ଖଜୁରୀ ଗଛକୁ ଚଡ଼କ ମାରିଲେ, ତାଳ ଗଛ ପୋଡ଼ି ଯାଉଛି !
Advertisement
Article Detail0/zeeodisha/odisha883779

ଖଜୁରୀ ଗଛକୁ ଚଡ଼କ ମାରିଲେ, ତାଳ ଗଛ ପୋଡ଼ି ଯାଉଛି !

କିଛିଦିନ ପୂର୍ବେ ଦିଲ୍ଲୀ ଦରବାରରେ ହରେକୃଷ୍ଣ ମହତାବଙ୍କ ପୁସ୍ତକ 'ଓଡ଼ିଶା ଇତିହାସ'ର ହିନ୍ଦୀ ଅନୁବାଦ ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହରେକୃଷ୍ଣ ମହତାବଙ୍କ ଓଡ଼ିଶା ପ୍ରତି ଥିବା ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ଏହାସହ ଭର୍ତ୍ତୃହରି ମହତାବଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ଧର୍ମେନ୍ଦ୍ର ମଧ୍ୟ ଭର୍ତ୍ତୃହରିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

ଡିଜାଇନ ଫଟୋ

ଚାରୁ ଚନ୍ଦନ ଦାଶ: ବିଜେଡିର ବରିଷ୍ଠ ନେତା ତଥା ୬ଥର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍ ହୋଇଉଠିଛି। କିଛିଦିନ ପୂର୍ବେ ଦିଲ୍ଲୀ ଦରବାରରେ ହରେକୃଷ୍ଣ ମହତାବଙ୍କ ପୁସ୍ତକ 'ଓଡ଼ିଶା ଇତିହାସ'ର ହିନ୍ଦୀ ଅନୁବାଦ ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଥିଲେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହରେକୃଷ୍ଣ ମହତାବଙ୍କ ଓଡ଼ିଶା ପ୍ରତି ଥିବା ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ଏହାସହ ଭର୍ତ୍ତୃହରି ମହତାବଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ଧର୍ମେନ୍ଦ୍ର ମଧ୍ୟ ଭର୍ତ୍ତୃହରିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ପ୍ରଶଂସା ହୁଏତ ପ୍ରାୟୋଜିତ ଥିଲା ଅବା ଭବିଷ୍ୟତରେ ଓଡ଼ିଶା ଇତିହାସର ଏକ ନୂଆ ଅଧ୍ୟାୟ ଲେଖା ହେବାର ପୂର୍ବାଭାଷ, ତାହା ଭିନ୍ନ କଥା।

ସୋମବାର କଟକରେ ପ୍ରଜାତନ୍ତ୍ର ପ୍ରଚାର ସମିତି (Prajatantra Prachar Samiti) ପକ୍ଷରୁ କଟକରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)। ଆଉ ଧର୍ମେନ୍ଦ୍ର ନିଜ ଅଭିଭାଷଣରେ ଯାହା କହିଲେ, ତାହା ଓଡ଼ିଶା ରାଜନୀତି ପାଣିପାଗର ପାରଦ ବଢ଼ାଇ ଦେବା ସହ ବିଜେଡି (BJD) ଶିବିରରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଧର୍ମେନ୍ଦ୍ର କହିଥିଲେ, 'ଭର୍ତ୍ତୃହରି ମହତାବ (Bhartruhari Mahtab) ଜଣେ ପ୍ରାଜ୍ଞ ଓ ବିଜ୍ଞ ବ୍ୟକ୍ତି। ତାଙ୍କ ପ୍ରଜ୍ଞା ଓ ଜ୍ଞାନକୁ ବିଜେଡି କାହିଁକି କାମରେ ଲଗାଇ ନାହିଁ।'

