ବିପଦରେ ମହାବିକାଶ ଅଘାଡି ସରକାର! ଶିବସେନା-କଂଗ୍ରେସ ମଧ୍ୟରେ ବଢୁଛି ଫାଟ
Advertisement
Article Detail0/zeeodisha/odisha821504

ବିପଦରେ ମହାବିକାଶ ଅଘାଡି ସରକାର! ଶିବସେନା-କଂଗ୍ରେସ ମଧ୍ୟରେ ବଢୁଛି ଫାଟ

ଓରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରି ସମ୍ଭାଜୀ ନଗର ରଖିବା ପ୍ରସଙ୍ଗରେ ଶିବସେନା-କଂଗ୍ରେସ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। 

 ବିପଦରେ ମହାବିକାଶ ଅଘାଡି ସରକାର! ଶିବସେନା-କଂଗ୍ରେସ ମଧ୍ୟରେ ବଢୁଛି ଫାଟ

ମୁମ୍ବାଇ: ଏକଦା ରାଜନୀତିରେ ପାରମ୍ପରିକ ପ୍ରତିଦ୍ୱଦ୍ୱୀ ଭାବେ ଜଣାଶୁଣା ଥିଲେ ଶିବସେନା-କଂଗ୍ରେସ। ସମୟଚକ୍ରରେ ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆସିବା ସହ ଉଭୟ ଦଳ ମିଳିତ ଭାବେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ନାମରେ ଏକ ସରକାର ଗଠନ କରିଥିଲେ। ହେଲେ କ୍ଷମତାସୀନ ହେବା ପର ଠାରୁ ସବୁ ବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହିଆସିଛି ଉଭୟ ଦଳକୁ ନେଇ ଗଠିତ ହୋଇଥିବା ମେଣ୍ଟ ସରକାର। 

ସମୟକ୍ରମେ ବିଭିନ୍ନ ପ୍ରସଙ୍ଗରେ ଉଭୟ ଶିବସେନା-କଂଗ୍ରେସ ମୁହାଁମୁହିଁ ହେବା ପରେ ମହାବିକାଶ ଅଘାଡି ସରକାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟର ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରି ଏହାକୁ ସମ୍ଭାଜୀ ନଗର ନାମରେ ନାମିତ କରିବାକୁ ଅଣ୍ଟା ଭିଡିଛି ଶିବସେନା। ଯାହାକୁ ସହଜେ ହଜମ କରିବାକୁ ପ୍ରସ୍ତୁତ ନୁହେଁ କଂଗ୍ରେସ।   

ନିଜର ପୁରୁଣା ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିବା ଢଙ୍ଗରେ ଶିବସେନା ପକ୍ଷରୁ କୁହାଯାଇଛି ଏ ମାମଲାରେ ଦଳ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ। ହେଲେ କଂଗ୍ରେସ ସହଯୋଗୀ ଶିବସେନା ଉଦ୍ଦେଶ୍ୟରେ ମନେ ପକାଇ ଦେଇ କହିଛି ଖାଲି ଆପଣ ଏକା ନୁହଁନ୍ତି ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ଏକ ମେଣ୍ଟ ସରକାର। ଯାହା କମନ ମିନିୟମ ପ୍ରୋଗ୍ରାମ (Common Minium Programme) ମାଧ୍ୟମରେ ପରିଚାଳିତ ହେଉଛି।     

Also Read: କୋରୋନା ମୁକାବିଲାକୁ ନେଇ ଉଦ୍ଧବ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

 

ଆଜକୁ ୩୦ ବର୍ଷ ପୂର୍ବେ ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରି ସମ୍ଭାଜୀ ନଗର ନାମ ରଖିଥିଲେ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେ। ଯାହା ମରାଠି ଅସ୍ମିତାର ପ୍ରଶ୍ନ। କାରଣ ଶିବସେନାର କୋର ଭୋଟର ହେଉଛନ୍ତି ମରାଠି ସମ୍ପ୍ରଦାୟର ଲୋକ। ହେଲେ କଂଗ୍ରେସ ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବା ସପକ୍ଷରେ ନାହିଁ। ଦୁଇ ପକ୍ଷ ମଧ୍ୟରେ ଚାଲିଥିବା କଳିରୁ ତୃତୀୟ ପକ୍ଷ ଫାଇଦା ନେବା ଅବସ୍ଥାରେ ରହିଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ବିଜେପି। ଏପରିକି ସରକାରରେ ଚାଲିଥିବା କଳିରୁ ଲାଭ ଉଠାଇବା ଯୋଜନାରେ ରହିଛି ବିରୋଧି। 

