ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
Advertisement

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

କାର୍ଯ୍ୟସ୍ଥଳରେ ତାଙ୍କର ହୃତଘାତରେ ମୃତ୍ୟୁ ହୋଇଥିବାର ଖବର ଆସିଥିଲା

 

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

କନ୍ଧମାଳ: ହୃତଘାତରେ ପ୍ରାଣହରାଇଥିବା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀରକୁ ନିଜ ଜନ୍ମ ମାଟିକୁ ଅଣାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଲାମୀ ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ବାଗାରାମା ଗ୍ରାମର ସେନା ଯବାନ ସଞ୍ଜୟ ପ୍ରଧାନ ଗତ ୧୩ ତାରିଖରେ ଜାମୁକାଶ୍ମୀର ଶ୍ରୀନଗର ଠାରେ କାର୍ଯ୍ୟରତ ଥି୍ବା ସମୟରେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ସଞ୍ଜୟଙ୍କୁ ୩୫ ବର୍ଷ ହୋଇଥିଲା। 

ଗତ ୨୦୦୭ ମସିହାରୁ ୧୪ ବର୍ଷ ଧରି ଭାରତୀୟ ସେନାର ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ ସଞ୍ଜୟ ପ୍ରଧାନ। ଗତ ମେ ମାସରେ ସେ ଘରକୁ ଛୁଟିରେ ଆସିଥିଲେ। ଘରେ ମାସ ଛୁଟିରେ ରହି ଚଳିତ ମାସ ପହିଲାରେ ପୁଣି କାର୍ଯ୍ୟସ୍ଥଳକୁ ଫେରିଯାଇଥିଲେ। ସେଠାରେ ତାଙ୍କର ହୃତଘାତରେ ମୃତ୍ୟୁ ହୋଇଥିବାର ଖବର ଆସିଥିଲା। ମଙ୍ଗଳବାର ସେନା ପକ୍ଷରୁ ସଞ୍ଜୟଙ୍କ ପାର୍ଥିବ ଶରୀରକୁ ନିଜ ଗାଁକୁ ଅଣାଯାଇଥିଲା। ଗାଁରେ ପାର୍ଥିବ ଶରୀର ପହଞ୍ଚିବା ମାତ୍ରେ ସଞ୍ଜୟ ପ୍ରଧାନ ଅମର ରହେ, ଅମର ରହେ ଧ୍ୱନୀରେ କମ୍ପି ଉଠିଥିଲା ସମ୍ପୂର୍ଣ ବାଗାରାମା ଗ୍ରାମ। 

Also Read: ହୃତଘାତରେ ଓଡ଼ିଆ ସେନା ଯବାନ ମୃତ

 

ଆଉ ନିଜ ଗାଁ ପୁଅକୁ ହରାଇ ଥିବାରୁ ଗ୍ରାମବାସୀଙ୍କ ଆଖିରେ ଲୁହ ଭରି ରହିଥିବାବେଳେ ସଭିଁଏ ଗର୍ବ ଅନୁଭବ କରୁଥିଲେ। ସେପଟେ ସଞ୍ଜୟଙ୍କୁ ମନେ ପକାଇ ପକାଇ ପରିବାରବର୍ଗଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥି ଏପରିକି ଗାଁ ଲୋକ ସଭିଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ବାଗାରାମା ଗାଁ। ଓଡି଼ଆ ଯବାନଙ୍କ ପାର୍ଥିବ ଶରୀରକୁ ସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଲାମୀ ଦିଆଯାଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାଲିଗୁଡା ଉପଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଉ ଶେଷରେ ହିନ୍ଦୁ ଧର୍ମ ଅନୁଯାୟୀ ସଞ୍ଜୟଙ୍କ ୯ ବର୍ଷର ପୁଅ ସମ୍ୟଜିତ ପ୍ରଧାନ ବାପାଙ୍କୁ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।