ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୫୫ ଦିନ ପୂରଣ ହୋଇଛି। ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣରେ ବ୍ୟାପକ କ୍ଷତି ସହିଛି ୟୁକ୍ରେନ। ଋଷିଆ ବିରୋଧରେ ଯୁଦ୍ଧ ଲଢିବ ପାଇଁ ୟୁକ୍ରେନ ଲାଗି ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହାତ ହତିଆର, ସାମରିକ ଉପକରଣ ପଠାଇଛନ୍ତି ବିଭିନ୍ନ ଦେଶ। ଯାହା ଫଳରେ ଏହି ଯୁଦ୍ଧରେ ଋଷିଆ ସୈନ୍ୟ ବାହିନୀକୁ ଉପଯୁକ୍ତ ଜବାବ ଦେବାରେ ସକ୍ଷମ ହୋଇଛି ୟୁକ୍ରେନ ସେନା।
ଏହି ଯୁଦ୍ଧରେ କେଉଁ ଦେଶ ୟୁକ୍ରେନ କୁ ଯୋଗାଇଛନ୍ତି କେଉଁ ଅସ୍ତ୍ର?
- ଋଷିଆ ବିରୋଧରେ ଯୁଦ୍ଧ ଲଢିବା ପାଇଁ ଆମେରିକା ୟୁକ୍ରେନକୁ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ମିସାଇଲ FMG-148 ଜାଭେଲିନ ପ୍ରଦାନ କରିଛି। ଯାହାକୁ କାନ୍ଧରେ ରଖି ଜଣେ ସୈନିକ ଏହାକୁ କୌଣସି ସ୍ଥାନକୁ ନେଇପାରିବେ। ଆନ୍ଧାରରେ ଏହି ମିସାଇଲ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ଯାହାକୁ ଜଣେ ଯବାନ ଚଳାଇ ପାରିବେ। ଏହା ଟ୍ୟାଙ୍କ ଉଡ଼ାଇବାକୁ ସକ୍ଷମ।
- ତୁର୍କୀ ଏବଂ ଆମେରିକା ୟୁକ୍ରେନକୁ ଆକ୍ରମଣ ଡ୍ରୋନ ପ୍ରଦାନ କରିଛନ୍ତି। ଏଭଳି ଡ୍ରୋନ ନିର୍ମାଣ କରିବାରେ ତୁର୍କୀ ବେଶ ଆଗରେ ରହିଛି। ଯାହାର ବ୍ୟବହାର ଆଫଗାନିସ୍ତାନ ଠାରେ ବ୍ୟବହାର କରାଯାଇ ସାରିଛି। ଏହି ଡ୍ରୋନ କାରଣରୁ ଋଷୀୟ ସେନାକୁ ବହୁତ କ୍ଷତି ସହିବାକୁ ପଡ଼ିଛି।
- ସ୍ଳୋଭାକିଆ ୟୁକ୍ରେନକୁ ଋଷିଆ ଦ୍ୱାରା ବିକଶିତ S300 ଏୟାରକ୍ରାଫ୍ଟ ଆଣ୍ଡ୍ ମିସାଇଲ ଡିଫେନ୍ସ ସିଷ୍ଟମ ପ୍ରଦାନ କରିଛି। ଏହା ମାଧ୍ୟମରେ ୧୦୦ କିମି ଦୂରରୁ ଶତ୍ରୁ ପକ୍ଷକୁ ଟାର୍ଗେଟ କରାଯାଇପାରେ। ଏହି ଅସ୍ତ୍ର ଆକାଶ ମାର୍ଗରୁ କରାଯାଉଥିବା କୌଣସି ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ। ଋଷିଆ ଦ୍ୱାରା କରାଯାଇଥିବା ଅନେକ ବାୟୁ ଆକ୍ରମଣକୁ ରୋକିବାରେ ଏହି ଅସ୍ତ୍ର ବେଶ ଫଳପ୍ରଦ ହୋଇଛି।
- ଋଷିଆ ଦ୍ୱାରା ବିକଶିତ ହୋଇଥିବା MI-17 ହେଲିକ୍ୟାପ୍ଟର ୟୁକ୍ରେନକୁ ପ୍ରଦାନ କରିଛି ଆମେରିକା। ଏହି ହେଲିକ୍ୟାପ୍ଟର ଏବେ ବିଭିନ୍ନ ଦେଶ ଦ୍ୱାରା ବ୍ୟବହାର କରାଯାଉଛି। ୟୁକ୍ରେନକୁ ଏହି ଅସ୍ତ୍ର ପ୍ରଦାନ କରିବା ପୂର୍ବରୁ ଆମେରିକା, ଋଷିଆ ପାଖରୁ ଏହାକୁ କ୍ରୟ କରିଥିଲା। ହେଲେ ଏବେ ଏହି ହେଲକ୍ୟାପ୍ଟର ଋଷିଆ ଉପରେ ଭାରୀ ପଡ଼ିଛି। ଆମେରିକା ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶ ୟୁକ୍ରେନକୁ ୧.୫ ଅରବ ଡଲାର ମୂଲ୍ୟର ଅଧିକ ସହାୟତା ପ୍ରଦାନ କରିଛନ୍ତି।
- ଋଷୀୟ ଟ୍ୟାଙ୍କ ଉଡ଼ାଇବା ପାଇଁ ୟୁକ୍ରେନ ସେନାକୁ ବ୍ରିଟେନ NLAW ଲାଇଟ ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ପ୍ରଦାନ କରିଛି। ଏଭଳି ହାଲୁକା ଅସ୍ତ୍ରକୁ ସ୍ୱୀଡ଼ିଶ କମ୍ପାନୀ ସାବ ନିର୍ମାଣ କରିଛି। ଏହା ମାଧ୍ୟମରେ ୮୦୦ ମିଟର ଦୂରରେ ଥିବା କୌଣସି ଟାର୍ଗେଟକୁ ଲକ୍ଷ୍ୟ ଭେଦ କରାଯାଇ ପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନକୁ ବ୍ରିଟେନ ୩୬୦୦ ଲାଇଟ ଆଣ୍ଟି ଟ୍ୟାଙ୍କ ପ୍ରଦାନ କରିସାରିଛି।
- ଆମେରିକା ୟୁକ୍ରେନକୁ ହୈମର ଗାଡି଼, କୋଟି କୋଟି ଟଙ୍କାର ସହାୟତା, ଅତ୍ୟାଧୁନିକ ରାଡ଼ାର ସିଷ୍ଟମ, ପେଟ୍ରୋଲିଂ ବୋଟ, ଅନ୍ଧାରରେ ଦେଖି ପାରୁଥିବା ନାଇଟ୍ ଭିଜିନ ଗ୍ଲାସ୍ ପ୍ରଦାନ କରିଛି। ଏହା ବ୍ୟତୀତ FIM-92 ଷ୍ଟ୍ରିଙ୍ଗର ମିସାଇଲ ମଧ୍ୟ ପ୍ରଦାନ କରିଛି। ଏହି ମିସାଇଲ ଜରିଆରେ ଯୁଦ୍ଧ ବିମାନ ଏବଂ ହେଲିକ୍ୟାପ୍ଟର କୁ ଟାର୍ଗେଟ କରାଯାଇ ପାରିବ। ଏ ପର୍ଯ୍ୟନ୍ତ ଆମେରିକା ୟୁକ୍ରେନକୁ ୧୯୦୦ ୟୁନିଟ ଷ୍ଟ୍ରିଙ୍ଗର ମିସାଇଲ ପ୍ରଦାନ କରିସାରିଛି।
- ଜର୍ମାନୀ ୟୁକ୍ରେନକୁ ୮୦ ସାଞ୍ଜୁଆ ଗାଡି ଏବଂ ୫୦ ଆମ୍ବୁଲାନ୍ସ ପ୍ରଦାନ କରିଛି। ଏହି ଗାଡ଼ି ଜରିଆରେ ଫାୟାରିଂ ଏବଂ ରକେଟ୍ ଲଞ୍ଚ ମଧ୍ୟ କରାଯାଇ ପାରିବ।
- ନେଦରଲ୍ୟାଣ୍ଡ ୟୁକ୍ରେନକୁ ୪୦୦ ଆଣ୍ଟି ଟ୍ୟାଙ୍କ ହତିଆର, ୨୦୦ ଆଣ୍ଟି ଏୟାରକ୍ରାଫ୍ଟ ଷ୍ଟ୍ରିଙ୍ଗର ମିସାଇଲ, ୧୦୦ ସ୍ନାଇପର ରାଇଫଲ୍ ପ୍ରଦାନ କରିଛି।
- ଆମେରିକା ଏବଂ ୟୁରୋପୀୟ ସଂଘ ଦେଶ ସାଟେଲାଇଟ୍ ସହାୟତାରେ ମିଳୁଥିବା ଗୁଇନ୍ଦା ସୂଚନା ୟୁକ୍ରେନ ସେନାକୁ ପ୍ରଦାନ କରୁଛି।
Also Read: War Against Ukraine : କେତେ କ୍ଷତି ସହିଛି Russia?
Also Read: ସମୁଦ୍ରରେ ବୁଡ଼ି ଯାଇଛି ଜାହାଜ ; ଆଣିପାରେ ଭୟଙ୍କର ବିପଦ
Also Read: Russia-Ukraine War: କେଉଁଠୁ ଅସ୍ତ୍ର ଆଣିବ ଭାରତ?