ବିବାଦରେ ଗୋଲଡେନ ଲ୍ୟାଣ୍ଡ ସଂସ୍ଥା; ଜମା ଟଙ୍କା ଫେରିବାକୁ ନେଇ ସନ୍ଦେହରେ ଜମାକାରୀ
Advertisement

ବିବାଦରେ ଗୋଲଡେନ ଲ୍ୟାଣ୍ଡ ସଂସ୍ଥା; ଜମା ଟଙ୍କା ଫେରିବାକୁ ନେଇ ସନ୍ଦେହରେ ଜମାକାରୀ

ଗଳା ବାଟ ଦେଇ ଜମି ବିକ୍ରି କରି ବିବାଦ ଘେରକୁ ଟଣାହୋଇଛି ଗୋଲ୍ଡେନ ଲ୍ୟାଣ୍ଡ ସଂସ୍ଥା।

ବିବାଦରେ ଗୋଲଡେନ ଲ୍ୟାଣ୍ଡ ସଂସ୍ଥା; ଜମା ଟଙ୍କା ଫେରିବାକୁ ନେଇ ସନ୍ଦେହରେ ଜମାକାରୀ

ବ୍ରହ୍ମପୁର: ଠକେଇ ଅଭିଯୋଗରେ ଛନ୍ଦି ହୋଇ ତଦନ୍ତ ପରିସରଭୂକ୍ତ ଥିବା ଗୋଲଡେନ ଲ୍ୟାଣ୍ଡ ସଂସ୍ଥା ବିରୁଦ୍ଧରେ ମୁଣ୍ଡ ଟେକିଛି ବିବାଦର ସ୍ବର। ବ୍ରହ୍ମପୁର ସହର ଉପକଣ୍ଠସ୍ଥ ହଳଦିଆପଦର ନିକଟରେ ଗୋଲଡେନ୍ ଲ୍ୟାଣ୍ଡ ନାମରେ ଥିବା ଏକ ଦାମୀ ଜମିକୁ ଗଳାବାଟ ନେଇ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ତହସିଲ୍ କାର୍ଯ୍ଯାଳୟ ସହ ଭିତିରିଆ ମସୁଧା କରି ଏହି ଜମି ବିକ୍ରି କରି ଦେଇଥିବା ବେଳେ ବର୍ଷ ବର୍ଷ ଧରି ଉକ୍ତ ସଂସ୍ଥା ଦ୍ବାରା ଠକେଇର ଶୀକାର ହୋଇଥିବା ଜମାକାରୀ ଏହାକୁ ଘୋର ବିରୋଧ କରିଛନ୍ତି। 

କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ପକ୍ଷରୁ ପ୍ରତିବାଦର ସ୍ବର ଉଠିବା ପରେ ଗୋଲଡେନ୍ ଲ୍ୟାଣ୍ଡ (Golden Land) ସଂସ୍ଥା ପକ୍ଷରୁ ବିକ୍ରି ହୋଇଥିବା ଜମି ଉପରେ କଟକଣା ଫଳକ ଲଗାଇଛି ଜିଲ୍ଲା ପ୍ରଶାସନ। ପ୍ରଥମେ ଜମି ବିକ୍ରିରେ  ସହଯୋଗ କରିବା ଏବଂ ପରବର୍ତ୍ତୀ ସମୟରେ ଜମିରେ କଟକଣା ଫଳକ ଲଗାଇବା ଏବେ ତହସିଲ କାର୍ଯ୍ଯାଳୟର ଦୋମୁହାଁ ନୀତିକୁ ପଦାରେ ପକାଇଛି। 

କିଭଳି ବିକ୍ରିହେଲା ଗୋଲଡେନ୍ ଲ୍ୟାଣ୍ଡ ନାମରେ ଥିବା ଦାମୀ ଜମି? ଜମି ବିକିବା ଲାଗି କେଉଁଠି ଗଳାବାଟ ଆପଣାଇଲା ଜନସାଧାରଣଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଗୋଲଡେନ୍ ଲ୍ୟାଣ୍ଡ ସଂସ୍ଥା। ରହିଛି କି ତହସିଲଦାରଙ୍କ ସହ ସଂସ୍ଥାର ଭିତିରିଆ ମସୁଧା? କାହିଁକି ଦୋମୁହାଁ ନୀତି ଆପଣେଇଲା କନିସି ତହସିଲ। ବ୍ରହ୍ମପୁର ଉପକଣ୍ଠ ରାଳବ ମୌଜାରେ ଗୋଲଡେନ୍ ଲ୍ୟାଣ୍ଡ ନାମରେ ଥିବା ୨୨ ଏକର ପରିମିତ କୋଟି କୋଟି ଟଙ୍କା ମୂଲ୍ୟର ଦାମୀ ଜମିକୁ ବିକ୍ରି କରାଯିବା ପରେ ପଦାକୁ ଆସିଛି ବିରୋଧର ସ୍ବର। 