ଯଦିଓ ବିଜେପି ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରି ସମ୍ଭାଜୀ ନଗର ରଖିବା ପ୍ରସଙ୍ଗରେ ଶିବସେନାକୁ ସମର୍ଥନ କରୁଛି ହେଲେ ମହାବିକାଶ ଅଘାଡି ସରକାରରେ ଚାଲିଥିବା ବିବାଦରୁ ଫାଇଦା ଉଠାଇବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହିଁ। ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶିବସେନା-କଂଗ୍ରେସ। 

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶିବସେନା ପକ୍ଷରୁ କୁହାଯାଇଛି ଔରଙ୍ଗଜେବ ରୋଲ ମଡେଲ ହୋଇପାରିବେ ନାହିଁ। ହେଲେ ଏହା ବିରୁଦ୍ଧରେ ମତ ରଖି କଂଗ୍ରେସ ପକ୍ଷରୁ କୁହାଯାଇଛି ଏହା ମେଣ୍ଟ ସରକାରର କୌଣସି ସର୍ବସହମତି କ୍ରମେ ଗ୍ରହଣ କରାଯାଇଥିବା କୌଣସି ଗ୍ରହଣ ଯୋଜନା ନୁହେଁ। ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗରେ ଶିବସେନାକୁ ବିଜେପି ସହିତ ମହାରାଷ୍ଟ୍ର ନବନିର୍ମାଣ ସେନା-ଏମଏନଏସ ପକ୍ଷରୁ ସମର୍ଥନ ମିଳିଛି।    

Also Read: ସହଯୋଗୀ ଏନସିପି-ଶିବସେନା ଉପରେ ବର୍ଷିଲା କଂଗ୍ରେସ

ଶିବସେନା ପକ୍ଷରୁ କୁହାଯାଇଛି ଅଯୋଧ୍ୟା ଭଳି ଔରଙ୍ଗାବାଦ ସହରର ନାମ ମଧ୍ୟ ପରିବର୍ତ୍ତନ କରାଯିବ। ଔରଙ୍ଗଜେବ ଭାରତୀୟ ମୁସଲମାନଙ୍କ ଆଦର୍ଶ ହୋଇପାରିବେ ନାହିଁ। ନାମ ପରିବର୍ତ୍ତନ କରିବା ଦ୍ୱାରା ଦେଶର ଧର୍ମ ନିରପେକ୍ଷତା ପ୍ରଭାବିତ ହେବ ନାହିଁ। ବାବର ମୁସଲମାନଙ୍କ ପିତା ନୁହଁନ୍ତି କିମ୍ବା ଔରଙ୍ଗଜେବ ଚାଚା ନୁହଁନ୍ତି।  

କଂଗ୍ରେସର କହିବା କଥା ମହା ବିକାଶ ଅଘାଡି ସରକାର କମନ ମିନିୟମ ପ୍ରୋଗ୍ରାମ ମାଧ୍ୟମରେ ପରିଚାଳିତ ହେଉଛି। ଔରଙ୍ଗବାଦର ନାମ ପରିବର୍ତ୍ତନ କରିବା ଆମର ଦଳୀୟ ଏଜେଣ୍ଡା ନୁହେଁ। ଯଦି ନାମ ପରିବର୍ତ୍ତନ କରିବାକୁ ନେଇ କୌଣସି ପ୍ରସ୍ତାବ ତାହେଲେ ଦଳ ଏହାକୁ ବିରୋଧ କରିବ। ଶିବସେନାର ଜିଦ ମେଣ୍ଟ ସରକାରକୁ କ୍ଷତି ପହଞ୍ଚାଇବ। ଆମର ସହରର ନାଁ ବଦଳାଇବା ନୁହେଁ ବିକାଶ ଉପରେ ଅଧିକ କେନ୍ଦ୍ରୀଭୂତ।         

