Top 10 News Today:ଦୁଇ ଦିନ ପ୍ରବଳ ବର୍ଷା, ବଲାଙ୍ଗୀରରେ ଡାଇରିଆ, ୧୭ରେ ଆସିବ ସୁଭଦ୍ରା କିସ୍ତି ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2431917

Top 10 News Today:ଦୁଇ ଦିନ ପ୍ରବଳ ବର୍ଷା, ବଲାଙ୍ଗୀରରେ ଡାଇରିଆ, ୧୭ରେ ଆସିବ ସୁଭଦ୍ରା କିସ୍ତି ଏବଂ ଅନ୍ୟ ମୁଖ୍ୟ ଖବର

H1.

Top 10 News Today:ଦୁଇ ଦିନ ପ୍ରବଳ ବର୍ଷା, ବଲାଙ୍ଗୀରରେ ଡାଇରିଆ, ୧୭ରେ ଆସିବ ସୁଭଦ୍ରା କିସ୍ତି ଏବଂ ଅନ୍ୟ ମୁଖ୍ୟ ଖବର

H1. ଆହୁରି ଦୁଇ ଦିନ ପ୍ରବଳ ବର୍ଷା; ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ। ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ। ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ବାଲେଶ୍ବର ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ମାଟି ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳରେ ପାଣି ଜମିପାରେ। 

H2. ବିପଦ ସଙ୍କେତ ଉପରେ ଜଳକା
ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ଆଜି ବିପଦ ସଙ୍କେତ ଉପରେ ଚାଲୁଛି ଜଳକା ନଦୀର ପାଣି । ଫଳରେ ଭୟଭୀତ ହୋଇପଡିଛନ୍ତି ନଦୀ କୂଳିଆ ଲୋକେ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୫.୯୮ ମିଟର ରହିଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଏହାର ଜଳସ୍ତର ୬.୫୧ ମିଟର ରହିଛି । ଫଳରେ ଏଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

H3. ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି
ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍କ ଦ୍ବାଦଶୀ ତିଥିରେ ପବିତ୍ର ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଛି। ଏ ନେଇ ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ବାମନ ଜନ୍ମ ନୀତି ପାଇଁ ମଧ୍ୟାହ୍ନଧୂପ ଛେକ ଉଠିବା ପରେ (ସଂଧ୍ୟା) ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତିରେ ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହୋଇଥିଲା।

H4. ଖାଇବା ତେଲ ଦର ୨୦ ଟଙ୍କା ବଢ଼ିଲା
ଦେଶରେ ପାର୍ବଣ ଆରମ୍ଭ ହୋଇଯାଇଛି। ଲୋକଙ୍କ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ଆମଦାନି ଶୁଳ୍କ ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିଛି। ଶୁଳ୍କ ବୃଦ୍ଧି ଫଳରେ ଭୁବନେଶ୍ବରର ଖୁଚୁରା ବଜାରରେ ବିଭିନ୍ନ ପ୍ରକାର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି। ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିଭିନ୍ନ ପ୍ରକାର ରିଫାଇନ ତେଲ ପୂର୍ବରୁ ଲିଟର ପିଛା ୧୦୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚଦାମ୍‌ରେ ବିକ୍ରି ହେଉଛି।

