ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ
Advertisement

ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ

ଗତ ବୁଧବାର ୨ କୃଷକ ସଙ୍ଗଠନ ଅଖିଳ ଭାରତୀୟ କିସାନ ସଂଘର୍ଷ ସମନ୍ୱୟ ସମିତି ଏବଂ ରାଷ୍ଟ୍ରୀୟ କିସାନ ମଜଦୂର ସଙ୍ଗଠନ ଏହି ଆନ୍ଦୋଳରୁ ଓହରି ଯାଇଛନ୍ତି।

ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ

ନୂଆଦିଲ୍ଲୀ: କୃଷି ଆଇନ ବିରୁଦ୍ଧରେ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ଟ୍ରାକ୍ଚର ରାଲି ବେଳେ ହୋଇଥିବା ହିଂସାକାଣ୍ଡକୁ ନେଇ ଏବେ ବିବାଦ ଘେରକୁ ଚାଲିଯାଇଛି କୃଷକ ଆନ୍ଦୋଳନ। ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ସୀମାରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ କରୁଥିବା ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। 

ଗତ ବୁଧବାର ୨ କୃଷକ ସଙ୍ଗଠନ ଅଖିଳ ଭାରତୀୟ କିସାନ ସଂଘର୍ଷ ସମନ୍ୱୟ ସମିତି ଏବଂ ରାଷ୍ଟ୍ରୀୟ କିସାନ ମଜଦୂର ସଙ୍ଗଠନ ଏହି ଆନ୍ଦୋଳରୁ ଓହରି ଯାଇଛନ୍ତି। ଏହିକ୍ରମରେ ଗୁରୁବାର ଅନ୍ୟ ଦୁଇ ଚାଷୀ ସଙ୍ଗଠନ  ଏହି ଆନ୍ଦୋଳନରୁ ବାହାରି ଯାଇଛନ୍ତି। ଯେଉଁଠି ରାକେଶ ଟିକେତଙ୍କ ଭଳି କୃଷକ ନେତା ଆନ୍ଦୋଳନ ଜାରି ରଖିବା ଲାଗି ଅନଶନ କରିବାକୁ କହୁଥିବା ବେଳେ ତାଙ୍କ ଭାଇ ନରେଶ ଟିକେତ ଚାଷୀ ଆନ୍ଦୋଳନ ବନ୍ଦ କରିବାକୁ ଘୋଷଣା କରିଛନ୍ତି।       

ଭାରତୀୟ କିସାନ ୟୁନିୟନ-ବିକେୟୁ (Bharatiya Kisan Union-BKU) ବିକେୟୁ ଲୋକଶକ୍ତି ଅଧ୍ୟକ୍ଷ ଶ୍ୟୋରାଜ ଭାଟି ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିମଂହଲ ତୋମାରଙ୍କ ସହ ସାକ୍ଷାତ କରିବା ପରେ ଚାଷୀ ଆନ୍ଦୋଳନରୁ ହଟିବା ନେଇ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଆମ ସଙ୍ଗଠନ ପ୍ରାୟ ୬୦ ଦିନ ଧରି ଦଳିତ ପ୍ରେରଣାସ୍ଥଳ ଠାରେ ଧାରଣା ଦେଉଥିଲା। ଏବେ ଏହି ଆନ୍ଦୋଳନ ଲକ୍ଷ୍ୟହୀନ ହୋଇପଡିଛି।    

Also Read: ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!

ସେ କହିଛନ୍ତି ଯେ କିଛି ବିଶୃଙ୍ଖଳିତ ତତ୍ତ୍ୱ ଲାଲକିଲ୍ଲାରେ ଏପରି ଏକ ପତାକା ଉଡାଇଥି୍ଲେ ଯାହା ଦେଶର ଲୋକଙ୍କ ଭାବନାକୁ ଆଘାତ କରିଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ନୂଆ କେନ୍ଦ୍ରୀୟ କୃଷି ଆଇନ ବାବଦରେ ବିଶଦଃ ଭାବେ ଜଣାଇଥିଲେ। ଭବିଷ୍ୟତରେ ମଧ୍ୟ ସରକାରଙ୍କ ସହ ଏ ବାବଦରେ ଆଲୋଚନା କରିବୁ। ବିକେୟୁ ନେତା ଭାଟି ଟିକେତଙ୍କ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ସେ ଆକ୍ରମଣାତ୍ମକ ନୁହଁନ୍ତି। ଯେତେବେଳେ ଜଣେ ବ୍ୟକ୍ତି ଲଗାତାର ୬୦ ଦିନ ଧରି ଆନ୍ଦୋଳନରେ ବସିଥାଏ ସେତେବେଳେ ଏହା ଘଟିଥାଏ। ନୂତନ କୃଷି ବିଲରେ କିଛି ତ୍ରୁଟି ରହିଛି। ବର୍ତ୍ତମାନ ବସି ସରକାରଙ୍କ ସହ କଥା ହେବାର ସମୟ ଆସିଛି। ଆମେ କୃଷି ମନ୍ତ୍ରୀଙ୍କ ସହ କଥା ହୋଇଛୁ। ଯଦି ସେମାନଙ୍କ ସହ ମଧ୍ୟସ୍ଥତା ବିଷୟରେ କହିବାକୁ ପଡିବ ତାହେଲେ ଆମେ ମଧ୍ୟ ତାହା କରିବୁ।         
 