Also Read: ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍

ଗଞ୍ଜାମ ଜିଲ୍ଲାର ଗରିବ ହିତାଧିକାରୀଙ୍କୁ ଅଧିକ ସୁଧର ପ୍ରଲୋଭନ ଦେଖାଇ ଉକ୍ତ ସଂସ୍ଥା କୋଟି କୋଟି ଟଙ୍କା ଠକି ନେଇ ଏଭଳି ଜମି କିଣିଥିବା ବେଳେ ଉକ୍ତ ଜମିକୁ ଟେଣ୍ଡର କିମ୍ବା ନିଲାମ ଜରିଆରେ ବଜାର ଦରରେ ବିକ୍ରି କରି ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା କଥା। ହେଲେ ପ୍ରଶାସନିକ ଅଧିକାରୀଙ୍କ ସହ ସଲାସୁତରା କରି ଜମିକୁ ବିକ୍ରି କରାଯାଇଥିବା ବେଳେ ଲୋକେ ନିଜ ଜମା ଟଙ୍କା ଫେରସ୍ତ ପାଇବେ କି ନାହିଁ ବୋଲି ଏବେ ପ୍ରଶ୍ନ ଉଠିଛି। ଜିଲ୍ଲାର ଶତାଧିକ ଜମାକାରୀ ପୁଣି ଥରେ ପ୍ରଶାସନର ଦୋମୁହାଁ ନୀତି ବିରୁଦ୍ଧରେ ସ୍ବର ଉଠାଇ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଦେଖିବାକୁ ମିଳିଛି। 

ଗଞ୍ଜାମ ଜିଲ୍ଲା ହଜାର ହଜାର ଲୋକଙ୍କୁ ପ୍ରଲୋଭିତ କରି ଗୋଲଡେନ୍ ଲ୍ୟାଣ୍ଡ ନାମକ ସଂସ୍ଥା କୋଟି କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଇଓଡ୍ଲୁ ଜରିଆରେ ତଦନ୍ତ କରିବା ସହ ଜଷ୍ଟିସ ଏମ୍ ଏମ୍ ଦାଶ କମିଶନ ଗଠନ କରି ଜମାକାୀ ଚିହ୍ନଟ କରିବା ପରେ ଟଙ୍କା ଫେରସ୍ତ କରିବାର ପ୍ରତିଶୃତି ଦେଇଥିଲେ। ହେଲେ କମିଶନଙ୍କ ଅବଧି ସରିଯାଇଥିବା ବେଳେ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି। ଏଭଳି ପରିସ୍ଥିତିରେ ଗୋଲଡେନ୍ ଲ୍ୟାଣ୍ଡ ସଂସ୍ଥାକୁ ଅନୁକମ୍ପା ଦେଖାଇ ଜମି ବିକ୍ରି ଲାଗି ଅନୁମତି ଦିଆଯାଇଥିବା ନେଇ ଜମାକାରୀଙ୍କ ପକ୍ଷରୁ ତହସିଲ ବିରୁଦ୍ଧରେ ସ୍ବର ଉତ୍ତୋଳନ କରାଯାଇଛି। ନିଜ ଦୋଷ ଲୁଚାଇବାକୁ ଜାଇ ଉକ୍ତ ଜମିରେ କଟକଣା ଫଳକ ଜାରି କରିଛନ୍ତି ତହସିଲଦାର।

Also Read: ପୋଖରୀ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାଁରେ ହରିଲୁଟ୍ ଅଭିଯୋଗ

ଏହି ଜମିକୁ କିଣିଥିବା ବ୍ୟବସାୟୀ ପ୍ଲଟିଂ କରି ପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି। ସେପଟେ ଏହି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି କନିସି ତହସିଲଦାର। ଅନ୍ଯପଟେ ଜମିକୁ କିଣି ବ୍ଯବସାୟୀ ଜଣକ ଏବେ ହରଡଘଣାରେ ପଡିଥିବା ବେଳେ ସମସ୍ତ ସରକାରୀ ଅନୁମତି ମିଳିବା ପରେ ଜମି କିଣା ଯାଇଥିବା ଯୁକ୍ତି ବାଢିଛନ୍ତି କ୍ରେତାଙ୍କ ଓକିଲ।