ଏକଦା କଂଗ୍ରେସକୁ ପରିଚାଳିତ କରିଥିବା ଗାନ୍ଧୀ-ନେହେରୁ ପରିବାର ନାମରେ ଦେଶରେ ୯୮ଟି ଶିକ୍ଷାନୁଷ୍ଠାନ, ୭୪ ସଡକ ଓ ବଙ୍ଗଳା, ୫୨ଟି ରାଜ୍ୟ ଯୋଜନା, ୫୧ ପୁରସ୍କାର, ୩୯ ମେଡିକାଲ ସଂସ୍ଥା, ୩୭ ରାଜ୍ୟ ସଂସ୍ଥାନ, ୨୮ କ୍ରୀଡା ଟୁର୍ଣ୍ଣାମେଣ୍ଟ, ୧୯ ଖେଳ ଷ୍ଟାଡିୟମ, ୧୫ ଛାତ୍ରବୃତ୍ତି, ୧୫ ଜାତୀୟ ଉଦ୍ୟାନ, ୫ ବିମାନବନ୍ଦର ସହ ବନ୍ଦର ନାମିତ ହୋଇଛି। ରାଜନୀତିରେ ନାମ କରଣର ମହତ୍ତ୍ୱ କ'ଣ ରହିଛି ତାହା ଏଥିରୁ ସ୍ପଷ୍ଟ ହେଉଛି।    

ଏହାକୁ ସାମ୍ନାରେ ରଖି ଶିବସେନା ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବାକୁ ଜିଦ ଧରିଛି। ଏନେଇ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ୩୦ ବର୍ଷ ପୂର୍ବେ ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ ସମ୍ଭାଜୀ ନଗର ରଖିଥିଲେ ବାଲାସାହେବ ଠାକରେ। ବର୍ତ୍ତମାନ ଏହାକୁ କେବଳ ସରକାରୀ ରେକର୍ଡରେ ବଦଳାଇବାକୁ ହେବା। ଏହି ସମସ୍ୟାର ସମାଧାନ ହେବ କିନ୍ତୁ ଏ ପ୍ରସଙ୍ଗରେ ଦଳର ଭୂମିକାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଶିବେସନା ପକ୍ଷରୁ କୁହାଯାଇଛି।

Also Read: ଅଯୋଧ୍ୟା ଗସ୍ତ ଲାଗି ଉଦ୍ଧବ ଠାକରେଙ୍କୁ ଦରକାର ନାହିଁ ନିମନ୍ତ୍ରଣ: ସଞ୍ଜୟ ରାଉତ

 

ସହିପରି ବିଜେପି ନେତା ରାମ କଦମ କହିଛନ୍ତି  ଔରଙ୍ଗାବାଦ ସହରର ନାମ ସମ୍ଭାଜୀ ନଗର ରଖି ଶିବସେନାର ରାଜନୀତି ନାଟକ କରୁଛି। ଆମ ସହିତ କ୍ଷମତାରେ ୫ ବର୍ଷ ରହିଥିବା ସହରର ନାମ ବଦଳାଇବାକୁ ପ୍ରସ୍ତାବ କାହିଁକି ପଠାଇଲେ ନାହିଁ। ଅନ୍ୟପଟେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି ଏହି ଦେଶ ପାଇଁ କିଛି ଆଦର୍ଶ ବୀର ଅଛନ୍ତି  ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେ ଏହି ମାତୃଭୂମି ପାଇଁ ଦେଇଛନ୍ତି ସେ ଆଗାମୀ ପିଢିର ଲୋକଙ୍କ ପାଇଁ ଏକ ଆଦର୍ଶ ହୋଇପାରିବେ। ଔରଙ୍ଗଜେବ କଦାପି ଆମର ଆଦର୍ଶ ହୋଇପାରିବ ନାହିଁ।

କଂଗ୍ରେସ ନେତା ପିଏଲ ପୁନିଆ କହିଛନ୍ତି ମହାରାଷ୍ଟ୍ରର ଆମର ମେଣ୍ଟ ସରକାର ରହିଛି। ଯଦି ଆମ ସରକାରରେ କୌଣସି ସମସ୍ୟା ରହିଛି ତାହାକୁ ବୁଝାମଣା ଦ୍ୱାରା ସମାଧାନ କରାଯିବ। ଶିବସେନା ବିଧାୟକ ଅମ୍ବାଦାସ ଧନଭେ କହିଛନ୍ତି ଏହି ସହରର ନାମ ଔରଙ୍ଗାବାଦ ନାମରେ ନାମିତ କରିବାର କୌଣସି ଆବଶ୍ୟକତା ନାହିଁ। ଏହି ସହରର ନାମ ସମ୍ଭାଜୀ ନଗର ରହିବା ଆବଶ୍ୟକ। ସମ୍ଭାଜୀ ନଗର ହେଉଛି ମହାରାଷ୍ଟ୍ର. ଦେଶ ଆଉ ହିନ୍ଦୁତ୍ୱ ଲାଗି ଗର୍ବର ବିଷୟ। 