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା କୃଷି ଆନ୍ଦୋଳନରୁ ବିଭିନ୍ନ କୃଷକ ସଙ୍ଗଠନ ନିଜକୁ ପୃଥକ କରି ନେଉଛନ୍ତି। ହେଲେ ଅନ୍ୟପଟେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା କୃଷକ ନେତାଙ୍କ ବୟାନବାଜି ଥମିବାର ନାଁ ଧରୁନାହିଁ।     

Also Read: କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍ 

ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ କୃଷକ ନେତା ରାକେଶ ଟିକେତ ଆତ୍ମ ସମର୍ପଣ କରିବାକୁ ମନା କରିଛନ୍ତି। ଏନେଇ ସେ କହିଛନ୍ତି ମୁଁ କୌଣସି ଅପରାଧି ନୁହେଁ। କାହିଁକି ଆତ୍ମ ସମର୍ରଣ କରିବି। କୃଷକ ଆନ୍ଦୋଳନ ଆଗକୁ ଜାରି ରହିବ। ଲାଲକିଲ୍ଲାରେ କିଏ  ହିଂସାକାଣ୍ଡ ଭିଆଇଛି ତାହାର ଯାଞ୍ଚ କରାଯାଉ। ସୁପ୍ରିମ କୋର୍ଟ ଏହାର ତଦନ୍ତ କରନ୍ତୁ। ଆମକୁ ଧୋକା ଦିଆଯାଇଛି। ଗୋଟିଏ ସମ୍ପ୍ରଦାୟକୁ ଅସମ୍ମାନ କରିବାକୁ ଚେଷ୍ଟା କରାଯାଉଛି। ଜାତୀୟ ପତାକା ତ୍ରୀରଙ୍ଗାର ଅପମାନକୁ ବରଦାସ୍ତ କରାଯିବ ନାହିଁ। ଦୀପ ସିଦ୍ଧୁଙ୍କ ସମ୍ପର୍କ କାହା ରହିଛି ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ କରନ୍ତୁ।     

ଆମେ କଥାବାର୍ତ୍ତା ଲାଗି ପ୍ରସ୍ତୁତ ଅଛୁ ହେଲେ ଧାରଣାସ୍ଥଳ ଖାଲି ହେବ ନାହିଁ। ଗିରଫ ପରେ ମୋର ଏବଂ ମୋ ସହକର୍ମୀଙ୍କ ସହିତ କ’ଣ ହେବ ମୁଁ ଜାଣେ। ଯଦି ଆମକୁ ଗୁଳି କରାଯାଏ ତାହେଲେ ସେଥିଲାଗି ଆମେ ପ୍ରସ୍ତୁତ ଅଛୁ। ସେ ଧମକ ଦେଇ କହିଛନ୍ତି ଯଦି ଧାରଣା ଶେଷ ହୋଇଯାଏ ତାହେଲେ ମୁଁ ଏଠାରେ ଆତ୍ମହତ୍ୟା କରିବି। ଗାଜିପୁର ସୀମାରେ ଯେଉଁଠି ଆନ୍ଦୋଳନ ଚାଲିଛି ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଯଦି ଏଠାରେ କୌଣସି ବିଶୃଙ୍ଖଳା ହୁଏ, ତେହେଲେ ପ୍ରଶାସନ ଏଥି ଲାଗି ଦାୟୀ ରହିବ। ଆମର ଖାଇବା ପିଇବା ବନ୍ଦ ହୋଇଯାଇଛି। ମୁଁ ଏଠାରେ ଖାଇବି ନାହିଁ କି ପାଣି ପିଇବି ନାହିଁ, ମୁଁ କେବଳ ଗାଁରୁ ପାଣି ପିଇବି ବୋଲି କହିଛନ୍ତି ରାକେଶ ଟିକେତ।    

Also Read: Farmer Protest: ହିଂସାକାଣ୍ଡ ପରେ Delhi-NCR ଅଞ୍ଚଳରେ ଇଣ୍ଟରନେଟ ବନ୍ଦ, ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ

ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବା ପରେ ବରିଷ୍ଠ ପୋଲିସ ଅଧିକାରୀ ଗାଜିପୁର ସୀମାରେ ପହଞ୍ଚିଛନ୍ତି। ଏପରିକି ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି। ୟୁପି ପୋଲିସ କହିଛନ୍ତି କୃଷକ ନେତା ଟିକେତ ପ୍ରଶାସନ ନିର୍ଦ୍ଦେଶ ମାନୁନାହାଁନ୍ତି। ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଇଥିଲା ହେଲେ ଏହା ସଫଳ ହୋଇନାହିଁ।