ଯାଜପୁର ଜିଲ୍ଲାରେ ଅଜଣା ଜ୍ୱର ଆତଙ୍କ
Advertisement
Article Detail0/zeeodisha/odisha602839

ଯାଜପୁର ଜିଲ୍ଲାରେ ଅଜଣା ଜ୍ୱର ଆତଙ୍କ

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ଓ ବାଙ୍ଗରା ପଞ୍ଚାୟତରେ ଅଜଣା ଜ୍ୱର ଆତଙ୍କ । ଗତ ମାସେରୁ ଉର୍ଦ୍ଧ ହେଲା ଏଠାରେ ଜ୍ୱର ଲାଗି ରହିଛି । ଉଭୟ ପଞ୍ଚାୟତର ଶତାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରବଳ ଜ୍ୱର ହେବା ସହିତ ଦେହ ହାତ ଫୁଲିଯାଉଥିବା ଦେଖିବାକୁ ମିଳିଛି ।

ଯାଜପୁର ଜିଲ୍ଲାରେ ଅଜଣା ଜ୍ୱର ଆତଙ୍କ

ସନ୍ଦୀପ୍ତ ରାୟ, ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ଓ ବାଙ୍ଗରା ପଞ୍ଚାୟତରେ ଅଜଣା ଜ୍ୱର ଆତଙ୍କ । ଗତ ମାସେରୁ ଉର୍ଦ୍ଧ ହେଲା ଏଠାରେ ଜ୍ୱର ଲାଗି ରହିଛି । ଉଭୟ ପଞ୍ଚାୟତର ଶତାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରବଳ ଜ୍ୱର ହେବା ସହିତ ଦେହ ହାତ ଫୁଲିଯାଉଥିବା ଦେଖିବାକୁ ମିଳିଛି । ସମସ୍ୟା ସଂପର୍କରେ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ସୂଚନା ନାହିଁ । ଏ ନେଇ ଆମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଦୃଷ୍ଟି ଆକର୍ଷଣ କରିବା ପରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଗାଁରେ ଲାଗି ରହିଛି ଅଜଣା ଜ୍ୱର ଆତଙ୍କ । ପ୍ରତ୍ୟେକ ଘରେ ରହିଛନ୍ତି ଜ୍ୱର ରୋଗୀ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି ଅଜଣା ରୋଗର ଶିକାର । ଜ୍ୱର ଏପରି ହେଉଛି ଯେ ଘରୁ ବାହାରିବା ମୁସ୍କିଲ । ପ୍ରବଳ ଜ୍ୱର ସହିତ ଦେହ ହାତ ଫୁଲି ଯାଉଛି । ୮ ଦିନ ଜ୍ୱର ରହିବା ପରେ ଛାଡି ଯାଉଛି କିନ୍ତୁ ଦେହର ଫୁଲା ଲାଗି ରହୁଛି । ଏହି ସମସ୍ୟା ବିଂଝାରପୁର ବ୍ଲକ ଜରୀ ଓ ବାଙ୍ଗରା ପଞ୍ଚାୟତର ବିଭିନ୍ନ ଗାଁରେ ଲାଗି ରହିଥିଲେ ହେଁ ଅଦ୍ୟାବଧି ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ । ପାଖରେ କୌଣସି ସରକାରୀ ଡାକ୍ତରଖାନା ନାହିଁ । ବାଧ୍ୟ ହୋଇ ଲୋକେ ଦୂରରେ ଥିବା ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନେକ ପଡୋଶୀ ଜିଲ୍ଲା କେନ୍ଦ୍ରାପଡାର କଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସିତ ହେଉଛନ୍ତି । ଗତ ମାସେରୁ ଉର୍ଦ୍ଧ ହେଲା ଏହି ଅଞ୍ଚଳରେ ଅଜଣା ଜ୍ୱର ଆତଙ୍କ ଖେଳାଇ ଦେଇଛି । ତେବେ ଏହା କେଉଁ ପ୍ରକାରର ଜ୍ୱର ଏବଂ ଦେହର ବିଭିନ୍ନ ଅଂଶ କାହିଁକି ଫୁଲି ଯାଉଛି ତାକୁ ନେଇ ସାଧାରଣ ଲୋକେ ବେଶ ଭୟଭିତ । ଏଥିପାଇଁ ବିଭିନ୍ନ ପରୀକ୍ଷା ନିରିକ୍ଷାର ଆବଶ୍ୟକତା ଥିବା ବେଳେ ପାଖ ସରକାରୀ ଡାକ୍ତରଖାନାରେ ନାଁ ଅଛନ୍ତି ଅଭିଜ୍ଞ ଡାକ୍ତର ନାଁ ରହିଛି ପରିକ୍ଷା ନିରୀକ୍ଷା ପାଇଁ କୌଣସି ବ୍ୟବସ୍ଥା । ସମସ୍ୟା ସମ୍ପର୍କରେ ଆମେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇବାରୁ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଥିଲେ । ପରେ ଜ୍ୱର ପ୍ରଭାବିତ ଅଞ୍ଚଳକୁ ଡାକ୍ତରୀ ଟିମ୍ ପଠାଇବାକୁ ପ୍ରତିଶୃତି ଦେଇଛନ୍ତି । ଗ୍ରାମାଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଏହାକୁ ୫ଟିରେ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ ଏହା ସତ୍ତ୍ୱେ ଦୀର୍ଘ ମାସେ କାଳ ଲୋକେ ଜ୍ୱରରେ ଆକ୍ରାନ୍ତ ହେଉଥିଲେ ହେଁ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗର ନଜର ନ ପଡିବା ଦୁର୍ଭାଗ୍ୟଜନକ । ତୁରନ୍ତ ଜ୍ୱର ପ୍ରଭାବିତ ଅଞ୍ଚଳକୁ ଡାକ୍ତରୀ ଟିମ୍ ପଠାଇ ଚିକିତ୍ସା କରିବାକୁ ଦାବୀ ହୋଇଛି ।