ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ
Advertisement

ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ

ଗତ ୧ ମାସ ମଧ୍ୟରେ ଭୂମିକମ୍ପ କାରଣରୁ ଏହି ଦ୍ୱୀପ ରାଷ୍ଟ୍ରର ଭୂମି ମୋଟ ୭୮୨ ଥର ଥରିଉଠିଛି। 

ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ

ଜାକାର୍ତ୍ତା: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ୪୨ ଲୋକଙ୍କ ମୃତ୍ୟୁ ହେବା ସହ ୮୦୦ ଆହତ ହୋଇଛନ୍ତି। ଗତକାଲି ଦେଶର ସୁଲାୱେଶୀ ଦ୍ୱୀପରେ ଅନୁଭୂତ ହୋଇଥିବା ୬.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳର ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।  

ଗତକାଲି ଦେଶକୁ ଥରାଇଥିବା ଶକ୍ତିଶାଳୀ ଭୂକମ୍ପ (Strong Earthquake) ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ଇଣ୍ଡୋନେସିଆ (Indonesia) ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପକ୍ଷରୁ କୁହାଯାଇଛି ଦେଶର ମାମୁଜ-ମଜେନେ ଅଞ୍ଚଳରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସାଳୟର ଭର୍ତ୍ତି କରାଯାଇଛି।     

ଶୁକ୍ରବାର ଦେଶର ସୁଲାୱେଶୀ ଦ୍ୱୀପରେ ହୋଇଥିବା ଭୂକମ୍ପ ଭୂମି ଠାରୁ ୧୦ କିମି ଗଭୀରତାରେ ଅନୁଭୂତ ହୋଇଥିଲା। ଦେଶର ମଜାନେ ସହରର ଉତ୍ତର-ପୂର୍ବ ଦିଗରୁ ୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି। ପ୍ରାୟ 7 ସେକେଣ୍ଡ ପାଇଁ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ହେଲେ ଏହାର ପ୍ରଭାବରେ ସୁନାମୀ ଆସିବା ନେଇ କୌଣସି ଚେତାବନୀ ଜାରି ହୋଇନଥିଲା। 

Alson Read: ଜାଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ କ'ଣ ପାଇଁ ବଢ଼ି ଚାଲିଛି

 

ଏହି ଭୂମିକମ୍ପ କାରଣରୁ ମାମୁଜ ଠାରେ ୧୮୯ ଲୋକ ଗୁରୁତର ଏବଂ ୬୩୯ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରିରହିଛି।  

ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ବିଗତ ୩୦ ଦିନ ମଧ୍ୟରେ ଇଣ୍ଡୋନେସିଆରେ ୬.୦ କିମ୍ବା ଏହାଠୁ ଉର୍ଦ୍ଧ୍ୱ ତୀବ୍ରତା ବିଶିଷ୍ଟ ୩, ୫-୬ ତୀବ୍ରତା ବିଶିଷ୍ଟ ୨୨, ୪-୫ ତୀବ୍ରତା ବିଶିଷ୍ଟ ୧୪୩, ୩-୪ ତୀବ୍ରତା ବିଶିଷ୍ଟ ୩୬୭, ୨-୩ ତୀବ୍ରତା ବିଶିଷ୍ଟ ୨୪୭ଟି ଭୂକମ୍ପ ଅନୁଭୂତ ହୋଇସାରିଛି। ଗତ ୧ ମାସ ମଧ୍ୟରେ ଭୂମିକମ୍ପ କାରଣରୁ ଏହି ଦ୍ୱୀପ ରାଷ୍ଟ୍ରର ଭୂମି ମୋଟ ୭୮୨ ଥର ଥରିଉଠିଛି। 

Alson Read: ନାସ୍ତ୍ରୋଦମ୍ସ ଭବିଷ୍ୟବାଣୀ; ସାବଧାନ ୨୦୨୧ରେ ଆସୁଛି ଆକାଶରୁ ବିପଦ!

