ଭଡ଼ାରେ ଲାଗିଛି ସରକାରଙ୍କ ଫାଇଲିନ ସହାୟତା ପକ୍କା ଘର, ଚୁପ ବସିଛନ୍ତି ବଡିଓ
Advertisement
Article Detail0/zeeodisha/odisha617483

ଭଡ଼ାରେ ଲାଗିଛି ସରକାରଙ୍କ ଫାଇଲିନ ସହାୟତା ପକ୍କା ଘର, ଚୁପ ବସିଛନ୍ତି ବଡିଓ

ଅବହେଳା କାରଣରୁ ଦୀର୍ଘ ବର୍ଷ ହେଲା ବାସଗୃହ ପାଇ ପାରୁନାହାନ୍ତି ଖୋର୍ଦ୍ଧା ଜିଲ୍ଳା ଟାଙ୍ଗୀ ବ୍ଲକ୍ ମଙ୍ଗଳାଯୋଡ଼ିର ହିତାଧିକାରୀ

ସୌଜନ୍ୟ: ସୋସିଆଲ ମିଡିଆ

ସୂର୍ଯ୍ୟନାରାୟଣ ମହାନ୍ତି, ଖୋର୍ଦ୍ଧା: ଅବହେଳା କାରଣରୁ ଦୀର୍ଘ ବର୍ଷ ହେଲା ବାସଗୃହ ପାଇ ପାରୁନାହାନ୍ତି ଖୋର୍ଦ୍ଧା ଜିଲ୍ଳା ଟାଙ୍ଗୀ ବ୍ଲକ୍ ମଙ୍ଗଳାଯୋଡ଼ିର ହିତାଧିକାରୀ । ଫାଇଲିନରେ ସର୍ବସ୍ୱ ହରାଇଥିବା ଲୋକଙ୍କ ପାଇଁ ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୧୩ଟି କୋଠା ମଧ୍ୟରୁ ୧୦ ପକ୍କାଘର ଏବେ ଭୂତକୋଠି ପାଲଟିବାକୁ ବସିଲାଣି । କଲୋନୀରେ ମାତ୍ର ୩ଟି କୋଠାରେ ହିତାଧିକାରୀ ରହୁଥିବା ବେଳେ, ଅନ୍ୟ କେତୋଟି ଗୃହକୁ ଚଞ୍ଚକତା କରି ନେଇଥିବା ଲୋକେ ଏବେ ଭଡ଼ାରେ ଲଗାଇଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ପ୍ରକୃତ ହିତାଧିକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତରେ ବିଶ୍ୱବ୍ୟାଙ୍କ ସହାୟତାରେ ନିର୍ମାଣ ହୋଇଥିବା ଘର । ବାତ୍ୟା ଫାଇଲିନରେ ଚିଲିକା କୂଳବର୍ତ୍ତୀ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ଅନେକ ପରିବାର କ୍ଷତିଗ୍ରସ୍ତ ହୋଇ ସର୍ବହରା ହୋଇଥିଲେ । ସେହି ସମୟରେ ବିଶ୍ୱବ୍ୟାଙ୍କ ସହାୟତାର ହାତ ବଢାଇଥିଲା । ପରିବାର ପିଛା ୩ଲକ୍ଷ ୨୦ହଜାର ଟଙ୍କା ସହ ଜାଗା ଯୋଗାଇ ଘର କରିଥିଲା । ସରକାର ବିପନ୍ନଙ୍କ ପରିବାରକୁ ଚିହ୍ନଟ କରି ୧୩ଜଣଙ୍କୁ ଘର ଦେଇଥିଲେ । ମାତ୍ର ଏଠାରେ ୩ଟି ପରିବାର ରହୁଥିବା ବେଳେ, ଅନ୍ୟମାନେ ଘର ଗୁଡ଼ିକ ଭଡ଼ାରେ ଦେଇଥିବା ଦେଖିବାକୁ ମିଳିଛି । ଏହି କଲୋନୀକୁ ଯିବାପାଇଁ ସ୍ଥାୟୀ ରାସ୍ତାଟିଏ ନାହିଁ କି ପାନୀୟ ଜଳର ସୁବିଧା ବି ନାହିଁ । ଏପରିକି ବିପନ୍ନଙ୍କ ପରିବାରକୁ ସ୍ଥାୟୀ ଜମିପଟ୍ଟା ମଧ୍ୟ ମିଳିନାହିଁ, ଯାହାକୁ ନେଇ ହିତାଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବାତ୍ୟା ଫାଇଲିନ ଭଳି ହୁଡ଼ହୁଡ଼, ତିତିଲି ଓ ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ମଙ୍ଗଳାଯୋଡ଼ି ଗ୍ରାମବାସୀ । ଏଠାରେ ନିର୍ମାଣ ହୋଇଥିବା ଘରକୁ କେତେକ ବିପନ୍ନ, ମାସିକ ଭଡ଼ା ଏକ ହଜାର ଟଙ୍କା ଦରରେ ରହିଥିବା କହିଛନ୍ତି । ଏପରିକି ରାଜନୈତିକ ଚାପରେ କେତେକ ଲୋକେ ଏହି ଘରକୁ ହାତେଇ ଥିବା ବେଳେ, ଅନେକ ହିତାଧିକାରୀ ଏବେବି ଅଧାଭଙ୍ଗା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଅଭିଯୋଗ କରିଛନ୍ତି । ଏନେଇ ଜୀ ଓଡ଼ିଶା ଟିମ ଟାଙ୍ଗୀ ବିଡ଼ିଓଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହି ନ ଥିଲେ ।