Also Read: Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ

ଏହାପରେ ମଙ୍ଗଳବାର ସକାଳେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (Pranab Prakash Das) ଏକ ଟ୍ବିଟ୍ କରିଥିଲେ। ଆଉ ନିଜ ଟ୍ୱିଟ୍ ଜରିଆରେ ଧର୍ମେନ୍ଦ୍ରଙ୍କୁ ମଧୁର କଟାକ୍ଷ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ପ୍ରଣବ ଲେଖିଛନ୍ତି ଯେ, ଭାଇ ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ ଆପଣ ଲାଲକୃଷ୍ଣ ଆଡଭାନୀଜୀ ଓ ମୂରଳୀ ମନୋହର ଯୋଶୀଙ୍କ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିପରି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି (BJP) ପାଇଁ ସମର୍ପିତ।

ତେବେ ଏହି ତମାମ ଆରୋପ ପ୍ରତ୍ୟାରୋପ କ'ଣ ବୟାନ କରୁଛି ? ବିଜେପିର ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ନୂଆ ନୁହଁ। ଅନୁରୂପ ଭାବେ ଭର୍ତ୍ତୃହରିଙ୍କର ବିଜେପି ନେତାଙ୍କ ପ୍ରତି ଥିବା ସକାରାତ୍ମକ ମନୋଭାବ ବି ନୂଆ ନୁହଁ। ଏହା ପୂର୍ବରୁ ଭର୍ତ୍ତୃହରି ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ସଂସଦୀୟ ଜୀବନ ଉପରେ ଲିଖିତ ଏକ ପୁସ୍ତକ ଭେଟି ଦେଇଥିଲେ। ନୂଆଦିଲ୍ଲୀସ୍ଥିତ ସାଉଥ୍ ବ୍ଲକ୍ ଅଫିସରେ ଭେଟି 'ଭର୍ତ୍ତୃହରି ମହତାବ ଆଉଟଷ୍ଟାଣ୍ଡିଙ୍ଗ୍ ପାର୍ଲାମେଣ୍ଟାରିଆନ' ପୁସ୍ତକ ଭେଟି ଦେଇଥିଲେ। ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ବିଜେପିର ଦୁଇ ବରିଷ୍ଠ ନେତା ସୁମିତ୍ରା ମହାଜନ ଓ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସମେତ କଂଗ୍ରେସ ନେତା ବିରପ୍ପା ମୋଇଲି ଓ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। 

Also Read: ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ପିପିଲିରେ ହିଂସା, ୩ BJP କର୍ମୀ ହସ୍ପିଟାଲରେ ଭର୍ତ୍ତି

ଏହାପରେ ୨୦୧୯ ମସିହାରେ ଲୋକସଭାରେ ବିଜେପି ପ୍ରଣେତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ରାଜନୀତିର କାଠଗଡ଼ା ଭିତରକୁ ଟାଣି ହୋଇ ଆସିଥିଲେ। ଏହାସହ ବିଜେପି ପ୍ରତି ଆକର୍ଷିତ ମଧ୍ୟ ହୋଇଥିଲେ। ସେହିପରି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ (Ramnath Kobind) ଙ୍କୁ ବିଜେଡିର ସମର୍ଥନ ନେଇ ତଥାଗତ ସତପଥୀ ନିଜ ଖବରକାଗଜ ସମ୍ପାଦକୀୟରେ ପ୍ରଥମେ ସମାଲୋଚନା କରିଥିଲେ। ଏହାପରେ ଭର୍ତ୍ତୃହରି ମହତାବ ତାଙ୍କ ଖବରକାଗଜର 'ଧ୍ୱନି ପ୍ରତିଧ୍ୱନି' ସ୍ତମ୍ଭରେ ବିଜେଡିର ନିଷ୍ପତ୍ତିକୁ ଶାଣିତ କଟାକ୍ଷ କରିଥିଲେ। 

 

ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ଅବଲମ୍ବନ କଥା କହୁଥିବା ତାଙ୍କ ଦଳ କିଭଳି ରାମନାଥଙ୍କୁ ସମର୍ଥନ କଲା ତାହା ସେ ଜାଣିବାକୁ ଚାହିଁଛନ୍ତି ବୋଲି ଭର୍ତ୍ତୃହରି ମହତାବ ପ୍ରଶ୍ନ କରିଥିଲେ। ତେଣୁ, ଭର୍ତ୍ତୃହରିଙ୍କ ପାଇଁ ଏହା ନୂଆ ନୁହଁ। ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ କଟକ ଲୋକସଭା ଆସନରୁ ଭର୍ତ୍ତୃହରିଙ୍କୁ ଟିକେଟ୍ ନ ମିଳିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ, ପରେ ଦଳ ତାଙ୍କୁ ଟିକେଟ୍ ଦେଇଥିଲା ଏବଂ ସେ ପୁଣି ଥରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। 

Also Read: ସୀମା ବିବାଦ; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ BJP ସାଂସଦ

ସେହିପରି ଲୋକସଭାରେ ବାଚସ୍ପତିଙ୍କ ଦାୟିତ୍ୱ ସମ୍ଭାଳିବା ମଧ୍ୟ ଭର୍ତ୍ତୃହରିଙ୍କ ପାଇଁ ଅନ୍ୟତମ ବଡ଼ ପୁରସ୍କାର। ତେଣୁ, ଜାତୀୟ ରାଜନୀତିରେ ବୈଜୟନ୍ତ ପଣ୍ଡାଙ୍କ ଭଳି ତାଙ୍କର ମଧ୍ୟ ବେଶ୍ କାଟତି ରହିଛି। ଏକଥା ସେ ୨୦୧୭ରେ ପାଇଥିବା ଶ୍ରେଷ୍ଠ ସାଂସଦ ପୁରସ୍କାରରୁ ସ୍ପଷ୍ଟ ବାରି ହୁଏ। କିନ୍ତୁ, ରାଜ୍ୟର ମହାଦ୍ରୁମ ଭାବେ ଉଭା ହୋଇଥିବା ବିଜେଡିକୁ ନିଜ ଦଳର ସାଂସଦଙ୍କ ପ୍ରଶଂସା କାହିଁକି ହଜମ ହେଉନି ? ଏହା ଏକ ବଡ଼ ପ୍ରଶ୍ନ। ଓଡ଼ିଆରେ ଏକ ଢଗ ଅଛି। କଥା କେଉଁ ମାର୍ଗକୁ ଯାଉଛି, ଏଠି ଖଜୁରୀ ଗଛକୁ ଚଡ଼କ ମାରିଲେ, ତାଳ ଗଛ ପୋଡ଼ି ଯାଉଛି। 

ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କଲେ, କିନ୍ତୁ ପ୍ରଣବ ପ୍ରକାଶ ଦାସଙ୍କୁ ଏକଥା ହଜମ ହେଲାନି। ବିଜେଡିର ବର୍ତ୍ତମାନର ଗେହ୍ଲା ପୁଅ ଥିବା ପ୍ରଣବ ହଠାତ୍ ଧର୍ମେନ୍ଦ୍ରଙ୍କୁ ମଧୁର କଟାକ୍ଷ କରିବା ବାସ୍ତବରେ କ'ଣ ଇସାରା କରୁଛି ? ୧୯୫୬ ମସିହାରେ ଦେବ୍ ଆନନ୍ଦ ଓ ଶକିଲାଙ୍କ ଅଭିନୀତ 'CID' ସିନେମାରେ ମଜରୁହ ସୁଲତାନପୁରୀଙ୍କ ଏକ ଗୀତ ଥିଲା। 'କହିଁ ପେ ନିଗାହେଁ, କହିଁ ପେ ନିଶାନା, ଜିନେ ଦୋ ଜାଲିମ୍ ବନାଓ ନା ଦିୱାନା'। ଇସାରା ଯୁଆଡ଼େ ବି ହେଉନା କାହିଁକି, ରାଜନୀତି ଟେବୁଲର ଚା' କପରେ କିନ୍ତୁ ଭର୍ତ୍ତୃହରି ମହତାବଙ୍କୁ ନେଇ ପୁଣି ଥରେ ଝଡ଼ ଉଠିବାକୁ ଯାଉଛି, ଏକଥା ନିଶ୍ଚିତ।