)
ନୂଆଦିଲ୍ଲୀ: Coronavirus in India: ଗତବର୍ଷ ପରି ଦେଶରେ ମାରାତ୍ମକ କୋରୋନା ଭୂତାଣୁ (Coronavirus) ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୪୯୨ ନୂଆ କୋରୋନା ମାମଲା (COVID-19 Cases) ଚିହ୍ନଟ ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମହାମାରୀ ଯୋଗୁଁ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୧୯୧ ସଂକ୍ରମିତ ଏହି ମହାମାରୀ ଭୂତାଣୁରୁ ଆରୋଗ୍ୟ ଲାଭ କରିଛି । ଗତକାଲି ୨୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୨୯ ଲକ୍ଷରୁ ଅଧିକ ଟିକା (Corona Vaccine) ଡୋଜ ଲଗାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ଯାଏ କୋରୋନା ପଜିଟିଭ ମାମଲା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ସେଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୮୫୬ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ମୋଟ ସକ୍ରିୟ ମାମଲା ୨ ଲକ୍ଷ ୨୩ ହଜାର ୪୩୨କୁ ବୃଦ୍ଧି ପାଇଛି । ଏଥି ସହିତ ୧ କୋଟି ୧୦ ଲକ୍ଷ ୨୭ ହଜାର ୫୪୩ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଟ୍ୱିଟ୍ କରି କହିଛି ଯେ, ଆଜି ପର୍ଯ୍ୟନ୍ତ ଦେଶରେ କୋରୋନା ଭୂତାଣୁ ପାଇଁ ମୋଟ ୨୨ କୋଟି ୮୨ ଲକ୍ଷ ୮୦ ହଜାର ୭୬୩ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୮ ଲକ୍ଷ ୭୩ ହଜାର ୩୫୦ ନମୁନା ପରୀକ୍ଷା କରାଯାଇଛି ।
ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ତାମିଲନାଡୁରେ କୋରୋନା ରୋଗରେ କ୍ରମାଗତ ବୃଦ୍ଧି ଘଟିଛି । ୭୮.୪୧ ପ୍ରତିଶତ ନୂତନ ମାମଲା ଏହି ପାଞ୍ଚଟି ରାଜ୍ୟରୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୮ଟି ରାଜ୍ୟରେ ଦିନକୁ ଦିନ ନୂଆ ମାମଲା ବୃଦ୍ଧି ପାଉଛି । ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିୟାଣା । ଗତ ଏକ ମାସ ଧରି କେରଳରେ ମାମଲା ସଂଖ୍ୟା ହ୍ରାସ ପାଉଛି । ଭାରତରେ ମୋଟ ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ୭୭ ପ୍ରତିଶତ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବର ରହିଛି ।