ସଭା ହେବା ପୂର୍ବରୁ ଦଳ ପକ୍ଷରୁ ଲଗାଯାଇଥିବା ନିର୍ବାଚନୀ ବ୍ୟାନର ପୋଷ୍ଟର ହଟାଇ ଦିଆଯାଇଥିଲା।
Trending Photos
ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି ଏଆଇଏମ୍ଆଇଏମ୍। ଏନେଇ ଦଳର ରାଷ୍ଟ୍ରୀୟ ସଭାପତି ତଥା ହାଇଦ୍ରାବାଦ ଲୋକସଭା ସାଂସଦ ଅସାଦୁଦ୍ଦିନ ଓୱେସିଙ୍କୁ ଦଳ ପାଇଁ ପ୍ରଚାର କରିବା ଠାରୁ ଆରମ୍ଭ କରି ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ଅନ୍ୟ ଦଳ ସହ କଥାବାର୍ତ୍ତା ଜାରି ରଖିଛନ୍ତି।
ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା (Uttar Pradesh Election 2022) ନିର୍ବାଚନ ପାଇଁ ଶନିବାର ରାଜ୍ୟର ମେରଠ (Meerut) ଜିଲ୍ଲାସ୍ଥିତ ଜିଲ୍ଲାର ନୌଚନ୍ଦି ମଇଦାନ ଠାରେ ଏଆଇଏମ୍ଆଇଏମ୍ (AIMIM) ପକ୍ଷରୁ ଶୋଷିତ ବଞ୍ଚିତ ସମାଜ ସମ୍ମେଳନ ନାମରେ ଏକ ଜନସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସି (Asaduddin Owaisi)। ମାତ୍ର ଏହି ସଭା ହେବା ପୂର୍ବରୁ ଦଳ ପକ୍ଷରୁ ଲଗାଯାଇଥିବା ନିର୍ବାଚନୀ ବ୍ୟାନର ପୋଷ୍ଟର (AIMIM Election Banner Poster) ହଟାଇ ଦେଇଥିଲା ପୋଲିସ। ଜନସଭା କରିବା ଲାଗି ଦଳକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା।
Also Read: ମୁସଲମାନଙ୍କ ସମସ୍ୟାକୁ ନେଇ BSP-Congress-SP କୁ ଟାର୍ଗେଟ କଲେ Asaduddin Owaisi
ଯାହାକୁ ବିରୋଧ କରିଥିଲେ ଦଳର ନେତା କର୍ମୀ ସମର୍ଥକ। ଏହାର ପ୍ରତିବାଗରେ ସେମାନେ ନିକଟସ୍ଥ ପୋଲିସ ଥାନାରେ ଧାରଣା ଦେଇଥିଲେ। ଏନେଇ କୁହାଯାଇଛି ଅନୁମତି ମିଳିନଥିବାରୁ ଦଳୀୟ ସଭା ଆୟୋଜନ କରାୟାଇ ପାରିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ଏ ଘଟଣା ବାବଦରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକ୍ଷକ ଏଆଇଏମ୍ଆଇଏମ୍ କର୍ମକର୍ତ୍ତାଙ୍କୁ ବୁଝାଇଥିଲା। ଦଳୀୟ ସଭା ଆୟୋଜନ କରିବା ଲାଗି ଅନ୍ୟ ଏକ ସ୍ଥାନ ଚିହ୍ନଟ କରିବାକୁ କୁହାଯିବା ପରେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା।
ଏ ଘଟଣାରେ ପ୍ରତିକ୍ରିୟା ଦଳର ରାଜ୍ୟ ଶାଖା ସଭାପତି (AIMIM Uttar Pradesh President) ଶୌକତ ଅଲ୍ଲୀ କହିଛନ୍ତି ରାଜନୈତିକ କାରଣରୁ ଏସବୁ କରାଯାଉଛି। ଯଦି ସାଧାରଣ ସଭା ଆୟୋଜନ କରିବାରେ ପ୍ରଶାସନର କିଛି ଅସୁବିଧା ଥାଏ ତାହେଲେ ପ୍ରଥମେ ଜଣାଇଦେବାର ଆବଶ୍ୟକତା ଥିଲା ଯେ ଏଠାରେ କୌଣସି ଦଳୀୟ ବୈଠକ ହେବ ନାହିଁ। ହେଲେ ଯେତେବେଳେ ସଭା ଆୟୋଜନ କରିବା ନେଇ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ସେତେବେଳେ ପ୍ରଶାସନ ଦଳୀୟ ବ୍ୟାନର ପୋଷ୍ଟର ହଟାଇବା ସହ କୌଣସି ଜନସଭା ହେବ ନାହିଁ ବୋଲି କହିଥିଲା।
ଏନେଇ ପ୍ରତିକ୍ରିୟା ମେରଠ ସହର ପୋଲିସ ଅଧିକ୍ଷକ (Meerut City Police SP) ବିନୀତ ଭଟନାଗର କହିଛନ୍ତି ଜନସଭା କରିବା ଲାଗି ଏଆଇଏମ୍ଆଇଏମ୍ କର୍ମକର୍ତ୍ତାଙ୍କ ପକ୍ଷରୁ କୌଣସି ଆବେଦନ କରାଯାଇନଥିଲା କିମ୍ବା ସ୍ଥାନୀୟ ମହାନଗର ନିଗମ (Meerut Municipal Corporation) ପକ୍ଷରୁ କୌଣସି ଅନୁମତି ଦିଆଯାଇନଥିଲା। ଯଦି ଦଳ ଅନ୍ୟ କୌଣସି ସ୍ଥାନରେ ଦଳୀୟ ବୈଠକ ଆୟୋଜନ କରିବାକୁ ଚାହୁଁଛି ତାହେଲେ ପ୍ରଥମେ ପ୍ରଶାସନ ଠାରୁ ଅନୁମତି ନେବା ଆବଶ୍ୟକ। କୌଣସି ଆଇନ ଶୃଙ୍ଖଳା ପ୍ରଭାବିତ ନହେବା ପରେ ହିଁ ଅନୁମତି ଦିଆଯିବ।
Also Read: UP Election 2022: ଅଯୋଧ୍ୟାକୁ ଫୈଜାବାଦ ଲେଖିବାକୁ ନେଇ ବିବାଦରେ ଏଆଇଏମଆଇଏମ ସୁପ୍ରିମୋ
ଏହା ସହ ମେରଠ ସହର ଏଡିଏମ୍ (Meerut City ADM) ଦିୱାକର ସିଂହ କହିଛନ୍ତି ନୌଚନ୍ଦି ମଇଦାନ ଯେଉଁ ଜମିରେ ଅବସ୍ଥିତ ତାହା ଜିଲ୍ଲା ପଞ୍ଚାୟତ ଏବଂ ମହାନଗର ନିଗମ ଅଧିନସ୍ଥ। ଏଠାରେ କୌଣସି ପ୍ରକାର ସଭା ସମିତି କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବା ପୂର୍ବରୁ ପ୍ରଶାସନ ଠାରୁ ଅନୁମତି ନେବାକୁ ହେବ। ଯଦି ପ୍ରଶାସନ ପକ୍ଷରୁ କୌଣସି ଅନୁମତି ମିଳିନଥାଏ ତାହେଲେ ଏଠାରେ କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ।