ଟିକାକରଣ ନିୟମକୁ ସେବାୟତଙ୍କ କ୍ଷେତ୍ରରେ କୋହଳ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି।
Trending Photos
ପୁରୀ: ଜୋରସୋରରେ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଭଉଁରୀକୁ ଦୃଷ୍ଟିରେ ରଖି ୬ ଚକ ୩ ଅଖକୁ ପ୍ରସ୍ତୁତ କରାଯାଉଛି। ଗତକାଲି ଅର ଅନୁକୂଳ କରାଯିବା ପରେ ଶୁକ୍ରବାର ସିଙ୍ଗଡାବାଡିଆ ଅନୁକୂଳ କରାଯାଇଛି। ସେବାୟତଙ୍କ ଟିକାକରଣ ନୀତିରେ କୋହଳ କରାଯାଇ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କୁ ଦୁଇଟି ଡୋଜ ଟିକା ଦିଆଯିବା ନେଇ ଅନୁରୋଧ କରିଛି ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି।
ଜୁଲାଇ ୧୨ ତାରିଖ ସୋମବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା (Rathyatra)। ଏହି ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ରଥଖଳାରେ ଅନୁକୂଳ ହୋଇଛି ସିଙ୍ଗଡାବାଡିଆ। ଭୋଇ ସେବକ ଯନ୍ତାଗାଢରେ ସିଙ୍ଗଡାବାଡିଆ ଅନୁକୂଳ କରିଛନ୍ତି। ଶୁକ୍ରବାର ପ୍ରତି ରଥର ଦୁଇଟି ଲେଖାଏଁ ମୋଟ ୬ ଚକର ସିଙ୍ଗଡାବାଡିଆ କରାଯାଇଛି। ତିନି ରଥର ୪୨ଟି ତୁମ୍ଭରେ ୬୭୨ ଟିଅର ସଂଯୋଗ ହେବା ପରେ ସିଙ୍ଗଡାବାଡିଆ ହେବାର ପରମ୍ପରା ରହିଛି।
Also Read: Corona Alert: ନିର୍ମାଣ କାର୍ଯ୍ୟ ସରିବା ପରେ ରଥଖଳାରେ କରାଗଲା ବିଶୋଧନ
ସିଙ୍ଗଡାବାଡିଆ ହେବା ପରେ ତୁମ୍ଭରେ ରଥର ଅରକୁ (Chariot Axle) ସଠିକ୍ ଭାବେ ସଂଯୋଗ ହୋଇଥାଏ। ତାପରେ ପହି ପଡିବା ପରେ ପୁନର୍ବାର ବିଲେଇ ବାଡିଆ କରାଯାଇଥାଏ। ଫଳରେ ରଥଚକ ମଜବୁତ ହୋଇଥାଏ। ସେପଟେ ମହାପ୍ରଭୁଙ୍କ ୩ ରଥର ୩୩ ଗୁଜରେ ସିଂହବିରାଳ ଖୋଦେଇ ଚାଲିଛି। ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଗୁଜ ଅନୁକୂଳ ହେବା ପରେ ରୂପକାର ସେବକ ନିଷ୍ଠାର ସହ ଖୋଦେଇ କାର୍ଯ୍ଯ କରୁଛନ୍ତି। କୋଭିଡ୍ କଟକଣା ଆଧାରରେ ଜୈବିକ ବଳୟ (Bio Bubble) ମଧ୍ୟରେ ରଥକାର୍ଯ୍ଯ ସୁଚାରୁରୂପେ କରାଯାଉଛି। ସେପଟେ କମାର ଶାଳରେ କମାର ୩ ରଥ ପାଇଁ ଲୁହା କଣ୍ଟା ସହ ଲୁହା ସାମଗ୍ରୀ ତିଆରି କରୁଛନ୍ତି। କମାର ଶାଳରେ ଅରକଣ୍ଟା, ଅର କ୍ଲାମ୍ପ, ୪୨ ତୁମ୍ଭର ୪୨ ଯୋଡା ପନ୍ଦାରି ନିର୍ମାଣ ଜାରି ରହିଛି। ରଥ ନିର୍ମାଣ ପ୍ରକ୍ରିୟା ସୁବ୍ଯବସ୍ଥିତ ଭାବେ ଚାଲିଥିବା ବେଳେ ସ୍ନାନ ପୂର୍ଣ୍ଣିମା (Snana Purnima) ପାଇଁ ପ୍ରସ୍ତୁତ ହେଲେଣି ସେବାୟତ।
Also Read: Corona Alert: ରଥଖଳାରେ ଲାଗୁ ହେଲା Bio Bubble ସୁରକ୍ଷା ବ୍ୟବସ୍ଥା
କେନ୍ଦ୍ର ସରକାରଙ୍କ ଟିକାକରଣ ନିୟମକୁ ସେବାୟତଙ୍କ କ୍ଷେତ୍ରରେ କୋହଳ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି (Srimandir Covid Management Committee)। ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଦୁଇଟି ଡୋଜ ଟିକା ନେବାରେ ସମସ୍ଯା ସୃଷ୍ଟି କରିଛି ଏହି ନିୟମ। ଏ ପର୍ଯ୍ୟନ୍ତ ୧୨ ଶହ ସେବାୟତ ଦୁଇଟି ଡୋଜ ଟିକା ନେଇଥିବା ବେଳେ ୧୦ ହଜାର ସେବାୟତ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ ଟିକା ନେଇନାହାଁନ୍ତି।
Also Read: Corona Alert: ସଂକ୍ରମଣ ବୃଦ୍ଧିକୁ ନେଇ ସତର୍କ ହୋଇଉଠିଲା Srimandir Adminstration
ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଦ୍ୱିତୀୟ ଡୋଜ ଟିକା ନେବାକୁ ହେଲେ ସରକାରଙ୍କୁ ଏହି ନୀତିରେ କୋହଳ କଲେ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସେବାୟତ ରଥଯାତ୍ରାରେ ସାମିଲ ହୋଇପାରିବେ। ଆଉ ଆଗାମୀ ଦିନରେ ଏନେଇ ନିଯୋଗ ପକ୍ଷରୁ ମୁଖ୍ୟ ପ୍ରଶାସକ ଏବଂ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର କୋଭିଡ୍ ପରିଚାଳନା କମିଟି ସଦସ୍ଯ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର।
Also Read: କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ
ଆଗକୁ ଭଉଁରୀ ଯାତ୍ରା। ରଥଖଳାରେ ନାହାକା ଅଖ ସହ ଚକ ସଂଯୋଗ ନିତି। ଏହା ପରେ ଦେବସ୍ନାନ ପୂର୍ଣ୍ଣିମା। ତିନି ରଥରେ ଉଠିବ ଚାରିନାହାକା। ଏସବୁ ନୀତିକୁ କୋଭିଡ୍ କଟକଣା ଭିତ୍ତିରେ କିଭଳି କରାଯିବ ଶୃଙ୍ଖଳିତ ତାହା ଉଭୟ ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଏକ ବଡ ଚ୍ଯାଲେଞ୍ଜ।