ମାଆବାପା ଛେଉଣ୍ଡ ଝିଅ ସୋନି ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ପାଣିରେ ଭାସି ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ଦୂର ଆସି ନୂଆ ଜୀବନ ପାଇଥିଲେ। ତାଙ୍କୁ ମିଳିଥିଲେ ନୂଆ ପରିବାର ଏବଂ ସନ୍ୟାସୀ କାଲୋଙ୍କୁ ଝିଅଟିଏ ମିଳିଥିଲେ। ଆସନ୍ତା ୨୧ ତାରିଖରେ ସେହି ଝିଅ ସୋନିର ବାହାଘର ହବ।
Trending Photos
ଝାରସୁଗୁଡ଼ା: କଥାରେ ଅଛି ରଖିଲେ, 'ରଖେ ହରି, ମାରେ କିଏ?' ଏବଂ 'କାହା ଭାଗ୍ୟରେ କଣ ଅଛି ତାହା ଏହି ଈଶ୍ୱରଙ୍କୁ ଜଣା।' ସେଥି ପାଇଁ ତ ୫ ବର୍ଷ ତଳେ ଛତିଶଗଡ଼ ଚନ୍ଦ୍ରହାସିନୀ ମନ୍ଦିର ପାହାଚରୁ ଖସି ପଡି ମହାନଦୀର ପ୍ରଖର ସ୍ରୋତରେ ଭାସି ଆସି ସୁଦୂର ଓଡିଶା କୁସମେଲ ଠାରେ ଥିବା ସତୀ ଦରହ ଠାରେ ଲାଗିଥିଲେ ଏବଂ ପରେ ଗାଁର କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଯାଇଥିଲେ। ମାଆବାପା ଛେଉଣ୍ଡ ଝିଅ ସୋନି ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ପାଣିରେ ଭାସି ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ଦୂର ଆସି ନୂଆ ଜୀବନ ପାଇଥିଲେ। ତାଙ୍କୁ ମିଳିଥିଲେ ନୂଆ ପରିବାର ଏବଂ ସନ୍ୟାସୀ କାଲୋଙ୍କୁ ଝିଅଟିଏ ମିଳିଥିଲେ। ଆସନ୍ତା ୨୧ ତାରିଖରେ ସେହି ଝିଅ ସୋନିର ବାହାଘର ହବ।
ସେଦିନ ଥିଲା ୨୦୧୬ ମସିହା ସେପ୍ଟେମ୍ବର ୧୩ ତାରିଖ ଆଉ ସମୟ ସନ୍ଧ୍ୟା ପ୍ରାୟ ୬ଟା। ସୋନି ୟାଦବ (Soni Yadav) ଯାହାଙ୍କର ବୟସ ଥିଲା ୧୬ ବର୍ଷ। ସିଏ ନିଜ ସମ୍ପର୍କୀୟ ସାଙ୍ଗରେ ମାଁ ଚନ୍ଦ୍ରହାସିନୀ (Chandrahasini)ଙ୍କୁ ଦର୍ଶନ କରିବା ପାଇଁ ଆସିଥିଲା। କିନ୍ତୁ ଉତ୍ସୁଳା ମହାନଦୀର ପ୍ରଖସ ସ୍ରୋତରେ ଲେଖାଯିବାକୁ ଥିଲା ମାଁ ଚନ୍ଦ୍ରହାସିନୀଙ୍କର ଆସ୍ଥା ଉପରେ ନୂଆ ଅଧ୍ୟାୟ। ମହାନଦୀ ପାହାଚରେ ଗୋଡ଼ ଖସି ଯିବାରୁ ମାଆ ଛେଉଣ୍ଡ ସୋନି ୟାଦବ ନଦୀ ଗର୍ଭରେ ପଡିଯାଇଥିଲେ। ଦୁଇ କୂଳ ଖାଉଥିବା ପୂର୍ଣଗର୍ଭା ମହାନଦୀର (Mahanadi) କାଦୁଅ ବନ୍ୟା ପାଣିରେ ସେ ଆଉ ଦେଖାଗଲେନାହିଁ। ତାଙ୍କର ସମ୍ପର୍କୀୟ ତାଙ୍କୁ ଖୋଜାଖୋଜି କରିଥିଲେ ହେଲେ ଆଉ ସୋନିଙ୍କର ପତ୍ତା ମିଳି ନଥିଲା।
Also Read: ପଟ୍ଟାଙ୍ଗୀରେ ମାଟି ଅତଡା ଖସି ୩ ମହିଳା ମୃତ
ସମସ୍ତେ ଭାବୁଥିଲେ ସୋନି (Soni Yadav) ଆଉ ଦୁନିଆରେ ନଥିବେ, କାରଣ ମହାନଦୀର କରାଳ ରୂପ ଦେଖି ଏହା ଭାବିବା ମଧ୍ୟ ଯଥାର୍ଥ। ହେଲେ କଣ ମାଁ ଚନ୍ଦ୍ରହାସିନୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ତାଙ୍କ ସନ୍ତାନଙ୍କର ଏତେ ଅଶୁଭ ହବ! ଦୁଇ କୁଳ ଖାଉଥିବା ମହାନଦୀର ପ୍ରଖର ସ୍ରୋତ ସୋନିଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଏବଂ ପ୍ରାୟ ୫୦ କିଲୋମିଟର ଦୂର ଭସାଇ ଓଡିଶା କୁସମେଲ ଗାଁର ସତୀ ଦରହ ଠାରେ ଲାଗାଇଥିଲା। ସକାଳ ପ୍ରାୟ ୬ଟା ସନ୍ୟାସୀ କାଲୋ ପ୍ରତିଦିନ ଭଳି ମାଛ ମାରିବା ପାଇଁ ମହାନଦୀକୁ ଯାଇଥିଲେ। ହେଲେ ସେଠାରେ ତାଙ୍କର ଆଖି ପଡିଥିଲା ପାଣିରେ ଛଟପଟ ହଉଥିବା ଗୋଟିଏ ଜୀବ ଉପରେ। ପାଖକୁ ଯାଇ ଦେଖିବା ବେଳକୁ ଏହା କୌଣସି ଜଳଚର ପ୍ରାଣୀ ନୁହଁ, ଜଣେ ଝିଅ ଥିଲା। ଯାହାର ସଜ୍ଞା ମଧ୍ୟ ଅଛି।
କାଳ ବିଳମ୍ବ ନ କରି ସନ୍ୟାସୀ ସେହି ଜଳକନ୍ୟାକୁ କୋଳରେ ଧରି ସ୍ଥଳଭାଗକୁ ଆଣି, ତୁମେ କିଏ ଝିଅ ଓ ତୁମ ଘର କୋଉଠି? ବୋଲି ପଚାରିଥିଲେ। ସଜ୍ଞା ଥିବା ଅବସ୍ଥାରେ ଝିଅଟି କହିଥିଲା 'ମୁଁ ସୋନି ଏବଂ ମୋ ଘର ସାରଙ୍ଗଗଡ଼।' ସୋନି ପଚାରିଥିଲା 'ଏଇଟା କେଉଁ ସ୍ଥାନ।' ସନ୍ୟାସୀ କହିଥିଲେ 'ଏହା ହଉଚି ଓଡିଶା। ମାଈ ତୁ ଚିନ୍ତା କର ନା, ସବୁ କିଛି ଠିକ ହୋଇଯିବ।' ଏତିକି ଶୁଣିଲା ପରେ ସୋନି ବେହୋସ ହୋଇଯାଇଥିଲା। ତାପରେ ସୋନିଙ୍କୁ ହସ୍ପିଟାଲ ଅଣାଯାଇଥିଲା। କୁସମେଲ ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ, ସୋନିଙ୍କୁ ଉଦ୍ଧାର କରିବା ସହିତ ପୁନର୍ଜନ୍ମ ମଧ୍ୟ ଦେଇଥିଲେ। ଏହି ଖବର ସେତେବେଳେ କେବଳ ଝାରସୁଗୁଡ଼ା ନୁହେଁ, ସାରା ରାଜ୍ୟରେ ଚହଳ ପକାଇଥିଲା। କାରଣ ବନ୍ୟା ଜଳରେ ପ୍ରାୟ ୫୦ କିଲୋମିଟର ଭାସିଯାଇ ଜଣେ ଜୀବିତ ମିଳିବା କୌଣସି ଚମତ୍କାର ଏବଂ ଅଲୌକିକ କାହାଣୀଠାରୁ କମ୍ ନଥିଲା।
