ରେଳଷ୍ଟେସନରେ ପର୍ଯ୍ଯଟକଙ୍କୁ RTPCR ଟେଷ୍ଟ କରିବା ସହ ହୋଟେଲ ମାଲିକଙ୍କୁ ତାଗିଦ କରାଯାଇଛି। ୭୨ ଘଣ୍ଟା ପୂର୍ବର ନେଗେଟିଭ୍ ପ୍ରମାଣପତ୍ର ନଚେତ କମ୍ପ୍ଲିଟ୍ ଟିକାକରଣ ହୋଇନଥିଲେ ସେମାନଙ୍କୁ ହୋଟେଲ ମନା।
Trending Photos
ପୁରୀ: କୋରୋନାର ଦ୍ୱିତୀୟ ଲହର ପୁରୀରେ କାୟାବିସ୍ତାର କରିବା ଆରମ୍ଭ କଲାଣି! ଏହାରି ଭିତରେ ଜଣେ ସଂକ୍ରମିତ ବ୍ଯକ୍ତିଙ୍କର ମୃତ୍ଯୁ ହୋଇଥିବା ବେଳେ ଦୈନିକ ପଜିଟିଭ ସଂଖ୍ୟା ଦୁଇଅଙ୍କ ଟପିଲାଣି। ସଂକ୍ରମଣକୁ ରୋକିବା ପାଇଁ SRCଙ୍କ ଗାଇଡଲାଇନ ଅନୁସାରେ ପ୍ରଶାସନ ପକ୍ଷରୁ ପାଞ୍ଚଟି ରାଜ୍ଯର ପର୍ଯ୍ଯଟକଙ୍କ ଉପରେ ଲଗାଇଛି କଟକଣା। ରେଳଷ୍ଟେସନରେ ପର୍ଯ୍ଯଟକଙ୍କୁ RTPCR ଟେଷ୍ଟ କରିବା ସହ ହୋଟେଲ ମାଲିକଙ୍କୁ ତାଗିଦ କରାଯାଇଛି। ୭୨ ଘଣ୍ଟା ପୂର୍ବର ନେଗେଟିଭ୍ ପ୍ରମାଣପତ୍ର ନଚେତ କମ୍ପ୍ଲିଟ୍ ଟିକାକରଣ ହୋଇନଥିଲେ ସେମାନଙ୍କୁ ହୋଟେଲ ମନା।
ମଙ୍ଗଳବାରଠାରୁ ଅଧିକ ସଂକ୍ରମିତ ପାଞ୍ଚଟି ରାଜ୍ଯର ପର୍ଯ୍ଯଟକ (Tourist)ଙ୍କ ପୁରୀ (Puri) ପ୍ରବେଶ ଉପରେ ଲାଗିଲା କଟକଣା। ବାହାରୁ ଟ୍ରେନରେ ଆସୁଥିବା ପର୍ଯ୍ଯଟକଙ୍କ ପାଇଁ ପୁରୀ ଷ୍ଟେସନ ପରିସରରେ ଆରମ୍ଭ କରାଯାଇଛି RTPCR ଟେଷ୍ଟ। ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ RPFର ସହଯୋଗରେ ପର୍ଯ୍ଯଟକଙ୍କୁ ଚିହ୍ନଟ କରି ଟେଷ୍ଟିଂ ପ୍ରକ୍ରିୟା ଜାରି ରଖିଛି। ରିପୋର୍ଟ ଆସିବା ପରେ ପଜିଟିଭ ଥିବା ପର୍ଯ୍ଯଟକଙ୍କୁ ଆଇସୋଲେସନରେ ରଖିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନେଇ ବ୍ଯବସ୍ଥା କରାଯାଇଛି। ପର୍ଯ୍ଯଟକମାନେ ମଧ୍ୟ ପ୍ରଶାସନର ଏଭଳି ବ୍ଯବସ୍ଥାକୁ ସହଯୋଗ କରିବା ସହ ସ୍ୱାଗତ କରିଛନ୍ତି।
Also Read: ବାରମ୍ବାର ବ୍ୟାରିକେଡରେ ଫସୁଛି ମୁଣ୍ଡ, କେବେ ଚେତିବ ଶ୍ରୀମନ୍ଦିର ପ୍ରଶାସନ?
ଅନ୍ଯପଟେ ରେଳଷ୍ଟେସନ (Puri Railway) ରେ ଭୋର ତିନିଟାରୁ ଦିନ ନଅଟା ମଧ୍ୟରେ ଏକାଧିକ ଟ୍ରେନ୍ ପୁରୀରେ ପହଞ୍ଚୁଥିବାରୁ ସେହି ସମୟରେ RTPCR ଟେଷ୍ଟ କରିବା ପାଇଁ RPF ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି। କେବଳ ରେଳଷ୍ଟେସନ ନୁହେଁ କାରରେ ମଧ୍ୟ ଅନେକ ପର୍ଯ୍ଯଟକ ପୁରୀରେ ପହଞ୍ଚୁଛନ୍ତି। ତେଣୁ ପର୍ଯ୍ଯଟକଙ୍କ ଯୋଗୁଁ ସଂକ୍ରମଣ ଆଶଙ୍କା ରହିଥିବାରୁ ହୋଟେଲ ମାଲିକଙ୍କୁ ପ୍ରଶାସନ ତାଗିଦ କରିଛି। ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ବା ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲେ ହିଁ ସେମାନଙ୍କୁ ହୋଟେଲରେ ପ୍ରବେଶ ଅନୁମତି ମିଳିବ।
ଉପରୋକ୍ତ ପ୍ରମାଣପତ୍ର ନଥିଲେ ସାତଦିନ ହୋମ ଆଇସୋଲେସନ (Home Isolation) ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକଣା ଭାଙ୍ଗୁଥିବା ହୋଟେଲ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହିତ ଖୁବଶୀଘ୍ର ଲଜିଂ, ଧର୍ମଶାଳା, ହୋମଷ୍ଟେର ମାଲିକଙ୍କୁ ମଧ୍ୟ କଟକଣା ନେଇ ଅବଗତ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା (Samartha Burma) କହିଛନ୍ତି। ସେପଟେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ହୋଟେଲ ମାଲିକ ସଂଘ ଆଶ୍ୱାସନା ଦେଇଛି।
Also Read: ମହାପ୍ରଭୁଙ୍କ ମାଉସୀ ମାଆ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା
ପୁରୀରେ ପାଞ୍ଚଦିନରେ ୪୫ ଜଣ କୋରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବା ବେଳେ ଆଜିର ଆଣ୍ଟିଜେନ ରିପୋର୍ଟରୁ ୩୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ ସପ୍ତାହ ମଧ୍ୟରେ ଜଣେ ବ୍ଯକ୍ତିଙ୍କର ମୃତ୍ଯୁ ଘଟିଛି। ତେବେ ଏଭଳି ପରିସ୍ଥିତିରେ କୋରୋନା ନିୟନ୍ତ୍ରଣ (Coronavirus) ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ।