'ଆମକୁ ନା, ୟୁରୋପୀୟ ସାଂସଦଙ୍କୁ ହଁ'
Advertisement

'ଆମକୁ ନା, ୟୁରୋପୀୟ ସାଂସଦଙ୍କୁ ହଁ'

ଜମ୍ମୁ କାଶ୍ମୀର ଗସ୍ତରେ ୟୁରୋପିଆନ ୟୁନିୟନର ୨୭ ସାଂସଦ ।  ଧାରା ୩୭୦ର ଉଚ୍ଛେଦ ପରେ ସ୍ଥିତି କିଭଳି ରହିଛି, ତାହା ଅତି ନିକଟରୁ ଅନୁଧ୍ୟାନ କରିବେ ଏହି ପ୍ରତିନିଧି ଦଳ । ଏମାନଙ୍କୁ କାଶ୍ମୀର ଯିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ଜମ୍ମୁ କାଶ୍ମୀର ଗସ୍ତରେ ୟୁରୋପିଆନ ୟୁନିୟନର ୨୭ ସାଂସଦ ।  ଧାରା ୩୭୦ର ଉଚ୍ଛେଦ ପରେ ସ୍ଥିତି କିଭଳି ରହିଛି, ତାହା ଅତି ନିକଟରୁ ଅନୁଧ୍ୟାନ କରିବେ ଏହି ପ୍ରତିନିଧି ଦଳ । ଏମାନଙ୍କୁ କାଶ୍ମୀର ଯିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆମ ଉପରେ ବ୍ୟାନ, ଅନ୍ୟପଟେ  ୟୁରୋପୀୟ ସାଂସଦଙ୍କୁ ସ୍ୱାଗତ କରାଯାଉଛି ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । 

ବିଦେଶୀ ସାଂସଦଙ୍କୁ କାଶ୍ମୀର ଯିବାକୁ ଅନୁମତି ଦେବା ଦେଶର ସାର୍ବଭୌମତ୍ୱ ଉପରେ ଏକପ୍ରକାର ଆକ୍ରମଣ ବୋଲି ଅବିହିତ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ସିଧାସଳଖ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । କହିଛନ୍ତି, ଜମ୍ମୁ କାଶ୍ମୀର ଯିବାକୁ ଦେଶର ସାଂସଦଙ୍କ ଉପରେ ବ୍ୟାନ କରାଯାଇଛି । ହେଲେ ବିଦେଶୀ ସାଂସଦଙ୍କୁ ସ୍ୱାଗତ କରାଯାଉଛି । ସେହିପରି କାଶ୍ମୀର ମାମଲାରେ ଇୟୁ ସାଂସଦଙ୍କୁ ପଞ୍ଚ୍ କରାଯାଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା । 

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁସାରେ, ଆଜି ୨୭ ଯୁରୋପୀୟ ସାଂସଦ ଦିଲ୍ଲୀରୁ ଜମ୍ମୁ କାଶ୍ମୀର ଗସ୍ତ କରିବେ । ସକାଳ ୧୦.୧୫ରେ ଏୟାର ଇଣ୍ଡିଆ ବିମାନ ଯୋଗେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରିବେ । ୧୧.୧୫ରେ ଶ୍ରୀନଗରରେ ପହଞ୍ଚିବେ । ଗସ୍ତ ଅବସରରେ ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ, ରାଜ୍ୟପାଳଙ୍କ ସମେତ ସାଧାରଣ ଲୋକଙ୍କୁ ସାକ୍ଷାତ କରିବେ ଏହି ପ୍ରତିନିଧି ମଣ୍ଡଳୀ । କାଶ୍ମୀର ସ୍ଥିତିକୁ ଅତି ପାଖରୁ ପରଖିବେ । ଜମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ ରାତ୍ରି ଭୋଜନର ଆୟୋଜନ ମଧ୍ୟ କରିଛନ୍ତି । 

ସୋମବାର ଏହି ପ୍ରତିନିଧି ଦଳ ନୂଆଦିଲ୍ଲୀରେ ପହଞ୍ଚିଥିଲେ । କାଶ୍ମୀର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୟୁରୋପିଆନ ପ୍ରତିନିଧି ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରିଥିଲେ ।  କାଶ୍ମୀରରେ ଆତଙ୍କବାଦର ବିନାଶ ପାଇଁ ଏପରି ପଦକ୍ଷେପ ନିଆଯିବା ସହ ଆଗକୁ ଆତଙ୍କବାଦ ସହ ମୁକାବିଲା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ପ୍ରତିନିଧି ମଣ୍ଡଳୀକୁ କହିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀର ଆସୁଛନ୍ତି ଆନ୍ତର୍ଜାତିକ ଦଳ । ଭାରତରେ ଆତଙ୍କବାଦ ସ୍ଥିତି ପ୍ରସଙ୍ଗରେ ପ୍ରତିନିଧି ମଣ୍ଡଳୀଙ୍କୁ ଅବଗତ କରାଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭୋଲ ।

ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳୀର ପ୍ରଥମ କାଶ୍ମୀର ଗସ୍ତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୟୁରୋପିଆନ ପ୍ରତିନିଧିଙ୍କ ଆଲୋଚନା ବିଶ୍ୱକୁ ଭାରତ ସମ୍ପର୍କରେ ନୂଆ ସନ୍ଦେଶ ଦେବାରେ ସମର୍ଥ ହୋଇପାରିବ ବୋଲି କୁଟନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ବିଦେଶରେ ଏବେ ବି ଭାରତ ସମ୍ପର୍କରେ ଅନେକ ଭୁଲ ପ୍ରଚାର କରାଯାଉଛି । ମୋଦିଙ୍କ ସହ ୟୁରୋପିଆନ ପ୍ରତିନିଧିଙ୍କ ଆଲୋଚନା ବିଦେଶୀଙ୍କ ସନ୍ଦେହ ଦୂର କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।