 

ଇଣ୍ଡୋନେସିଆରେ ବିଭିନ୍ନ ସମୟରେ ଅନୁଭୂତ ହେଉଥିବା ଭିନ୍ନ ଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପଛର କାରଣ ହେଉଛି ଏହି ଦେଶର ଭୌଗୌଳିକ ଅବସ୍ଥିତି। ଆଗ୍ନେୟ ଉଦଗୀରଣ (Volcanic Eruption) ଭଳି ଘଟଣା କାରଣରୁ ସୃଷ୍ଟ  ହେଉଥିବା 'ରିଙ୍ଗ୍ସ ଅଫ ଫାୟାର' (Rings of Fire) ସବୁଠୁ ବଡ ଭାଗ ଇଣ୍ଡୋନେସିଆ ସମେତ ଜାଭା ସୁମାତ୍ରା ଅଞ୍ଚଳରେ ଅବସ୍ଥିତ। ଭୂତତ୍ତ୍ୱ ବିଜ୍ଞାନୀଙ୍କ କହିବା ଅନୁସାରେ ଜ୍ୱାଳାମୁଖୀ ବିସ୍ଫୋରଣ ହେବା ପୂର୍ବରୁ ଏଠାରେ ବଡ ଧରଣର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥାଏ। ପ୍ରାୟ ୪୦ ହଜାର ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ସମଗ୍ର ବିଶ୍ୱରେ ସକ୍ରିୟ ଥିବା ଆଗ୍ନେୟଗିରି ମଧ୍ୟରୁ ୭୫ ଭାଗ ଏଠାରେ ଅଭସ୍ଥିତ।    

Also Read: ଦକ୍ଷିଣ ଚୀନ ସାଗରରେ ଉତ୍ତେଜନା ବୃଦ୍ଧି, ଚୀନ ଜାହାଜକୁ ଘଉଡ଼ାଇଲା ଇଣ୍ଡୋନେସିଆ

 

ଗତ ବର୍ଷ ସେପ୍ଟମ୍ବର ୨୬ ତାରିଖରେ ହୋଇଥିବା ୬.୫ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ୪୧ ଲୋକଙ୍କ ମୃତ୍ୟୁ ହେବା ସହ ୧୫୭୮ ଆହତ ହୋଇଥିଲେ। ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଠାକାର ଲୋକ ନିଜ ଘରକୁ କ୍ଷତିଗ୍ରସ୍ତ ହେବାରୁ ବଞ୍ଚାଇବା ପାଇଁ ବ୍ୟବହୃତ ହୋଇସାରିଥିବା ଟାୟାର ବ୍ୟବହାର କରୁଛନ୍ତି। 

ଏହାପୂର୍ବରୁ ୨୦୦୪ ଏବଂ ୨୦୧୮ରେ ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ହୋଇଥିଲା। ୨୦୧୮ରେ, ସୁଲାୱେସି ଦ୍ୱୀପରେ ଅନୁଭୂତ ହୋଇଥିବା ୭.୫ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ୪୩୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ୨୦୦୪ ଡିସେମ୍ବର ୨୬ ତାରିଖରେ ଏହି ଦ୍ୱୀପ ରାଷ୍ଟ୍ରରେ ଅନୁଭୂତ ହୋଇଥିବା ୯.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। 

Also Read: ୧୦ ହଜାର ଫୁଟ ଉଚ୍ଚତାରେ ଆକାଶରୁ ଗାଏବ ହୋଇଗଲା ଇଣ୍ଡୋନେସିଆର ବୋଇଙ୍ଗ ୭୩୭ ବିମାନ, ୬୨ ମୃତ!

 

କାହିଁକି ଆସିଥାଏ ଭୂମିକମ୍ପ? 

ପୃଥିବୀ ପୃଷ୍ଠରେ ରହିଥିବା ୭ଟି ଅଶ୍ମମଣ୍ଡଳୀୟ ପ୍ଲେଟ ସବୁବେଳେ ଘୂର୍ଣ୍ଣନ କରିଥାଏ। ଯେଉଁଠିରେ ଏହି ପ୍ଲେଟ ଜୋରଜାର ଧକ୍କା ହୋଇଥାଏ, ତାହାକୁ ଜୋନ ଫଲ୍ଟ (Zone Fault) କୁହାଯାଏ। ବାରମ୍ବର ଧକ୍କା ହେବା କାରଣରୁ ପ୍ଲେଟ ନିଜର କୋଣ ପରିବର୍ତ୍ତନ କରିଥାଏ। ଯେତେବେଳେ ଏଥିରେ ଅଧିକ ଚାପ ସୃଷ୍ଟି ହୁଏ ସେତେବେଳେ ଏହି ପ୍ଲେଟ ଭାଙ୍ଗିବା ଆରମ୍ଭ କରେ। ଏହାର ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାକୁ ରାସ୍ତା ଖୋଜିଥାଏ। ଏହା ଦ୍ୱାରା ହୋଇଥିବା ବିଶୃଙ୍ଖଳା କାରଣରୁ ଭୂମିକମ୍ପ ହୋଇଥାଏ।  ଜାଣନ୍ତୁ କେତେ ତୀବ୍ରତା ବିଶିଷ୍ଟ ଭୂମିମ୍ପ କେତେ ମାତ୍ରାରେ କ୍ଷତି ପହଞ୍ଚାଇଥାଏ  

ରିକ୍ଟର ସ୍କେଲ ତୀବ୍ରତା  ଏବଂ ଏହା ଦ୍ୱାରା ଅନୁଭୂତ ହେଉଥିବା ପ୍ରଭାବ 

  • ୦-୧.୯: କେବଳ ସେସମୋଗ୍ରାଫ ମାଧ୍ୟମରେ କମ୍ପନ ଜଣାପଡିଥାଏ
  • ୨-୨.୯: ହାଲୁକା କମ୍ପନ ଅନୁଭୂତ ହୋଇଥାଏ 
  • ୩-୩୯: କୌଣସି ଭାରୀ ଯାନ ରାସ୍ତାରେ ଗଳା ଭଳି ଅନୁଭୂତ ହୁଏ 
  • ୪-୪.୯: ଘରର ଝରକା ଭାଙ୍ଗିବା ସହ  କାନ୍ଥରେ ଟଙ୍ଗା ହୋଇଥିବା ସାମଗ୍ରୀ ତଳକୁ ଖସିପଡେ
  • ୫-୫.୯: ଘରେ ରହିଥିବା ବିଭିନ୍ନ ଆସବାବ ପତ୍ର ଦୋହଲିବା ଆରମ୍ଭ କରେ 
  • ୬-୬.୯:  ଘରର ମୂଳଦୁଆ ଭାଙ୍ଗି ଯାଇପାରେ ଏବଂ ଉପର ମହଲାରେ କ୍ଷତିଗ୍ରସ୍ତ ହୋଇପାରେ
  • ୭-୭.୯: ଘର ଭୁଶୁଡି ପଡେ କିମ୍ବା ମାଟି ତଳେ ରହିଥିବା ପାଇପ ଫାଟିଯାଏ 
  • ୮-୮.୯: ଘର ସହିତ ବଡ ବଡ ପୋଲ ଖସିପଡେ ଏବଂ ସୁନାମୀ ହେବାର ଆଶଙ୍କା ରହିଥାଏ
  • ୯ରୁ ଅଧିକ: ସମ୍ପୂର୍ଣ୍ଣ ଧ୍ୱଂସ। ଯଦି କେହି ଭୂମିରେ ଠିଆ ହୋଇଥାଏ ତାହେଲେ ସେ ପୃଥିବୀ ପୃଷ୍ଠ ଦୋହଲୁଥିବାର ଦେଖିପାରିବ। ସମୁଦ୍ର ନିକଟବର୍ତ୍ତୀ ହେଲେ ସୁନାମି ହୋଇପାରେ