ହାଲ୍ ନକ୍ସାରେ ଶ୍ରୀମନ୍ଦିରର ଚିହ୍ନବର୍ଣ୍ଣ ନଥିବା ବେଳେ ସେହି ସ୍ଥାନ ସମ୍ପୂର୍ଣ୍ଣ ଖାଲି ରହିଥିବା ଦେଖାଯାଉଛି। ସେହି ସ୍ଥାନ ଜଳାଶୟ କି ଆଉ କଣ ତାହା ବି ଜାଣିବା ମୁସ୍କିଲ ହୋଇପଡିଛି।
Trending Photos
ସଞ୍ଜୟ ମହପାତ୍ର,ପୁରୀ: ଓଡିଶା ସରକାରଙ୍କ ନକ୍ସାରୁ (Govt Map) ଗାଏବ ହୋଇଯାଇଛି ଶ୍ରୀମନ୍ଦିର (Srimandir)। ଅର୍ଥାତ ମନ୍ଦିର ରହିଥିବା ପ୍ଲଟ ସମ୍ପର୍କରେ ସରକାରୀ ହାଲ୍ ନକ୍ସାରେ ନଥିବା ଜଣାପଡିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି କିଛି ସେବାୟତ ଓ ଜଗନ୍ନାଥ ସେନା। ସାବକ ନକ୍ସାରେ ଶ୍ରୀମନ୍ଦିରର ଟିକନିକ ତଥ୍ୟ ରହିଥିବା ବେଳେ ହାଲ୍ ନକ୍ସାରେ ଏହା କୁଆଡେ ଗଲା ବୋଲି ସରକାରଙ୍କ ଠାରୁ ଜବାବ ମାଗିଛନ୍ତି।
ହାଲ୍ ନକ୍ସାରେ ଶ୍ରୀମନ୍ଦିରର ଚିହ୍ନବର୍ଣ୍ଣ ନଥିବା ବେଳେ ସେହି ସ୍ଥାନ ସମ୍ପୂର୍ଣ୍ଣ ଖାଲି ରହିଥିବା ଦେଖାଯାଉଛି। ସେହି ସ୍ଥାନ ଜଳାଶୟ କି ଆଉ କଣ ତାହା ବି ଜାଣିବା ମୁସ୍କିଲ ହୋଇପଡିଛି। କେବଳ ସେତିକି ନୁହେଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମହାପ୍ରଭୁଙ୍କ ଜମିଦାରୀକୁ ବଜାଇ ରଖିଥିବା ବେଳେ ରାଜ୍ୟ ସରକାର ସାଜିଛନ୍ତି ଜମିଦାର। ଅର୍ଥାତ୍ ସରକାରୀ ରେକର୍ଡରେ ଜମିଦାର ସ୍ଥାନରେ ଓଡିଶା ସରକାର ରହିଥିବା ବେଳେ ପ୍ରଜାଙ୍କ ନାମ ସହ ପିତାଙ୍କ ନାମ ସ୍ଥାନରେ ରହିଛି ଶ୍ରୀଜଗନ୍ନାଥ (Jagannath) ବିଜେ ଶ୍ରୀକ୍ଷେତ୍ର ମାର୍ଫତ ମନ୍ଦିର ପରିଚାଳନା କମିଟି।
ଜମିଦାର କିଭଳି ଓଡିଶା ସରକାର ଆଉ ପ୍ରଜା କିଭଳି ମହାପ୍ରଭୁ ହେଲେ ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସେନା ଆବାହକ। ସବୁଠାରୁ ବଡ କଥା ହେଉଛି ମହାପ୍ରଭୁ ଶ୍ରୀମନ୍ଦିର ପାଇଁ ସରକାରଙ୍କୁ ଖଜଣା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ଯାନିତ୍ୱ କରିଛି। ସେପଟେ ମହାପ୍ରଭୁଙ୍କ ସମ୍ପତ୍ତିକୁ ହରିଲୁଟ କରାଯାଇଥିବା ଅଭିଯୋଗ କରିଛି ସେନା। ମହାପ୍ରଭୁଙ୍କ ଅମୃତମଣୋହୀ ସମ୍ପତି ବିକ୍ରି ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ଓଇଏ ଆଇନ ଅନୁସାରେ ମଧ୍ୟ ମହାପ୍ରଭୁଙ୍କ ସମ୍ପତ୍ତି ବିକ୍ରି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ।
Also Read: କାଳିଆ ଦର୍ଶନକୁ ନେଇ ଉତ୍ସାହିତ ଭକ୍ତ, SOP ଉପରେ ରହିଛି ନଜର
ମାତ୍ର ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଥିବା ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତିକୁ କିଭଳି ନିଜ ନାମରେ କରାଇନେଲେ ଜବରଦଖଲକାରୀ। ଆଉ ଏବେ କିଭଳି ମହାପ୍ରଭୁଙ୍କ ସେହି ଜମିକୁ ଐତିହ୍ୟ କରିଡର ପାଇଁ ସେମାନଙ୍କ ଠାରୁ କୋଟିକୋଟି ଟଙ୍କା ଦରରେ ଅଧିଗ୍ରହଣ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହା ପଛରେ ରହିଥିବା ସତ୍ଯର ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ ଓ ସେବାୟତ ବୁଲୁ ଖୁଣ୍ଟିଆ।