ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ଏକ ଭକ୍ତ ନିବାସ ନିର୍ମାଣ ସହ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି।
Trending Photos
ପୁରୀ: ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି। ରଥଯାତ୍ରା ପାଇଁ ୧୧ କୋଟି, ସେବାୟତ କଲ୍ୟାଣ ପାଇଁ ୫ ଏବଂ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଏକ ପାଣ୍ଠି ପ୍ରସ୍ତୁତ କରିଛି ସବକମିଟି। କୋରୋନା ମହାମାରୀ ପ୍ରକୋପ କାରଣରୁ ଶ୍ରୀମନ୍ଦିର ରାଜସ୍ବ ସଂଗ୍ରହ ହ୍ରାସ ପାଇଥିବାରୁ ଭକ୍ତଙ୍କ ଦାନ, ଖଣିଖାଦାନ ଏବଂ ଭକ୍ତ ନିବାସ ପ୍ରତିଷ୍ଠା କରାଯାଇ ରାଜସ୍ବ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଶ୍ରୀମନ୍ଦିର ପାଇଁ ଆରମ୍ଭ ହୋଇଛି ବଜେଟ ପ୍ରସ୍ତୁତି। ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ବୁଧବାର ଅର୍ଥ ସବକମିଟି ବୈଠକ ବସି ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦନ କରାଯିବ। ସବକମିଟିର ନିଷ୍ପତି ଅନୁଯାୟୀ ଆଗାମୀ ରଥଯାତ୍ରା ପାଇଁ ୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯିବ। ସେବାୟତଙ୍କ କଲ୍ୟାଣ ପାଇଁ ୫ କୋଟି ଟଙ୍କାର ବ୍ୟୟ ବରାଦ ସହ ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ଟଙ୍କାର ପାଣ୍ଠି ରଖାଯାଇଛି।
Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ
ଏହା ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ଏକ ଭକ୍ତ ନିବାସ ନିର୍ମାଣ ସହ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି। ଅନ୍ୟପଟେ ଆଗାମୀ ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସ୍ଥାୟୀ ଜମା ରାଶି ୧୦୦୦ କୋଟି ଟଙ୍କା କରିବା ପାଇଁ ଉଦ୍ୟମ କରାଯିବ ବୋଲି ବୁଧବାର ଆୟୋଜିତ ଅର୍ଥ ସବକମିଟି ବୈଠକରେ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି।
Also Read: ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା
କୋରୋନା ସଂକଟ କାରଣରୁ ଶ୍ରୀମନ୍ଦିରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି। ଏହାକୁ ନଜରରେ ରଖି ଅଧିକ ରାଜସ୍ବ ସଂଗ୍ରହ ପାଇଁ ଉଦ୍ୟମ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଭକ୍ତଙ୍କ ଠାରୁ ଦାନ ଅର୍ଥ ସଂଗ୍ରହ ପାଇଁ ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦାନ ବାକ୍ସ ରଖାଯିବ। ଖଣି ଖାଦାନରୁ ପ୍ରାୟ ୧୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଜମି ବିକ୍ରି, ନୂଆ ଭକ୍ତ ନିବାସ ନିର୍ମାଣ କରାଯାଇ ରାଜସ୍ବ ବୃଦ୍ଧି କରାଯିବ।
ବର୍ତ୍ତମାନ ଶ୍ରୀମନ୍ଦିରର ସ୍ଥାୟୀ ଜମା ରାଶି ୬୫୦ କୋଟି ଟଙ୍କା ରହିଥିବାବେଳେ ଆଗାମୀ ୨୦୨୩ ରଥଯାତ୍ରା ବେଳକୁ ଏହାର ପରିମାଣ ୧୦୦୦ କୋଟି ଟଙ୍କା କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ସେହିପରି ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବାକୁ ଯାଉଥିବା ଜିଲ୍ଲାପାଳ କହିଛନ୍ତି।
Also Read: ମନ୍ଦିର ମାଳିନୀ ସହର ପରେ ଶ୍ରୀକ୍ଷେତ୍ରକୁ ଉଡିବ ବିମାନ
ଅର୍ଥ ସବକମିଟି ବୈଠକରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ବଜେଟକୁ ଚୁଡାନ୍ତ ରୂପ ଦେଇଥିଲେ। ସବକମିଟିର ବଜେଟ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହା ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦିତ ହେବ।