ଏନସିପି ନେତା ମାଜିଦ୍ ମେମନ୍ କହିଛନ୍ତି ଯଦି ଶିବସେନା ଠାରୁ ଔରଙ୍ଗାବାଦର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଆସିଛି ତାହେଲେ ମହାବିକାଶ ଅଘାଡି ସରକାରରେ ସାମିଲ ଥିବା ସହଯୋଗୀ କଂଗ୍ରେସ-ଶିବସେନା ସହ ଏ ପ୍ରସଙ୍ଗରେ ଆଲୋଚନା କରାଯିବ। ଅନ୍ୟ ପଟେ ସମାଜବାଦୀ ପାର୍ଟି ନେତା ଆବୁ ଅଜମୀ କହିଛନ୍ତି ମୁଁ ଆଦରଣୀୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହି ରଖିବାକୁ ଚାହେଁ ସହରର ନାମ ପରିବର୍ତ୍ତନ କରିଦେଲେ କୌଣସି ଅଗ୍ରଗତି ହେବ ନାହିଁ, ବିକାଶ ହେବ ନାହିଁ, କାହାର ପେଟ ପୂରିବ ନାହିଁ।

Also Read: 'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

 

ଯଦି କେହି ଭାବୁଥାନ୍ତି ଔରଙ୍ଗଜେବଙ୍କ ଶ୍ମଶାନ ଧର୍ମନିରପେକ୍ଷତାର ପ୍ରତୀକ ତାହେଲେ ସେ ଭାରତର ପରିଚୟକୁ ପରିହାସ କରୁଛନ୍ତି। ଏହା ଲେଖି ଶିବସେନା ଦଳୀୟ ମୁଖପତ୍ର  'ସାମାନା' ମାଧ୍ୟମରେ ସହରର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗ ଉଠାଇଛି। ୩୦ ବର୍ଷ ପୂର୍ବେ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେ ଏହି  ଦାବି ଉଠାଇଥିଲେ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଥିଲେ ଔରଙ୍ଗଜେବ ନାମ ଏକ ଅପମାନ। ଏହାକୁ ବଦଲାଯାଇ ସମ୍ଭାଜୀ ନଗର ରଖିବାକୁ ପରାମର୍ଶ ଦେଇଥିଲେ। ଯାହାକୁ ଶିବସେନା ନିଜର ଦଳୀୟ ଏଜେଣ୍ଡା ଭାବେ ବିଚାର କରି ଆସୁଥିଲା।

ଔରଙ୍ଗାବାଦକୁ ଜାଣନ୍ତୁ

  • ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀନ ନାମ ଥିଲା 'ଖାଡକି' 
  • ପଶ୍ଚିମ ମହାରାଷ୍ଟ୍ରର ଏକ ପ୍ରାଚୀନ ସହର 
  • ଚଲୁକ୍ୟ ଏବଂ ସତବାହନ  ରାଜବଂଶର ଶାସନାଧିନ ଥିଲା ଏହି ସହର 
  • ଷଷ୍ଠ ଶତାବ୍ଦୀରେ ଅଜନ୍ତା-ଏଲୋରା ଗୁମ୍ଫାର ନିର୍ମାଣ 
  • ବୌଦ୍ଧଧର୍ମର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର, ବୌଦ୍ଧ ହସ୍ତଶିଳ୍ପର ନମୁନା 
  • ୧୯୨୬ ମସିହାରେ ମଲିକ ଅମ୍ବର ଫତେହାନଗର ନାମ ରଖିଥିଲେ
  • ମୋଗଲ ଯୁଗରେ ଔରଙ୍ଗଜେବ ଏହାର ନାମ ଔରଙ୍ଗାବାଦ ରଖିଥିଲେ 
  • ସ୍ୱାଧୀନତା ପୂର୍ବରୁ ଏହା ନିଜାମଙ୍କ ମୁଖ୍ୟାଳୟ ଥିଲା 

