ରାସ୍ତାରେ ମଦ୍ୟପାନ କରୁଛନ୍ତି କି ତାହାଲେ ହୋଇଯାନ୍ତୁ ସାବଧାନ!
Trending Photos
ବ୍ରହ୍ମପୁର: ପାଖେଇ ଆସିଲାଣି ପାର୍ବଣ ଋତୁ। ରେଶମ ନଗରୀ ବ୍ରହ୍ମପୁରରେ ଚଳିତ ବର୍ଷ ଦଶହରାକୁ ଶୃଙ୍ଖଳିତ କରିବା ଲାଗି ଏବେ ଠାରୁ ଅଣ୍ଟାଭିଡି଼ଛି ବ୍ରହ୍ମପୁର ପୋଲିସ୍। ସହରର ବିଭିନ୍ନ ଖୋଲା ସ୍ଥାନରେ ମଦ୍ୟପାନ କରି ଅପ୍ରୀତିକର ପରିସ୍ଥିତି ଘଟାଉଥିବା ବ୍ଯକ୍ତିଙ୍କୁ ସାବାଡ କରିବା ଲାଗି ମଦୁଆ ଧରା ଅଭିଯାନ କାର୍ଯ୍ୟକାରୀ କରିଛି ପୋଲିସ। ଏହା ସହ ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିବା ସହ ପୁଣି ଥରେ ଅପରାଧି ସଫେଇ ଅଭିଯାନକୁ ଜାରି ରଖିବା ଲାଗି ରଣନୀତି ପ୍ରସ୍ତୁତ ହୋଇଥିବା ବେଳେ ସହରର ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଗଠିତ ହୋଇଛି ସ୍ବତନ୍ତ୍ର ଟିମ।
ରାସ୍ତାରେ ମଦ୍ୟପାନ ମାତାଲ ହେଉଛନ୍ତି କି ତାହାଲେ ହୋଇଯାନ୍ତୁ ସାବଧାନ! କାରଣ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ମଦୁଆ ଧରା ଅଭିଯାନ। ଅପ୍ରୀତିକର ଘଟାଉଥିବା ମଦୁଆଙ୍କୁ କାବୁ କରିବା ଲାଗି ରହିଛି ସ୍ବତନ୍ତ୍ର ଗାଡି। ବ୍ରହ୍ମପୁର ଏସପିଙ୍କ ନେତୃତ୍ଵରେ ସହରର ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ବେଳେ ରାଜରାସ୍ତା ହେଉ ଅଥବା ପୋଖରୀ ତୁଠ ଏପରିକି ସହରର ଗଳି କନ୍ଦିରେ ମଦ ପିଇ ମାତାଲ ହେଉଥିବା ମଦୁଆଙ୍କୁ କାବୁ କରୁଛି ବ୍ରହ୍ମପୁର ପୋଲିସ ସ୍ପେଶାଲ ସ୍କାର୍ଡ।
Also Read: Berhampur Circle Jail: 4G ଯୁଗରେ କାମ କରୁନି 2G ଜାମର, ଅଚଳପଡି଼ଛି ମେଟାଲ ଡିଟେକ୍ଟର-ବ୍ୟାଗ୍ ସ୍କାନର
ଏପରିକି ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ମଧ୍ୟ ଚଢାଉ କରାଯିବା ସହ ପେଷାଦାର ଅପରାଧୀଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତ ହୋଇଛି ରଣନୀତି। ଗତ ଦୁଇ ଦିନ ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ମଦୁଆଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏକାଧିକ ଅପରାଧିଙ୍କୁ ଗିରଫ କରି ଜେଲ ପଠାଇଛି। ଦଶହରାକୁ ଶୃଙ୍ଖଳିତ କରିବା ଲାଗି ସହରରେ ଯଦି କେଉଁଠି ଅପରାଧିଙ୍କ ଗତିବିଧି ନଜର ଆସିଲେ ପୋଲିସକୁ ସୁଚନା ଦେବା ଲାଗି ଅପିଲ କରିଛନ୍ତି ବ୍ରହ୍ମପୁର ଏସପି।
Also Read: ୱେବ୍ ମିଡିଆ ଉପରେ ରହିବ ସତର୍କ ନଜର; ନିଷ୍ପତ୍ତି ନେଇ ଆସିଲା ମିଶ୍ରିତ ପ୍ରତିକ୍ରିୟା
ଦଶହରା ଠାରୁ ଦୀପାବଳି ସମୟରେ ଅପରାଧୀ ବେଶ ସକ୍ରିୟ ହେବା ନଜରକୁ ଆସୁଥିବା ବେଳେ ପୋଲିସ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏହି ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଦକ୍ଷିଣ ଓଡିଶାର ବ୍ଯବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁର ସହରକୁ ଏହି ସମୟରେ ବିଭିନ୍ନ ଉଦ୍ଦେଶ୍ଯରେ ପ୍ରତ୍ୟେକ ଦିନ ହଜାର ହଜାର ବ୍ୟବସାୟୀ ଏବଂ ଗ୍ରାହକ ଆସୁଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଯାଉଥିବା ମଦ ଦୋକାନ ଉପରେ ଲଗାମ ଲଗାଇବା ସହ ଝାମ୍ପୁରା ଙ୍କ ଉପରେ କଡା ନଜର ରଖିବା ଲାଗି ଦାବି ହୋଇଛି।