Also Read: ସମ୍ବଲପୁରରେ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସୋନିଙ୍କୁ ତାଙ୍କ ପୈତୃକ ଗାଁ ଜେବ୍ରାକୁ ନିଆଯାଇଥିଲା। କିନ୍ତୁ ସୋନି ସେଠାରେ ରହିବା ଅପେକ୍ଷା ଯାହାଙ୍କ ପାଇଁ ପୁନର୍ଜନ୍ମ ପାଇଛନ୍ତି, ତାଙ୍କର ଝିଅ ହୋଇ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଉ ସନ୍ୟାସୀ ମଧ୍ୟ ସୋନିଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ। କାରଣ ମନେ ମନେ ସିଏ ମଧ୍ୟ ଗୋଟିଏ ଝିଅ ପାଇଁ ଝୁରି ହେଉଥିଲେ। ସନ୍ୟାସୀ ଓ ତାଙ୍କ ପତ୍ନୀଙ୍କ ୩ଟି ପୁଅ କିନ୍ତୁ ଝିଅ ନଥିଲେ। ମାଆ ଛେଉଣ୍ଡ ସୋନି ଛୋଟ ଥିବାବେଳେ ମା’ଙ୍କୁ ହରାଇ ଥିବାବେଳେ ବାପା ଜଣେ ମାନସିକ ରୋଗୀ। ଫଳରେ ସୋନି ଛୋଟବେଳୁ ନିଜ ଅଜା ଓ ମାଉସୀଙ୍କ ପାଖରେ ରହି କମଲାନଗରରେ ଜଣକ ଘରେ କାମ କରୁଥିଲେ ଏବଂ ମହାନଦୀରେ ଭାସି ଯାଇଥିଲେ।
ସୁସ୍ଥ ହେବା ପରେ ସୋନି ମଧ୍ୟ ନିଜ ଗାଁକୁ ନଯାଇ ଓଡ଼ିଶାରେ ରହିବାକୁ ମନସ୍ଥ କରିବା ପରେ ଅଭାବୀ ସନ୍ୟାସୀ ଝିଅଟିକୁ ନିଜର କରିଥିଲେ।ସନ୍ୟାସୀଙ୍କ ପତ୍ନୀ ଅହଲ୍ୟା ନିଜ ହାତରେ ସୋନିକୁ ଖୁଆଇଦେବା ସହ ତାକୁ ଆଭୁଷଣରେ ସଜାଇ ନିଜେ ଜନ୍ମଦାତ୍ରୀ ମାଆ ଭଳି ଦାୟିତ୍ତ୍ୱ ତୁଲାଇଥିଲେ। ଆଜି ସୋନି ବିବାହ ଯୋଗ୍ୟା। ସେ ତାର ସଂସାର ଦେଖିଲେ ଅଧିକ ଖୁସୀ ହେବେ ବୋଲି ପ୍ରତିକ୍ରିୟା ରଖି ସୋନିର ପରିବାରବର୍ଗ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଘର ଲିପା ପୋଛା ଚାଲିଥିବା ବେଳେ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଯାଇ ଅତିଥି ମାନଙ୍କୁ ବଣ୍ଟାଯାଇସାରିଲାଣି। ଆସନ୍ତା ୨୧ ତାରିଖରେ ସୋନି, ଛତିଶଗଡର ଧରମଜୟଗଡର ପୁରୁଷୋତ୍ତମଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