ଔରଙ୍ଗଜେବ ମୋଗଲ ସାମ୍ରାଜ୍ୟର ସବୁଠାରୁ ନିଷ୍ଠୁର ଶାସକ। ଷୋଡଶ ଶତାବ୍ଦୀରେ ଅଗଣିତ ହିନ୍ଦୁଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କ ନରସଂହାର କରିବା, ହଜାର ହଜାର ମନ୍ଦିର ମଠ ଭାଙ୍ଗିବା, ହିନ୍ଦୁଙ୍କ ଅଧିକାରକୁ  ଛଡାଇ ନେଇଥିଲେ। ହିନ୍ଦୁଙ୍କ ଉପରେ ଅପମାନଜନକ ଜିଜିଆ କର ଲଗାଇଥିଲେ ସେ। ରାଜପୁତଙ୍କ ସହ ଲଢି ନିଜର ସାମ୍ରାଜ୍ୟକୁ ବର୍ବାଦ କରି ଦେଇଥିଲେ ଔରଙ୍ଗଜେବ। ଏକ ବିବାଦୀୟ, ନିଷ୍ଠୁର, କ୍ରୁର ତଥା ରହସ୍ୟମୟ ଚରିତ୍ର ହେଉଛନ୍ତି ଔରଙ୍ଗଜେବ। ଶାସନ କାଳ ମଧ୍ୟରେ ଅଗଣିତ ମନ୍ଦିର ଭାଙ୍ଗିଥିବା ଔରଙ୍ଗଜେବ ଅନେକ ମନ୍ଦିର ପାଇଁ ଜମି ଦାନ କରିଥିବାର କୁହାଯାଏ। ହେଲେ ତାଙ୍କର ପ୍ରକୃତି ନିଷ୍ଠୁର ପାଷାଣ ହୃଦୟର ଥିଲା।

Also Read: ରାଜସ୍ଥାନ ସଂକଟ: ଶିବସେନା ଟାର୍ଗେଟରେ ବିଜେପି ଏବଂ ସଚିନ ପାଇଲଟ

 

ସମ୍ଭାଜୀ ମହାରାଜ ଛତ୍ରପତି ଶିବାଜୀ ମହାରାଜଙ୍କ ବଡ ପୁଅ ଥିଲେ। ୧୪ ମଇ ୧୬୫୭ ମସିହାରେ ସେ ମରାଠା ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୬୭୨ ମସିହାରେ କୋଲୱାନ୍ ଠାରେ ପ୍ରଥମ ଥର ପାଇଁ ଯୁଦ୍ଧ ଲଢିଥିଲେ। ତାଙ୍କ ଶାସନ କାଳରେ ମୋଗଲଙ୍କ ବିରୁଦ୍ଧରେ ଅନେକ ଯୁଦ୍ଧ ହୋଇଥିଲା। ଜୀବନରେ ୨୧୦ ଯୁଦ୍ଧ କରି କୌଣସି ସଂଗ୍ରାମରେ ପରାସ୍ତ ହୋଇନଥିଲେ। ସେ ଔରଙ୍ଗଜେବଙ୍କୁ ଡେକାନ ଦଖଲ କରିବାକୁ ଦେଇନଥିଲେ। ସେ ଔରଙ୍ଗଜେବ ଗୋଲକଣ୍ଡ, ବିଜାପୁର ପ୍ରଭୃତି ଅଞ୍ଚଳ ଦଖଲ କରିବାରୁ ଅଟକାଇଥିଲେ। ୧୧ ମାର୍ଚ୍ଚ ୧୬୮୯ ମସିହାରେ ସମ୍ଭାଜୀଙ୍କୁ ହତ୍ୟା କରାଯାଇଥିଲା। ଔରଙ୍ଗଜେବ ସମ୍ଭାଜୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

Also Read: କୋରୋନା କାଳରେ ଗାଡି କିଣାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ମହାରାଷ୍ଟ୍ର ସରକାର

ଦେଖିବାକୁ ବାକି ରହିଲା ମହାରାଷ୍ଟ୍ରର ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରି ସମ୍ଭାଜୀ ନଗର ରଖିବାକୁ ଦଳର ସଂସ୍ଥାପକ ବାଲାସାହେବ ଦେଖିଥିବା ସ୍ୱପ୍ନକୁ ଶିବସେନା ପୂରଣ କରିବାରେ ସଫଳ ହେଉଛି ନା ନାହିଁ। ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଛକାପଞ୍ଝା କାରଣରୁ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର କୌଣସି ସମୟରେ ଗାଦିଚ୍ୟୁତ ହୋଇପାରେ।