ଓଡ଼ିଶାରେ କେମିତି ରହିବ 'ଉମ୍ଫୁନ'ର ପ୍ରଭାବ ?

ଓଡ଼ିଶାରେ ଆଜି ସନ୍ଧ୍ୟାରୁ ହିଁ 'ଉମ୍ଫୁନ'ର ପ୍ରଭାବ ଦେଖିବାକୁ ମିଳିବ । ପ୍ରବଳ ବେଗରେ ପବନ ଏବଂ ତା ସାଙ୍ଗକୁ ବର୍ଷା । 

ଓଡ଼ିଶାରେ କେମିତି ରହିବ 'ଉମ୍ଫୁନ'ର ପ୍ରଭାବ ?
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ କେମିତି ରହିବ ବାତ୍ୟା 'ଉମ୍ଫୁନ'ର ପ୍ରଭାବ ? ଯେତେବେଳେ ଏହା ମହାବାତ୍ୟାର ରୂପ ନେବ ବୋଲି କୁହାଯାଉଛି, ସେତେବେଳେ ଏ ପ୍ରଶ୍ନ ଆସିବା ସ୍ୱାଭାବିକ । 'ଉମ୍ଫୁନ' ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି । ହେଲେ ଉପକୂଳ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । 

ଓଡ଼ିଶାରେ ଆଜି ସନ୍ଧ୍ୟାରୁ ହିଁ 'ଉମ୍ଫୁନ'ର ପ୍ରଭାବ ଦେଖିବାକୁ ମିଳିବ । ପ୍ରବଳ ବେଗରେ ପବନ ଏବଂ ତା ସାଙ୍ଗକୁ ବର୍ଷା । ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ । ତେବେ ଆସନ୍ତାକାଲି ପବନର ବେଗ ଆହୁରି ବଢ଼ିବ । 

କେଉଁ କେଉଁ ଜିଲ୍ଲା ଅଧିକ ପ୍ରଭାବିତ ହେବେ ?

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଅଧିକ ପ୍ରଭାବିତ ହେବ । ତେବେ ଓଡ଼ିଶା ଉପକୂଳ ଦେଇ 'ଉମ୍ଫାନ' ଯେତେବେଳେ ଅତିକ୍ରମ କରିବ, ସେହିସମୟରେ ପବନର ବେଗ ୧୧୦ରୁ ୧୩୦ କିଲୋମିଟର ମଧ୍ୟରେ ରହିବ ବୋଲି କୁହାଯାଇଛି ।