Also Read: 'ବିକାଶକୁ ବିରୋଧ ନୁହେଁ, ବିକଳ୍ପ ପାଇଁ ସଙ୍ଘର୍ଷ'
ବିବାହ ପାଇଁ ପରିବାର ବର୍ଗଙ୍କ ସହ ସୋନିର ଖୁସୀ ଯେତିକି ତାଙ୍କର ପରିବାର ଠାରୁ ଦୂରେଇ ଯିବାର ଦୁଃଖ ତା'ଠୁ ଅଧିକ। ସୋନିର ମାଁ କହିଛନ୍ତି, 'ଝିଅ ବିଦାୟ ହବ, ତାଙ୍କୁ କନ୍ୟାଦାନ କରିବେ ବ୍ରଜରାଜନଗରର ବିଧାୟକ କିଶୋର କୁମାର ମହାନ୍ତି (Kishore Mohanty) ଏବଂ ତାଙ୍କ ଧର୍ମପତ୍ନୀ। ସୋନିଙ୍କୁ ବିବାହକୁ ନେଇ ଯେତିକି ଖୁସି ଲାଗୁଚି ତାଙ୍କୁ ବିଦାୟ କରିବାକୁ ଭାବୁ ଭାବୁ ସେତିକି ଦୁଃଖ ମଧ୍ୟ ଲାଗୁଚି।' ସେଦିନର ଛତିଶଗଡର ଝିଅ ଆଜି ଓଡିଶାରେ ଏବଂ ୨୧ ତାରିଖରେ ପୁଣି ସେ ଛତିଶଗଡ ଫେରିଯିବେ। ସୋନିଙ୍କୁ କୁସୁମେଲ ଗ୍ରାମବାସୀ ଜଣେ ଦେବୀ ରୂପରେ ଦେଖନ୍ତି। ବିଶ୍ୱାସ ଅଛି ଯେ, ସୋନିଙ୍କୁ ମାଁ ଚନ୍ଦ୍ରହାସିନୀ ହିଁ ଜୀବନଦାନ ଦେଇଛନ୍ତି ଏବଂ ମହାନଦୀରୁ ଭାସିବା ପର ଠାରୁ ମାଁ ଚନ୍ଦ୍ରହାସିନୀ ନିଜେ ନିଜର ପଣତକାନିରେ ସୋନିଙ୍କୁ କୁସମେଲ ଯାଏଁ ନେଇ ଆସିଥିଲେ। ସେଥି ପାଇଁ ତ ଉଦ୍ଧାର ସମୟରେ ମଧ୍ୟ ସୋନି ନିଜର ପରିଚୟ ଏବଂ ଠିକଣା ସନ୍ୟାସୀକୁ କହିପାରିଥିଲେ।
୨୦୧୬ରୁ ୨୦୨୧, ଏହି ୫ ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ହୋଇସାରିଛି। ଏବେ ସୋନି ନିଜ ମାତୃଭାଷା ଛତିଶଗଡ଼ି ସହ ଭଲ ଭାବରେ ଓଡ଼ିଆ ମଧ୍ୟ କହି ପାରୁଛନ୍ତି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ନିଜକୁ ସାମିଲ କରାଇ ନେଇଛନ୍ତି। ହେଲେ ୫ ବର୍ଷ ଭିତରେ ଓଡିଶା ମାଟିକୁ ନିଜର କରି ନେଇଥିବା ସୋନି ପୁଣି ଛତିଶଗଡକୁ ଫେରି ନିଜର ନୂତନ ଜୀବନ ଗଢିବେ। ଆର୍ଥିକ ଅନାଟନକୁ ଦୃଷ୍ଟିରେ ରଖି ନିଜେ ବ୍ରଜରାଜନଗର ବିଧାୟକ, ଝିଅର ସମସ୍ତ ଖର୍ଚ୍ଚ ବହନ କରିବେ ଏବଂ ସପତ୍ନୀ ଝିଅକୁ କନ୍ୟାଦାନ କରିବେ ନିଷ୍ପତ୍ତି ନେଇଛନ୍ତି।