ଏହି ମାମଲାରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି। ଆଉ ଅକ୍ଟୋବର ୧୨-୧୩ ତାରିଖ ବେଳକୁ ଠିକା କର୍ମଚାରୀ ସଙ୍ଘର ପ୍ରତିନିଧିଙ୍କ ସହ ଆଲୋଚନା କରିବାର ସମ୍ଭାବନା ଅଛି। ଏଭଳି କ୍ଷେତ୍ରରେ ଆଶା କରାଯାଉଛି ଯେ, ଦଶହରା ନ ହେଲା ନାହିଁ କିନ୍ତୁ ଦୀପାବଳି ପୂର୍ବରୁ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରିବେ। ଯଦି ସରକାର ଦୁଇଟି ପ୍ରମୁଖ ଦାବିକୁ ପୂରଣ ନ କରନ୍ତି ତେବେ ୭୦୦୦୦ କର୍ମଚାରୀ ପିଲାଛୁଆ ସହ ରାଜଧାନୀରେ ଧାରଣା ଦେବେ ବୋଲି ଆଗରୁ ଚେତାବନୀ ଦେଇଛନ୍ତି।

ଆଉ ମାତ୍ର ଦେଢ ବର୍ଷ ପରେ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ ମଧ୍ୟ ହେବ। ତାହାରି ପୂର୍ବରୁ ରାଜ୍ୟରେ ଦୁଇ ଦୁଇଟି ଉପନିର୍ବାଚନ ହେବ। ଧାମନଗର ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା ହୋଇଥିବା ବେଳେ ପଦ୍ମପୁର ୱେଟିଂରେ ଅଛି। ରାଜ୍ୟରେ ୭୦୦୦୦ ସରକାରୀ ଠିକା କର୍ମଚାରୀ ଅଛନ୍ତି। ଏମାନେ କେବଳ କର୍ମଚାରୀ ନୁହଁନ୍ତି, ବରଂ ସମସ୍ତେ ଜଣେ ଜଣେ ଭୋଟର। କେବଳ ଧାମନଗର ନିର୍ବାଚନ ମଣ୍ଡଳିରେ ପ୍ରାୟ ଅଢେଇ ହଜାର ଠିକା କର୍ମଚାରୀ ବସବାସ କରନ୍ତି। ସେଭଳି ପଦ୍ମପୁରର ମଧ୍ୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଲୋକ ସରକାରଙ୍କ ବିଭିନ୍ନ ବିଭାଗରେ ଠିକା ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଠିକା କର୍ମଚାରୀଙ୍କର ପରିବାର ମଧ୍ୟ ଅଛି। ତେଣୁ ରାଜ୍ୟ ସରକାର ସେମାନଙ୍କୁ ଅସନ୍ତୁଷ୍ଟକରି ଭୋଟ ହାତଛଡା କରିବାକୁ ଚାହିଁବେ ନାହିଁ ବୋଲି ଚର୍ଚ୍ଚା ହେଉଛି।