ବିନା ଥଇଥାନରେ ଉଚ୍ଛେଦ; ପ୍ରଶାସନର କାମକୁ ନେଇ ଉଠିଲା ପ୍ରଶ୍ନ
Advertisement

ବିନା ଥଇଥାନରେ ଉଚ୍ଛେଦ; ପ୍ରଶାସନର କାମକୁ ନେଇ ଉଠିଲା ପ୍ରଶ୍ନ

ଏନଜିଟି ଛାଟ ପରେ ତରବରିଆ ଭାବେ ବସ୍ତିରେ ବୁଲଡୋଜର ବୁଲାଇଥିଲା ବିଏମସି । 

ବିନା ଥଇଥାନରେ ଉଚ୍ଛେଦ; ପ୍ରଶାସନର କାମକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର: ସହରର ବଡ ବଜାର ଥାନା ଅନ୍ତର୍ଗତ ଫୁଲ ସୁନ୍ଦରୀ ସାହି ବନ୍ଧ ହିଡରେ ଥିବା ବସ୍ତିରେ ଜବରଦଖଲ ଉଛେଦ କରିଛି ବ୍ରହ୍ମପୁର ମହାନଗର ନିଗମ। ପୋଲିସ ଉପସ୍ଥିତରେ ଡୋଜର ଲଗାଇ ବସ୍ତି ଉଛେଦ କରାଯାଇଥିବା ବେଳେ ଉଛେଦ କାରୀ, ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏନଜିଟି ଛାଟ ବାଜିବା ପରେ ବସ୍ତିର ସମସ୍ତ ବାସିନ୍ଦାଙ୍କୁ ଥଇଥାନ କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। 

କୋରୋନା ମହାମାରୀ (Corona Pandemic) ଭଳି ସମୟରେ ବସ୍ତି ବାସିନ୍ଦାଙ୍କ (Slum Area Resident) ଜୀବନ ଜୀବିକା ଉଜୁଡ଼ି ଜାଇଥିବା ବେଳେ ଏବେ ବାସହରା ହୋଇ ଖୋଲା ଆକାଶ ତଳେ ପଡି ରହିଛନ୍ତି।  ମୁଣ୍ଡ ଉପରେ ବର୍ଷା ରହିଥିବା ବେଳେ ଅସହାୟ ଲୋକଙ୍କୁ ଥଇଥାନ କରିବା ଲାଗି ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଛି। 

Also Read: ଫେଲ ହୋଇଛି ଭିକ୍ଷୁକ ଥଇଥାନ ଅଭିଯାନ; ଫେରିଯିବାକୁ ବସିଛି ସରକାରୀ ଅନୁଦାନ

ଜାତୀୟ ସବୁଜ ପ୍ରାଧିକରଣ (National Green Tribunal) ଏନଜିଟି (NGT) ଛାଟ ପରେ ଆକ୍ସନ ମୋଡ୍କୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ (Berhampur Municipal Corporation) ବିଏମସି (BMC)। ତରବରିଆ ଭାବେ ବସ୍ତିରେ ବୁଲିଲା ବୁଲଡୋଜର। ନିମିଷକେ ମାଟିରେ ମିଶିଗଲା ୫୦ ବର୍ଷର ଫୁଲ ସୁନ୍ଦରୀ ବସ୍ତି। ଛିନଛତ୍ର ହୋଇଗଲା ଘରର ଆସବାବପତ୍ର। କେତେ କାକୁତି ମିନତି ହେଲେ ମଧ୍ୟ ଶୁଣିଲାନି ପ୍ରଶାସନ।  

କୋରୋନା ମହାମାରୀ ସହ ସଂଘର୍ଷ କରି ଦୋହଲି ଯାଇଥିବା ଆର୍ଥିକ ମେରୁଦଣ୍ଡକୁ ସଳଖି ବଞ୍ଚିବାର ରାହା ଖୋଜୁ ଖୋଜୁ ଦଇବ ଦେଇଛି ଏଭଳି ଦଣ୍ଡ। ମୁଣ୍ଡ ଉପରେ ତୁହାକୁ ତୁହା ବର୍ଷା ରହିଥିବା ବେଳେ ପିଲା ଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ପଡି ରହିଛନ୍ତି ଅସହାୟ ବସ୍ତି ବାସିନ୍ଦା। ସେଇଠି ରୋଷେଇ କରି ପିଲା ଛୁଆଙ୍କୁ ନେଇ ଡହଳ ବିକଳ ହେଉଥିବା ବେଳେ ଥଇଥାନ ଲାଗି ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। 

ବ୍ରହ୍ମପୁର ସହରର (Brahmapur Town) ବିଭିନ୍ନ ପୋଖରୀ ହିଡ ଉପରେ ବର୍ଷବର୍ଷ ଧରି ପିଲା ଛୁଆଙ୍କୁ ନେଇ ଏଭଳି ବସ୍ତିରେ ମୁଣ୍ଡ ଗୁଞ୍ଜି ଆସୁଛନ୍ତି ଶହ ଶହ ପରିବାର। ଯାହା ଫଳରେ ଜଳାଶୟ ଦୂଷିତ ହେଉଥିବା ନେଇ ଏନଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ପୋଖରୀ ହିଡର ବସ୍ତି ଉଛେଦ କରିବା ସହ ପୋଖରୀ ଚାରିପଟେ ସୌନ୍ଦର୍ଯ୍ୟକରଣ କରିବାକୁ ଲକ୍ଷ ରଖାଯାଇଥିଲା। ଉଛେଦ ବସ୍ତି ବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଲା। ହେଲେ କିଛି ପରିବାରକୁ ଘର ମିଳିଥିବା ବେଳେ ଆଉ କିଛି ପରିବାରକୁ ଏ ପର୍ଯ୍ୟନ୍ତ ଖଣ୍ଡିଏ ଘର ମିଳିନାହିଁ। ଏନଜିଟି ନିର୍ଦ୍ଦେଶ କ୍ରମେ ଏଭଳି ଉଛେଦ କରାଯାଇଥିବା କମିଶନର ଜଣାଇଛନ୍ତି। 

Also Read: ଦଳ ପଙ୍କରେ ଭର୍ତ୍ତି ହେଇରହିଛି ପୋଖରୀ; ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ବାସଚ୍ଯୁତ ହୋଇ ରାସ୍ତା କଡ଼ରେ ପଡି ରହିଥିବା ପରିବାର ଲୋକଙ୍କୁ ଥଇଥାନ କରିବା ଦିଗରେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।