H5. ବଲାଙ୍ଗୀରରେ ଡାଇରିଆ ଆତଙ୍କ
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚାୟତ କନ୍ଦାଗାଡ଼ ଗାଁରେ ଡାଇରିଆ ଆତଙ୍କ। ଗତ ୭ଦିନ ମଧ୍ୟରେ ପ୍ରାୟ ୨୦ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିବା ଗ୍ରାମବାସୀ କହିଛନ୍ତି । ଖବର ପାଇ ତୁରେକେଲା ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହାସହ ନଳକୂପ ଓ କୂଅରେ ସ୍ଥିତି କରିବା ସହ ଗାଁରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଘରକୁ ଯାଇ ରୋଗୀ ଚିହ୍ନଟ କରୁଛନ୍ତି । ଝାଡାବାନ୍ତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ଚୈତନ୍ୟ ଖରସେଲ ବୋଲି ଜଣାପଡିଛି ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି, ତା'ର ତଦନ୍ତ ଚାଲିଥିବା ମେଡିକାଲ ଅଫିସର କହିଛନ୍ତି । ଅନ୍ୟପଟେ ପୁଣି ଝାଡ଼ାବାନ୍ତି ନେଲା ଜୀବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପ୍ସିଆମ୍ବରେ ଝାଡ଼ାବାନ୍ତି ଉଗ୍ର ରୂପ ଧାରଣ କରିଥିବା ବେଳେ ଆଉ ଜଣେ ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି ।

H6. ୧୭ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,"ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ଟଙ୍କା ଲେଖାଁଏ ଯାଇଛି। ଆସନ୍ତା ୧୭ ତାରୀଖରେ ପ୍ରଥମ କିସ୍ତି  ମିଳିବ। ପରୀକ୍ଷାମୂଳକ ଭାବେ ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଁଏ ଯାଇଛି। ୧୭ ତାରିଖରେ ପ୍ରଥମ କିସ୍ତି ଯିବ । ଶେଷ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନା ନପହଞ୍ଚିବା ଯାଏଁ ପଞ୍ଜୀକରଣ ଚାଲିବ। ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ । ୧୭ ତାରିଖ ପରେ ବି ପଞ୍ଜୀକରଣ ହୋଇଥିବା ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ । ଏବେ ଯାଏଁ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିସାରିଲେଣି । ୧ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସାମିଲ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

H7. ରାଜ୍ୟରେ ଗଡିଲା ୩ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ଦୁଇଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍‌ସପ୍ରେସ୍‌ରେ ବସି ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରୁ ଭୁବନେଶ୍ବର ଫେରିଥିଲେ। ଏହି ଅବସରରେ ଟ୍ରେନ୍‌ରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଓଡିଶାରେ ରେଳ ବିକାଶର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା । 

H8. ଇସ୍ତଫା ଦେବେ କେଜରିୱାଲ
ଆମ୍ ଆଦମୀ ପାର୍ଟି (AAP) ର ସବୁଠାରୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସିଏମ କେଜ୍ରିୱାଲ କହିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପର୍ଯ୍ୟନ୍ତ ଦଳର ଅନ୍ୟ କେହି ମୁଖ୍ୟମନ୍ତ୍ରୀ ରହିବେ। ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ବିଧାୟକଙ୍କ ଏକ ବୈଠକ ହେବ, ଯେଉଁଥିରେ ପରବର୍ତ୍ତୀ ସିଏମ୍ ନିଷ୍ପତ୍ତି ନିଆଯିବ। 

H9. ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ଜଣେ ଗିରଫ
ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ର ଗୋଲ୍ଫ କ୍ଲବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସୁରକ୍ଷିତ ଥିବା ନେଇ ବିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଟ୍ରମ୍ପ । ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ସିକ୍ରେଟ ସର୍ଭିସ ।

H10. ଦ୍ୱିତୀୟ ସ୍ଥାନରେ ନୀରଜ
୨୦୨୪ ଡାଇମଣ୍ଡ ଲିଗ୍ ଫାଇନାଲରେ ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଆଘାତ ଥିବା ସତ୍ତ୍ୱେ ନୀରଜ ଚୋପ୍ରା ତୃତୀୟ ରାଉଣ୍ଡରେ ନିଜର ଶ୍ରେଷ୍ଠ ଥ୍ରୋ କରିଥିଲେ। ସେ ୮୭.୮୬ ମିଟର ଜାଭେଲିନ୍ ଫିଙ୍ଗିଥିଲେ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଡାଇମଣ୍ଡ ଲିଗ୍ ଫାଇନାଲରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ୨୦୨୨ ରେ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଥିଲେ।